ମହାବାତ୍ୟାକୁ ୨୦ ବର୍ଷ ବିତିଗଲାଣି, ତଥାପି ବାତ୍ୟା ନାଁ ଶୁଣିଲେ ଏବେ ବି ଆତଙ୍କିତ ହୋଇପଡ଼ନ୍ତି ଅଞ୍ଚଳବାସୀ

ଜଗତସିଂହପୁର : ଇତିମଧ୍ୟରେ ମହାବାତ୍ୟାକୁ ୨୦ ବର୍ଷ ବିତିଗଲାଣି । ରାଜ୍ୟ ପୂର୍ବ ଉପକୂଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଲେ ଏବେ ବି ଆତଙ୍କିତ ହୋଇପଡ଼ନ୍ତି ଅଞ୍ଚଳବାସୀ । ଆଖି ଆଗରେ ନାଚି ଉଠେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ସେହି ପ୍ରଳୟଙ୍କାରୀ ଦୃଶ୍ୟ । ଆଖି ପିଛୁଳାକେ ଗଛ ଉଚ୍ଚତାର ସମୁଦ୍ର ଜୁଆର ମାଡ଼ି ଆସିଥିଲା । ମଣିଷ,ପଶୁ ସବୁ ଏକାକାର ହୋଇଗଲେ । ପାରାଦୀପ ,ଏରସମା ଓ ବାଲିକୁଦାରେ ହଜାର ହଜାର ସଂଖ୍ୟାରେ ମଣିଷ ଓ ଗୃହପାଳିତ ପଶୁଙ୍କ ମୃତ୍ୟୁ ହେଲା । ଏହି ବଡ଼ କ୍ଷତିର ଭରଣା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କଲେ,ମାତ୍ର ସେଥିମଧ୍ୟରୁ ଏବେ ବି କିଛି ଅଧାରେ ରହିଛି ।

ଜଗତସିଂହପୁର ଜିଲ୍ଲାରେ ମମହାବାତ୍ୟା ଜୋରଦାର ତାଣ୍ଡବ ରଚିଥିଲା । ଘଣ୍ଟା ପ୍ରତି ୨୬୫ କିମି ବେରେ ପବନ ଓ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆର ମାଡ଼ି ଆସି ସବୁ ଛାରଖାର କରିଦେଇଥିଲା । ସେହିଦିନ ଠାରୁ ବହୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ ଅଦନୁଯାୟୀ, ମହାବାତ୍ୟାରେ ୯ ହଜାର ୮୮୫ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୩ ଲକ୍ଷ ହେକ୍ଟର ଜମିର ଫସଲ ,୧.୭୬ ଲକ୍ଷ ହେକ୍ଟର ଜମିର ପରିବା ଚାଷ ଓ ୨.୭୫ ଲକ୍ଷ ହେକ୍ଟର ଜମିର ଅନ୍ୟାନ୍ୟ ଚାଷ ନଷ୍ଟ ହୋଇଛି । ଏହା ସହ ୨୨ ହଜାର ୧୪୩ଟି ମାଛ ଜାଲ ନଷ୍ଟ ହୋଇଯାଇଥିବା ବେଳେ ୯,୦୮୫ଟି ଡ଼ଙ୍ଗାର ପତ୍ତା ନଥିଲା । ସେହିପରି ୩ ଲକ୍ଷ ୧୫ ହଜାର ୮୮୬ଗୃହପାଳିତ ପଶୁ, ୧୮ ଲକ୍ଷ ୮୩ ହଜାର ୪୬୮ କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ଏବଂ ୩ ଲକ୍ଷ ୧୬ ହଜାର ଛୋଟ ଛୋଟ ପଶୁଙ୍କର ମୃତ୍ୟୁ ହୋଇଥିଲା ।

India Today

ଏ ତ’ ଥିଲା ସରକାରୀ ରିପୋର୍ଟ ମାତ୍ର ବେସରକାରୀ ସ୍ତରରେ କ୍ଷୟକ୍ଷତିର ପରିଣାମ ଆକଳନ କରିବା ମୁସ୍କିଲ୍ ଥିଲା ସମୁଦ୍ର କୁଳରେ ପାରାଦୀପ ମଧ୍ୟକୁ ସମୁଦ୍ର ଜୁଆର ପ୍ରବେଶକରି ନଥିଲା ବୋଲି ପରିବେଶବିତମାନେ ମତ ଦିଅନ୍ତି । ମାତ୍ର ବର୍ତ୍ତମାନ ବେଳାଭୂମିର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି । ପାରାଦୀପର ବିକାଶ ନିମନ୍ତେ ବେଳାଭୂମିର ଝାଉଁ ଓ ହେନ୍ତାଣ ବଣକୁ ସମ୍ପୂର୍ଣ୍ଣ ସଫା କରି ଦିଆଯାଇଛି । ଯେଉଁ ପରିମାଣରେ ଗଛ କଟା ଯାଉଛି,ସେହି ପରିମାଣରେ ବୃକ୍ଷରୋପଣ ହେଉନାହିଁ । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ,ପାରାଦୀପକୁ ସାଂଘାତିକ ଭାବେ ବିପଦ ରହିଛି ବୋଲି ପରିବେଶବିତମାନେ ମତ ଦିଅନ୍ତିି । ଏହା ସହ ପାରାଦୀପରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସ୍ମୃତିରେ ‘ସ୍ମୃତି ଉଦ୍ୟାନ’ କରାଯାଇଥିଲା । ବର୍ତ୍ତମାନ ଏହି ଉଦ୍ୟାନର ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି । ବହୁ ସ୍ଥାନରେ ଟାଇଲ ଉଠି ଯାଇଥିବା ବେଳେ ଉଦ୍ୟାନରେ ଅଲୋକୀକରଣ ବ୍ୟବସ୍ଥା ମଧ୍ୟ ଠିକ୍ ନାହିଁ । ଫଳରେ ବହୁ ଅସାମାଜିକ ଯୁବକଙ୍କର ସେଠାରେ ଭିଡ଼ ଜମୁଛି । ଏହା ସହ ବ୍ୟାୟାମ କରିବା ପାଇଁ ପାର୍କକୁ ଆସୁଥିବା ଲୋକମାନଙ୍କ ପାଇଁ ପାର୍କକୁ ଆସୁଥିବା ଲୋକମାନଙ୍କ ପାଇଁ ଥିବା ଶୌଚାଳୟରେ ତାଲା ପଡ଼ିଛି ।

କେବଳ ସେତିକି ନୁହେଁ , ଉଦ୍ୟାନରେ ଘାଷ ସଫା ନ ହେବାରୁ ତାହା ବଢ଼ିଯାଇ ଜଙ୍ଗଳ ସୃଷ୍ଟି କଲାଣି । ଏଣୁ ଜନ୍ତୁ ଭୟରେ ଏହି ଉଦ୍ୟାନଙ୍କୁ ଲୋକମାନେ ଯିବା କମ୍ କରିଦେଲେଣି । ମହାବାତ୍ୟାର ଷଣ୍ଢକୁଦ ବସ୍ତିର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଥିଲା । ଏହି ବସ୍ତିକୁ ସଜାଡ଼ିବା ପାଇଁ ପାରାଦୀପ ପୌରପାଳିକା ପକ୍ଷରୁ ବହୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆଜି ବି ମୌଳିକ ସେବାରୁ ଏଠାରେ ରହୁଥିବା ଲୋକମାନେ ବଞ୍ଚିତ ରହିଛନ୍ତି । ସେହିପରି ଅଧିକ କ୍ଷତିଗ୍ରସ୍ତ  ହୋଇଥିବା ଏରସମାର ଅବସ୍ଥା ଆଜି ବି ସୁଧୁରି ନାହିଁ । ଏଣୁ ୨୦ ବର୍ଷ ପରେ ଅସଜଡ଼ା ଥିବା ଏହି ଅଞ୍ଚଳ ଉପରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର