ନାରାୟଣପାଟଣା: ଗ୍ରାମଦେବୀ କୋପ କରିଛନ୍ତି। ତେଣୁ ଗାଁରେ ଅକାଳ ମୃତ୍ୟୁର ଭୟ। ଗ୍ରାମବାସୀଙ୍କ କଡ଼ା ନିଷ୍ପତ୍ତି। ୮ଦିନ ପାଇଁ ଗାଁକୁ ପ୍ରବେଶ ମନା। ଏହି ୮ଦିନ ଗ୍ରାମବାସୀ ବି ଗାଁ ବାହାରକୁ ଯିବେ ନାହିଁ। ଆଦିବାସୀ ଆସ୍ଥା ଓ ବିଶ୍ବାସର ଏମିତି ଅଜବ ଚିତ୍ର କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଦେଖିବାକୁ ମିଳିଛି। ଅନ୍ୟପଟେ ମା’ ଝାଙ୍କରୀ ଦେବୀଙ୍କ କୋପ ଶାନ୍ତି କରିବାକୁ ଗ୍ରାମବାସୀ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି।
ଅକାଳ ମୃତ୍ୟୁ ରୋକିବାକୁ ପ୍ରବେଶ ମନା
ବାଉଁଶ ବାନ୍ଧି ରାସ୍ତା ବନ୍ଦ କଲେ ଗ୍ରାମବାସୀ
ଚଳିତ ବର୍ଷ ଗାଁରେ ୮ଜଣଙ୍କ ଅକାଳ ମୃତ୍ୟୁ ହୋଇଛି। ଏଭଳି ମୃତ୍ୟୁ ପାଇଁ ଦୈବିଶକ୍ତିଙ୍କ ପ୍ରକୋପ ରହିଥିବା ଗ୍ରାମବାସୀ ବିଶ୍ବାସ କରୁଛନ୍ତି। ଗାଁର ଇଷ୍ଟଦେବୀ ମା’ ଝାଙ୍କରୀ କାଳେ ରାଗିଛନ୍ତି ଓ ଗାଁ ଛାଡ଼ିଛନ୍ତି। ମା’ଙ୍କ କୃପାଦୃଷ୍ଟି ନଥିବାରୁ ଗାଁରେ ଦୁଃଖଶୋକର ବାତାବରଣ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅନୁମାନ କରିଥିଲେ। ତେଣୁ ମା’ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ଫେରାଇ ଆଣିବାକୁ ଚଳିତ ସପ୍ତାହରେ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ପ୍ରତ୍ୟେକ ଘରୁ ଚାନ୍ଦା ସଂଗ୍ରହ କରି ମା’ଙ୍କୁ ସନ୍ତୁଷ୍ଟ କରିବାକୁ ଜଣେ ବେଜୁଣୀ ଦ୍ବାରା ପୂଜାର୍ଚ୍ଚନା କରାଇଥିଲେ। ଆଦିବାସୀ ପରମ୍ପରାରେ ପୂଜାର୍ଚ୍ଚନା, ସଂକୀର୍ତ୍ତନ ସହ ଗାଁରେ ଭୋଜିଭାତ ହୋଇଥିଲା। ମା’ ଏବେ ଗାଁକୁ ଫେରି ପୁଣି କୃପାଦୃଷ୍ଟି ପକାଇଥିବା ଗ୍ରାମବାସୀ କହୁଛନ୍ତି। ତେବେ ମା’ଙ୍କ ଆଶୀର୍ବାଦ ପାଇଁ ଅଜବ କଟକଣା ଗାଁରେ ଲାଗୁ କରାଯାଇଛି।
ପୂଜାର୍ଚ୍ଚନା ଯୋଗୁଁ ଯଦିଓ ମା’ ଗାଁକୁ ଫେରିଛନ୍ତି। କିନ୍ତୁ ୮ଦିନ ପର୍ଯ୍ୟନ୍ତ ଯଦି ଗାଁରୁ କେହି ବାହାରକୁ ଯିବେ କିମ୍ବା ଗାଁ ବାହାର କୌଣସି ବ୍ୟକ୍ତି ଗାଁରେ ପ୍ରବେଶ କରିବେ ତେବେ ମା’ ପୁଣି ରୁଷ୍ଟ ହେବେ। ଗାଁର ଅନିଷ୍ଟ ହେବ ବୋଲି ଗ୍ରାମବାସୀ କହିଛନ୍ତି। ଯଦି କେହି କଟକଣା ମାନିବେ ନାହିଁ ତେବେ ଅକାଳ ମୃତ୍ୟୁ ସୁନିଶ୍ଚିତ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିପାଇଁ ଗାଁ ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଛନ୍ତି। ଏପରିକି ପ୍ରବେଶ ପଥରେ ପୋଷ୍ଟର ଲଗାଇ ଗ୍ରାମବାସୀଙ୍କ ନିଷ୍ପତ୍ତି ସଂପର୍କରେ ଗାଁ ବାହାର ଲୋକଙ୍କୁ ସତର୍କ କରାଇଛନ୍ତି। ଏହା ହେଉଛି ପୂର୍ବ ପୁରୁଷରୁ ପ୍ରଚଳିତ ହୋଇ ଆସିଥିବା ପ୍ରଥା। ଆମେ ଆଦିବାସୀ, ଆମ ପରମ୍ପରାକୁ ଛାଡିପାରିବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/fshhfshfsxbbvbv-2025-11-04-00-44-27.jpg)