ଥମୁନି ସୁପର ସ୍ପେଶିଆଲିଟି ହସ୍ପିଟାଲ ବିବାଦ, ଉଦ୍‌ଘାଟନର ଦିନକ ପରେ ଧସେଇ ପଶିଲେ ବିକ୍ଷୋଭକାରୀ

କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲେ ଉଭୟ ବିଜେପି ଓ ନାଗରିକ ସୁରକ୍ଷା କମିଟି

ରାଉରକେଲା : ଇସ୍ପାତ ସ୍ନାତକତ୍ତୋର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲର ଲୋକାର୍ପଣ ପରେ ବି ଥମୁନି ବିବାଦ। ମେଡ଼ିକାଲ କଲେଜ ନ ଖୋଲିବା, ଆନୁଷଙ୍ଗିକ ବ୍ୟବସ୍ଥା ଓ ଡାକ୍ତର ନିଯୁକ୍ତି ହୋଇ ନଥିବାବେଳେ ଲୋକାର୍ପଣ କରାଯିବାକୁ କଡା ବିରୋଧ କରିଛନ୍ତି ଦୁଇ ରାଜନୈତିକ ଦଳ ବିଜେଡି ଓ ସିପିଆଇଏମ୍‌ (ସିଟୁ) ତଥା ନାଗରିକ ସୁରକ୍ଷା କମିଟି। ପ୍ରତିବାଦରେ ସୋମବାର ଉଭୟ ଦଳର ଶତାଧିକ ନେତା ଓ କର୍ମୀ ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ। ନେତୃତ୍ବ ନେଇଥିଲେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି, ସିପିଆଇଏମ୍‌ର ବରିଷ୍ଠ ନେତା ଜାହାଙ୍ଗୀର ଅଲ୍ଲୀ, ବିଜେଡିର ନଗର ସଭାପତି ଆର୍ତ୍ତ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ସୁନ୍ଦରରାୟ ଓ ନାଗରିକ ସୁରକ୍ଷା କମିଟିର କର୍ମକର୍ତ୍ତା।

ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଯାଉଥିବା ରୋଗୀଙ୍କ ଠାରୁ ୫୦୦ ଟଙ୍କା ରେଜିଷ୍ଟ୍ରେସନ ଫି’ ଆଦାୟ କରିବାପରେ ସେମାନଙ୍କୁ କାହିଁକି ‘ସେଲ୍’ ପରିଚାଳିତ ଇସ୍ପାତ ଜେନେରାଲ ହସ୍‌ପିଟାଲ (ଆଇଜିଏଚ୍‌)କୁ ରେଫର କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଦାୟିତ୍ବ ଥିବା ଅଧିକାରୀମାନେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଯେପର୍ଯ୍ୟନ୍ତ ଚିକିତ୍ସା ସୁବିଧା ନ ହୋଇଛି ଓ ଉଭୟ ମେଡ଼ିକାଲ କଲେଜ ନ ଖୋଲିଛି ସେ ପର୍ଯ୍ୟନ୍ତ ସୁପର ସ୍ପେଶିଆଲିଟି ହସ୍ପିଟାଲର ବର୍ହିବିଭାଗକୁ ବନ୍ଦ ରଖିବାକୁ ବିକ୍ଷୋଭକାରୀ ଦାବି କରିଥିଲେ। କେବଳ ସେତିକି ନୁହେଁ, ଅଭ୍ୟର୍ଥନା କେନ୍ଦ୍ରରେ ବସିଥିବା କର୍ମଚାରୀଙ୍କୁ ସେମାନେ ତଡିଦେଇଥିଲେ। ଏହି କଥାକୁ ନେଇ ଉଭୟ ହସ୍ପିଟାଲ ଅଧିକାରୀ ଓ ନାଗରିକ ସୁରକ୍ଷା କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ହସ୍ପିଟାଲ ହଟିବେ ନାହିଁ ବୋଲି ବିକ୍ଷୋ‌ଭକାରୀମାନେ ଜିଦ୍‌ ଧରିଥିଲେ। ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀମାନେ ବର୍ହିବିଭାଗର ଆଗରେ ଧାରଣାରେ ବସି ରହିଥିଲେ। ସ୍ଥାନୀୟ ପୁଲିସ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲର ବିଭାଗୀୟ ଉଚ୍ଚ ଅଧିକାରୀ ପହଞ୍ଚି ଧାରଣାରେ ବସିଥିବା ଉଭୟ ସିଟୁ ଓ ବିଜେଡିର ନେତାଙ୍କୁ ବୁଝାସୁଝା କରିଥିଲେ। ଧାରଣାରୁ ହଟିଯିବାକୁ ନିବେଦନ କରିଥିଲେ। ସମାଧାନ ପାଇଁ ସୁପର ସ୍ପେଶିଆଲିଟି ହସ୍ପିଟାଲର ବିଭାଗୀୟ ଅଧିକାରୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। କିନ୍ତୁ ସମାଧାନର କୌଣସି ବାଟ ବାହାରି ନଥିଲା। ଶେଷରେ ବିକ୍ଷୋଭକାରୀମାନେ ଆନ୍ଦୋଳନର ଚେତାବନୀ ଦେଇ ଧାରଣାରୁ ହଟିଯାଇଥିଲେ।

ଅନ୍ୟପକ୍ଷରେ ନାଗରିକ କମିଟିର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଥିଲେ ଉଭୟ ବିଜେପି ଓ ବିଜେପି ସମର୍ଥିତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)। ନାଗରିକ ସୁରକ୍ଷା କମିଟିର ସଦସ୍ୟମାନେ ଚିକିତ୍ସା ବାହାନାରେ ହସ୍ପିଟାଲ ଗେଟ୍‌ ଭିତରେ ପଶି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାର ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଥିଲେ ବିଜେପି ଓ ବିଏମ୍‌ଏସ୍‌ କର୍ମୀ। ଏଭଳି କାଣ୍ଡ ଭିଆଇଥିବା ନେତା ଓ କର୍ମୀଙ୍କ ଗିରଫ ଦାବିରେ ବୀରମିତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ବରେ ଶତାଧିକ କର୍ମୀ ସେକ୍ଟର-୧୯ ଥାନା ଘେରାଉ କରିଥିଲେ। ଲିଖିତ ଏତଲା ଦେଇଥିଲେ। ଘଟଣାରେ ସମ୍ପୃକ୍ତ ନେତା ଓ କର୍ମୀଙ୍କୁ ଗିରଫ ଦାବି କରିଥିଲେ। ବିଧାୟକ ଶଙ୍କର ଓରାମଙ୍କ ସମେତ ବିଏମ୍‌ଏସ୍‌ର ସଭାପତି ହିମାଂଶୁ ବଳ, ବରିଷ୍ଠ ବିଜେପି ନେତା ଦୁର୍ଗା ତନ୍ତୀ, ପ୍ରଫୁଲ ମିଶ୍ର, ପ୍ରଦୋଷ ପଣ୍ଡା, ଉମାକାନ୍ତ ସାମଲ ଓ ଅକ୍ଷୟ ଧଳ ପ୍ରମୁଖ ସାମିଲ ହୋଇଥିଲେ। ଥାନା ଅଧିକାରୀ ହସ୍ପିଟାଲରେ ଲାଗିଥିବା ସିସି ଟିଭି ଫୁଟେଜ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ବିଧାୟକ ଶ୍ରୀ ଓରାମ ଓ ବିଜେପି ନେତାମାନେ ଆନ୍ଦୋଳନରୁ ହଟିଥିଲେ।

ଅନୁରୂପ ଭାବେ ନାଗରିକ ସୁରକ୍ଷା କମିଟିର ନେତା ଓ କର୍ମୀମାନେ ସେକ୍ଟର-୧୯ ଥାନା ଘେରାଉ କରିଥିଲେ। ସହରବାସୀଙ୍କୁ ପ୍ରତାରଣା କରାଯାଇଥିବାରୁ ଆରଏସ୍‌ପି କର୍ତ୍ତୃପକ୍ଷ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଅତିରିକ୍ତ ଏସ୍‌ପି ମ‌ୋହନ ପାଣି କାରୁଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଥାନାରେ ପହଞ୍ଚି ଉଭୟ ପକ୍ଷରୁ ବୁଝାସୁଝା କରିଥିଲେ ହେଁ ସମାଧାନର କୌଣସି ବାଟ ବାହାରି ନାହିଁ।

ସମ୍ବନ୍ଧିତ ଖବର