ମହାକାଳପଡ଼ା: ବିଜ୍ଞାନର ଅଗ୍ରଗତି ସତ୍ତ୍ବେ ଗ୍ରାମାଞ୍ଚଳରେ ଲୋକମାନେ ଅନ୍ଧବିଶ୍ୱାସ କବଳରୁ ମୁକୁଳି ପାରିନାହାନ୍ତି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବିଜୟନଗର ଗ୍ରାମରେ। ଗ୍ରାମର ଜଣେ ଗର୍ଭବତୀ ମହିଳା ରୋଗରେ ପଡ଼ି ପ୍ରାଣ ହରାଇବା ପରେ ତାଙ୍କ ପେଟକୁ ଧାରୁଆ ଅସ୍ତ୍ରରେ ଚିରି ଦିଆଯାଇଥିଲା। ଏହାପରେ ମୃତଦେହକୁ ନିର୍ଜନ ସ୍ଥାନରେ ଏକ ଗଛକୁ ଡେରି ବସାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ସୂଚନା ମୁତାବକ, ବିଜୟନଗର ଗ୍ରାମର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ମାସର ଗର୍ଭବତୀ ଥିଲେ। ଏହା ତାଙ୍କର ଦ୍ୱିତୀୟ ଗର୍ଭ ଥିଲା। ତେବେ ମଧୁମେହ ରୋଗରେ ଆକ୍ରାନ୍ତ ଥିବାରୁ ପଦ୍ମିନୀଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମିନୀଙ୍କ ମୃତ୍ୟୁ ଘଟିଥିଲା। ସୋମବାର ତାଙ୍କ ମୃତଦେହ ଘରକୁ ଅଣାଯାଇଥିଲା। ରାତି ପ୍ରାୟ ୮ଟାରେ ଗ୍ରାମଠାରୁ କିଛିଦୂର ସୁନ୍ଦରାପାଳ ଜମି ଭେଡ଼ା ନିକଟ ଗୋବରୀ ନଦୀକୂଳରେ ଥିବା ଏକ ଗଛମୂଳେ ପଦ୍ମିନୀଙ୍କ ମୃତଦେହକୁ ଡେରି ବସାଇ ଦିଆଯାଇଥିଲା। ଏପରି କି ତାଙ୍କ ପେଟ ଚିରି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଗର୍ଭବତୀ ମହିଳାଙ୍କ ପେଟକୁ ନ ଚିରିଲେ ସେ ଚିରିଗୁଣି ହୋଇଯିବ ବୋଲି ଅଞ୍ଚଳରେ ଅନ୍ଧବିଶ୍ବାସ ରହିଛି। ଏହି କାରଣରୁ ମୃତ ମହିଳାଙ୍କ ପେଟକୁ ଚିରି ଦିଆଯାଇଥିବା କୁହାଯାଉଛି। ଏହି ଘଟଣା ପ୍ରଚାର ହେବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଥିଲା। ତେବେ କେତେକ ସ୍ବେଚ୍ଛାସେବୀ, ସାମ୍ବାଦିକ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ବୁଝାଇବା ପରେ ସେମାନେ ମୃତଦେହ ଆଣି ଗୋବରୀ ନଦୀକୂଳରେ ପୋତି ଦେଇଥିବା ଜଣାପଡ଼ିଛି।