୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଗଲାବେଳେ ଭିଜିଲାନସ ହାତରେ ଧରାପଡିଲେ ଅଧୀକ୍ଷଣ ଯନ୍ତ୍ରୀ

ଘର, ଅଫିସ ସହ ଅନ୍ୟ ସ୍ଥାନରେ ମଧ୍ୟ ଚଢଉ ଚାଲିଛି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଆଶିଷ କୁମାର ଦାସ ଭିଜିଲାନସ ଜାଲରେ ଫସିଛନ୍ତି। ଆଜି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସ୍ଥାନୀୟ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶ୍ରୀ ଦାସଙ୍କୁ କାବୁ କରାଯାଇଛି। ଏଥିସହ ଶ୍ରୀ ଦାସଙ୍କ କ୍ବାଟର ଏବଂ ଅଫିସରେ ମଧ୍ୟ ଚଢାଉ କରାଯାଇଛି। ବର୍ତ୍ତମାନ ମାର୍ଚ୍ଚ ମାସ ଚାଲିଥିବା ବେଳେ କାମଗୁଡିକର ବିଲ କରି ପିସି ଟଂକା ଆଦାୟ କରାଯାଇଥିବା ଜଣାପଡିଛି। ଏତେ ଟଙ୍କା କାହିଁକି ଏବଂ କେଉଁଠାରୁ ସଂଚୟ କରି ଜମା କରିବାକୁ ଯାଉଥିଲେ ସେନେଇ କୌଣସି ସଠିକ ସୂଚନା ଭିଜିଲାନସ ବିଭାଗକୁ ଶ୍ରୀ ଦାସ ଦେଇପାରିନଥିବା ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ତିନି ଦିନ ହେଲା ଭିଜିଲାନସ ବିଭାଗ ପକ୍ଷରୁ ଶ୍ରୀ ଦାସଙ୍କ ଉପରେ ଚଢାଉ କରିବାକୁ ଅପେକ୍ଷା କରି ରହିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନସ ଡିଏସପି ଏବଂ ତାଂକ ଟିମ ଏହି ଚଢଉ କରିଥିଲେ। ଏଥିରେ ଜୟପୁର ଏବଂ ନବରଂଗପୁର ଭିଜିଲାନସ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ଶ୍ରୀ ଦାସଙ୍କ ମାଲକାନଗିରିସ୍ଥିତ କ୍ବାର୍ଟରରେ ଚଢାଉ କରାଯିବା ବେଳେ ମଧ୍ୟ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ତେବେ ତଦନ୍ତ ଚାଲୁଥିବାରୁ ଡିଏସପି ଏନେଇ ସୂଚନା ପ୍ରଦାନ କରିନଥିଲେ। ତଦନ୍ତ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ମଧ୍ୟ ଭିଜିଲାନସ ବିଭାଗ ନିକଟରେ ଖବର ରହିଥିଲା ବୋଲି ସୂଚନା ମିଳିଛି। ଶ୍ରୀ ଦାସଙ୍କୁ ଧରିବାକୁ ଭିଜିଲାନସ ଛକି ରହିଥିଲା। ଶ୍ରୀ ଦାସଙ୍କ ପୈତୃକ ଘରେ ମଧ୍ୟ ଚଢଉ କରାଯିବ ବୋଲି କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ ଭିଜିଲାନସ ଜାଲରେ ପଡିଥିଲେ। ସେ ମଧ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ। ଶ୍ରୀ ଦାସଙ୍କ ଆୟବର୍ହିଭୁତ ଟଂକା ନେଇ ଭିଜିଲାନସ ଖୋଳତାଡ କରୁଛି। ତଦନ୍ତ ପରେ ଶ୍ରୀ ଦାସଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି କେତେ ରହିଛି ଜଣାପଡିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର