ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବେଳର ବିରଳ ଦୃଶ୍ୟ ଦେଖିବାକୁ ଭିଡ଼
ଭୁବନେଶ୍ୱର : ଭାରତରେ ଦୀର୍ଘ ୩୫ ବର୍ଷ ପରେ ଆଜି ଏକ ବିରଳ ମହାଜାଗତିକ ଦୃଶ୍ୟକୁ ଲୋକ ଦେଖିବାର ସୁଯୋଗ ପାଇଛନ୍ତି। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସାଙ୍ଗକୁ ନୀଳ-ଲାଲ ରଂଗର ସୁପର୍ ମୁନ୍ ଦେଖିବା ପାଇଁ ରାଜଧାନୀର ପଠାଣି ସାମନ୍ତ ପ୍ଲାନେଟରିୟମ୍ରେ ଆଜି ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ଲାନେଟରିୟମ୍ ପରିସରରେ ଏହି ବିରଳ ଦୃଶ୍ୟକୁ ଅଢ଼େଇ ହଜାର ଲୋକ ଉପଭୋଗ କରିଥିବା ଜଣାପଡ଼ିଛି।
ନୀଳ-ଲାଲ ରଂଗର ଏହି ସୁପର ମୁନ୍ ଦେଖିବା ପାଇଁ ଆଜି ପ୍ଲାନେଟରିୟମ୍ ପରିସରରେ ୨ଟି ଟେଲିସ୍କୋପ୍ ଲଗାଯାଇଥିଲା। ଏହାସହ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପରିସରରେ ୩ଟି ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ମଧ୍ୟ ଗୋଟିଏ ଟେଲିସ୍କୋପ୍ର ବ୍ୟବସ୍ଥା କରାଯାଇଥିଲା। ସାମନ୍ତ ଚନ୍ଦ୍ରଶେଖର ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ପରିଷଦ ପକ୍ଷରୁ ୨ଟି ଟେଲିସ୍କୋପ୍ ବ୍ୟବସ୍ଥା କରାଯାଇଥିବା ବେଳେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପରିସରରେ ଲାଗିଥିବା ଟେଲିସ୍କୋପ୍ଟି ଜଣେ କର୍ମଚାରୀଙ୍କର ରହିଥିଲା। ପ୍ଲାନେଟରିୟମ୍ ପକ୍ଷରୁ ଏଥିପାଇଁ ସହାୟତା ଦିଆଯାଇଥିଲା। ଅପରାହ୍ଣ ସାଢ଼େ ୪ଟାରୁ ଲୋକମାନେ ପ୍ଲାନେଟରିୟମ୍ ପରିସରରେ ଭିଡ଼ ଜମାଇଥିଲେ। ସଂଧ୍ୟା ୬ଟା ୨୫ମିନିଟ୍ରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଲୋକମାନେ ଏହି ବିରଳ ଦୃଶ୍ୟକୁ ଦେଖିଥିଲେ।
ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବାନୁଯାୟୀ, ଆଜି ସଂଧ୍ୟାରେ ପୂର୍ବ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦେଖାଦେବା ପରେ ସଂଧ୍ୟା ୬ଟା ୨୧ ମିନିଟ୍ରୁ ୭ଟା ୩୭ ମିନିଟ୍ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥିଲା। ସଂଧ୍ୟା ୭ଟା ୩୭ ମିନିଟ୍ ପରେ ଚନ୍ଦ୍ର ଉପରୁ ଧୀରେ ଧୀରେ ପୃଥିବୀର ଛାଇ ଅପସାରିତ ହୋଇ ସଂଧ୍ୟା ୮ଟା ୩୧ ମିନିଟ୍ ପରେ ଚନ୍ଦ୍ରଟି ବେଶ୍ ବଡ଼ ଓ ଉଜ୍ଜ୍ୱଳ ଦିଶିବାକୁ ଆରମ୍ଭ କରିଥିଲା।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ମାସରେ ୨ଥର ପୂର୍ଣ୍ଣିମା ହେଲେ ଦ୍ୱିତୀୟ ପୂର୍ଣ୍ଣିମାର ଜହ୍ନକୁ ‘ବ୍ଲୁ ମୁନ୍’ ବା ନୀଳ ଜହ୍ନ କୁହାଯାଇଥାଏ। ଜାନୁଆରି ମାସରେ ଏହି ଘଟଣା ୨ଥର ହେଉଥିବା ବେଳେ ଫେବ୍ରୁଆରି ମାସରେ କୌଣସି ପୂର୍ଣ୍ଣିମା ହେବ ନାହିଁ। ମାର୍ଚ ମାସରେ ପୁଣିଥିରେ ୨ଟି ପୂର୍ଣ୍ଣିମା ହେବ ଓ ଏହାର ଦ୍ୱିତୀୟ ପୂର୍ଣ୍ଣିମାରେ ପୁଣି ବ୍ଲୁ ମୁନ୍ ଦେଖିବାକୁ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଚନ୍ଦ୍ର ଆଜି ପୃଥିବୀର ଖୁବ୍ ନିକଟରେ ଥିବାରୁ ଗ୍ରହଣ ଛାଡ଼ିଯିବା ପରେ ସାଧାରଣ ଆକାରଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ଓ ଉଜ୍ୱଳ ଦିଶୁଥିଲା। ଏପରି ବଡ଼ ଜହ୍ନକୁ ସୁପରମୁନ୍ କୁହାଯାଇଥାଏ।