ବ୍ରଜରାଜନଗର : ଭୋଜପୁରୀ ସୁପରଷ୍ଟାର ତଥା ଦିଲ୍ଲୀ ବିଜେପି ସଭାପତି ସାଂସଦ ମନୋଜ ତିୱାରୀ ଆଜି ବ୍ରଜରାଜନଗରରେ ରୋଡ୍ସୋ’ କରିଛନ୍ତି। ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଝାରୀ ଏବଂ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଗତକାଲି ବ୍ରଜରାଜନଗରରେ ବିଜେଡି ପକ୍ଷରୁ ବଲିଉଡ୍ ଷ୍ଟାର ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀ ପ୍ରଚାର କରିଥିଲେ। ଦିନକ ପରେ ବିଜେପିର ଏହି ପ୍ରଚାର ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ୫୦୦ ବାଇକ୍ ଓ ୬୦ରୁ ଅଧିକ ଚାରିଚକିଆ ଗାଡ଼ି ଶୋଭାଯାତ୍ରାରେ ସାମିଲ ଥିଲେ। ସେମାନେ ଶ୍ରୀ ତିୱାରୀଙ୍କୁ ବରଘାଟରୁ ବାଇକ୍ ରାଲିରେ ପାଛୋଟି ଆଣିଥିଲେ। ରୋଡ୍ ସୋ’ ଗାନ୍ଧୀ ଛକରୁ ବାହାରି ମଣ୍ଡଳିଆ, ଗୁରୁବାର ବଜାର ଲମଟିବାହଲ, ଗୁଆଲାପଡା, ଓପିଏମ କଲୋନି ଦେଇ ଓପିଏମ ବାଳିକା ହାଇସ୍କୁଲ ସମ୍ମୁଖରେ ଥିବା ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ କାର୍ଯ୍ୟାଳୟକୁ ଯାଇଥିଲା। ସେଠାରେ ଅପେକ୍ଷାରତ କିଛି ଅଣଓଡ଼ିଆ ଭୋଟରଙ୍କ ସହିତ ଆଲୋଚନା କରି ବିଜେପିକୁ ଭୋଟ ଦେବାକୁ ଶ୍ରୀ ତିୱାରୀ କହିଥିଲେ। ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ସେ କହିଥିଲେ। ‘ବ୍ରଜରାଜନଗରରେ ଭଉଣୀ ରାଧାରାଣୀଙ୍କୁ ପୁଣି ଥରେ ବିଧାୟିକା ରୂପେ ନିର୍ବାଚିତ କରନ୍ତୁ’ ବୋଲି ନିବେଦନ କରିଥିଲେ। ସେହିଭଳି, ସୁେରଶଙ୍କ ସପକ୍ଷରେ ଭୋଟ ମାଗି ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଓଡ଼ିଶାରୁ ଅଧିକରୁ ଅଧିକ ବିଜେପି ସାଂସଦ ପଠାନ୍ତୁ ବୋଲି କହିଥିଲେ।
ଏହାପୂର୍ବରୁ ଦିଲ୍ଲୀରୁ ଆସିବା ବେଳେ ଝାରସୁଗୁଡା ବିମାନବନ୍ଦରରେ ସୁଶୀଲ ପୁରୋହିତଙ୍କ ସମେତ ଅନୀଲ ନାୟକ, ପବନ ସେକସେରିଆ ଓ ରୁକ୍ମଣ ଧୁରୁଆ ପ୍ରମୁଖ ଶ୍ରୀ ତିୱାରୀଙ୍କୁ ସ୍ବାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/SBPHO14-BRJN.jpg)