ବସ୍ତା-୨: ଡାଆଣି ସଂଦେହକୁ ନେଇ ଗୋଟିଏ ପରିବାର ଦହଗଂଜ ହେଉଛି। ଜଣେ ପୁଅଙ୍କ ସହ ପତିପତ୍ନୀ ଗାଁ ଛାଡ଼ି ଅନ୍ୟତ୍ର ରହୁଥିବା ବ‌େଳେ ତିନିପୁଅ ଗ୍ରାମବାସୀଙ୍କ ନିର୍ଯାତନା ଭୋଗୁଛନ୍ତି।
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ଆନ୍ଦିପୁର ଗ୍ରାମରେ ଜଟା ମୁର୍ମୁ ପତ୍ନୀ ଓ ୬ ପୁଅଙ୍କ ସହ ରହୁଥିଲେ। ତେବେ ଗାଁ ଲୋକ ଜଟା ଓ ତାଙ୍କ ପତ୍ନୀ ଡାଆଣି ବିଦ୍ୟା ଜାଣିଥିବା ନେଇ ସଂଦେହ କରୁଥିଲେ। ଏପରି ସମୟରେ ଜଟାଙ୍କ ଜଣେ ପୁଅ କୌଣସି କାରଣରୁ ମୃତ୍ୟୁବରଣ କଲେ। ସେହି ସମୟରେ ଗ୍ରାମର ଆଉକିଛି ଲୋକଙ୍କ ଜ୍ବର ହୋଇଥିଲା। ଡାଆଣି ବିଦ୍ୟା ବଳରେ ନିଜ ପୁଅକୁ ମାରିଥିବା ବେଳେ ଗାଁ ଲୋକଙ୍କୁ ମଧ୍ୟ ମାରିଦେବେ କହି ଗ୍ରାମବାସୀ ଜଟାଙ୍କ ପରିବାରକୁ ବାସନ୍ଦ କରିଥିଲେ।

Advertisment

ଏପରି ସମୟରେ ଜଟାଙ୍କ ଅନ୍ୟଜଣେ ପୁଅ ‌ରୋଗରେ ପଡ଼ି ମୃତ୍ୟୁବରଣ କଲେ। ଫଳରେ ଗ୍ରାମବାସୀ ଜଟା ଓ ତାଙ୍କ ପତ୍ନୀ ଡାଆଣି ବିଦ୍ୟା ପାଇଁ ପୁଅର ଜୀବନ ନେଇଥିବା ଅଭିଯୋଗ କରି ସେମାନଙ୍କୁ ଗାଁ’ରୁ ବାସନ୍ଦ କରିଦେଲେ। ଫଳରେ ଜଟା ପତ୍ନୀ ଓ ସାନପୁଅ ସହ ବସ୍ତା ଟିକିରାପଡ଼ାରେ ଏକ ଝୁମ୍ପୁଡ଼ି ଘର କରି ୧୦ ବର୍ଷ ହେଲା ରହୁଛନ୍ତି। କିଛିଦିନ ତଳେ ଗାଁ’ରେ ଥିବା ପୁଅଙ୍କ ମଧ୍ୟରୁ ସମରାୟ ନାମକ ଜଣେ ପୁଅଙ୍କ ଏକ ସନ୍ତା‌ନ ବସ୍ତା ଡାକ୍ତରଖାନାରେ ଜନ୍ମ ହୋଇଥିଲା। ଜଟା ଓ ତାଙ୍କ ପତ୍ନୀ ଛୁଆକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ। ଏ କଥା ଜାଣିବା ପରେ କିଛି ଲୋକ ସମରାୟଙ୍କୁ ମାନସିକ ନିର୍ଯାତନା ଦେବା ସହ ଗାଁ ଛାଡ଼ି ପଳାଇବାକୁ କହିଥିଲେ। ଫଳରେ ଜଟା ଗତ ୬ ତାରିଖ ଦିନ ଏବଂ ସମରାୟ ଗତ ୧୦ ତାରିଖ ଦିନ ବସ୍ତା ଥାନାରେ ଜଣେ ଶିକ୍ଷକ, ଜଣେ ସିଆର୍‌ସିସି ଏବଂ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲେ। ସେହିପରି ଏସ୍‌ପିଙ୍କୁ ମଧ୍ୟ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବସ୍ତା ଥାନା ଅଧିକାରୀ ଅମର୍ଦ୍ଦାରୋଡ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର କୁଜରଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ।

ତଦନ୍ତ କରାଗଲା, ଥାନାରେ ମାମଲା ହେଲା; କିନ୍ତୁ ଏଯାଏ କିଛି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଗଲା ନାହିଁ। ଯାହାକୁ ନେଇ ଜଟାଙ୍କ ପରିବାର ମନସ୍ତାପରେ ଅଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି; ଆନ୍ଦିପୁର ଗାଁ’ରେ ଜଟାଙ୍କ ଏକ ବ୍ୟକ୍ତିଗତ ଜମି ରହିଛି। ସେହି ଜମି ଉପରେ ଗୋଟିଏ ସାହିକୁ ରାସ୍ତା ଅଛି। ଜଟା ଉକ୍ତ ଜମିକୁ ଦଖଲରେ ରଖିବାକୁ ଚାହୁଁଥିବା ବେଳେ ଗ୍ରାମର କିଛି ଲୋକ ତାଙ୍କୁ ଓ ତାଙ୍କ ପୁଅମାନଙ୍କୁ ଗାଁ’ରୁ ବାହାର କରି ଉକ୍ତ ଜମି ଉପରେ କୁଆଡ଼େ ସ୍ଥାୟୀ ରାସ୍ତା ତିଆରି କରିବାକୁ ‌ଷଡ଼୍‌ଯନ୍ତ୍ର ଚଳାଇଛନ୍ତି।