ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ ହୋଇ ଏବେ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ। ଭିଜିଲାନ୍ସ ତାଙ୍କ ଦୁର୍ନୀତିର ଚିଠା ଖୋଲିବାକୁ ପତ୍ନୀ ରୁନୁ ବେହେରା ଓ ଭାଇଙ୍କ ଠିକାକାମର ତଦନ୍ତ କରିବାକୁ ଯୋଜନା କରିଛି। ଶ୍ରୀ ବେହେରା ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ଭାବେ ଥିଲାବେଳେ ତାଙ୍କ ବିରୋଧରେ ମାଳମାଳ ଦୁର୍ନୀତି ଅଭିଯୋଗ ଆସିଥିଲା। ବିଭାଗୀୟ କାର୍ଯ୍ୟ ନାମରେ ସେ କୋଟି କୋଟି ଟଙ୍କାର ଠିକା କାମ ନିଜ ସଂପର୍କୀୟଙ୍କ ଦ୍ବାରା କରିବା ସହ ଅନେକ ପୁରୁଣା କାମକୁ ନୂଆ ଦର୍ଶାଇ ଲକ୍ଷାଧିକ ଟଙ୍କା ବିଲ୍‌ ଉଠାଇ ନେବା ଭଳି ଗୁରୁତର ଅଭିଯୋଗ ରହିଥିଲା। ୨୦୧୭-୧୮ ଓ ୨୦୧୯-୨୦ ବର୍ଷରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ୧୭୬ କୋଟି ୬୦ ଲକ୍ଷର ଟେଣ୍ଡର କରାଯାଇଥିବାବେଳେ ସେହି ବର୍ଷରେ ବିଭାଗୀୟ ସମ୍ପାଦନରେ (ଡିପାର୍ଟମେଣ୍ଟାଲ) ୧୦୯ କୋଟି ୭୭ ଲକ୍ଷ ଟଙ୍କାର କାମ କରାଯାଇଥିଲା।

Advertisment

ବିଭାଗୀୟ କାମରେ ହିଁ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସ ଉନ୍ନତି ଓ ମରାମତି ନାମରେ ମିଥ୍ୟା ବିଲ୍ କରି ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିଲା। ଏହି ସମୟରେ ଯନ୍ତ୍ରୀ ଶ୍ରୀ ବେହେରା ତାଙ୍କ ସ୍ତ୍ରୀ ଓ ଭାଇଙ୍କ ନାଁରେ ଠିକାଦାର ଲାଇସେନ୍ସ ତିଆରି କରି ଠିକା କାମ କରିଥିଲେ। ପତ୍ନୀଙ୍କ ନାମରେ  ୧.୧୮ କୋଟି ଟଙ୍କାର ସର୍ବଶିକ୍ଷା ଅଭିଯାନର ସ୍କୁଲ ନିର୍ମାଣ କାମ ଓ ଭାଇ ନାମରେ ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରୁ ୧୦ କୋଟିର କାମ କରିଥିଲେ। ଅତି ନିକୃଷ୍ଟମାନର କାମ କରି ଏଥିରୁ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ରହିଛି। ଭିଜିଲାନ୍ସ ଏହାର ତଦନ୍ତ କରି ସରକାରୀ ଅର୍ଥ ଲୁଟ୍‌ର ପର୍ଦ୍ଦାଫାସ କରିବ ଓ ଏଥିରେ ପରିବାର ସଦସ୍ୟଙ୍କ ସମ୍ପୃକ୍ତିକୁ ମଧ୍ୟ ସାମନାକୁ ଅଣାଯିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି।