୧ଘଣ୍ଟାରୁ ଅଧିକ ସମୟ ପାଇଁ ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର : ଚଳିତମାସ ୩୧ତାରିଖରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହିଦିନ ସୁପର ମୁନ୍‌ ଓ ନୀଳ-ଲାଲ ଜହ୍ନ ସହିତ ଚନ୍ଦ୍ରଗ୍ରହଣ ମଧ୍ୟ ହେବ। ସଂଧ୍ୟାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁଥିବାରୁ ଚନ୍ଦ୍ର ଏଭଳି ଲାଲ ରଂଗର ଦେଖାଯିବ। ୧ଘଣ୍ଟାରୁ ଅଧିକ ସମୟ ଧରି ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ପ୍ରାୟ ୧୫୦ବର୍ଷ ପରେ ବିଶ୍ୱବାସୀ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇବେ।

Advertisment

ପଠାଣିସାମନ୍ତ ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବାନୁଯାୟୀ, ଚଳିତମାସ ୩୧ ତାରିଖରେ ସଂଧ୍ୟାରେ ପୂର୍ବ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ। ସଂଧ୍ୟା ୬ଟା ୨୧ ମିନିଟ୍‌ରୁ ୭ଟା ୩୭ ମିନିଟ୍‌ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ। ଚନ୍ଦ୍ର ମଳିନ ଲାଲ ରଂଗର ଦେଖିବାକୁ ମିଳିବ। ସଂଧ୍ୟା ୭ଟା ୩୭ ମିନିଟ୍‌ ପରେ ଚନ୍ଦ୍ର ଉପରୁ ଧୀରେ ଧୀରେ ପୃଥିବୀର ଛାଇ ଅପସାରିତ ହୋଇ ସଂଧ୍ୟା ୮ଟା ୩୧ ମିନିଟ୍‌ ପରେ ଚନ୍ଦ୍ରଟି ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ।

ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଅପରାହ୍‌ଣ ୪ଟା ୨୧ ମିନିଟ୍‌ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍‌ଣ ୪ଟା ୨୧ମିନିଟରେ ପ୍ରବେଶ କରିବ ଓ ରାତି ୯ଟା ୩୮ମିନିଟ୍‌ ସମୟରେ ଉପଛାୟାରୁ ସଂପୂର୍ଣ୍ଣ ବାହାରିଯିବ। ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍‌ଣ ୫ଟା ୧୮ମିନିଟ୍‌ରେ ପ୍ରବେଶ କରିବ ଓ ରାତି ୮ଟା ୩୧ ମିନିଟ୍‌ ସମୟରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ।

ଶ୍ରୀ ପଟ୍ଟନାୟକ ଆହୁରିମଧ୍ୟ କହିଛନ୍ତି ଯେ, ଗୋଟିଏ ମାସରେ ୨ଥର ପୂର୍ଣ୍ଣିମା ହେଲେ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍‌ କୁହାଯାଇଥାଏ। ଜାନୁଆରି ମାସରେ ୨ଟି ପୂର୍ଣ୍ଣିମା ଥିବାରୁ ଏପରି ହେଉଛି। ଫେବ୍ରୁଆରି ମାସରେ କୌଣସି ପୂର୍ଣ୍ଣିମା ନାହିଁ। ମାର୍ଚ ମାସରେ ପୁଣିଥିରେ ୨ଟି ପୂର୍ଣ୍ଣିମା ପଡୁଛି। ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍‌ କୁହାଯିବ। ୩୧ତାରିଖ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଲୋକମାନେ ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ ବୋଲି ସେ ସୂଚନା ଦେଇଛନ୍ତି।