ଯାଜପୁର : ଓଡ଼ିଶା ବିକାଶର ମ‌ଡେଲ ଯାଜପୁର ବୋଲି କୁହାଯାଉଛି। ଅଥଚ ଯାଜପୁର ଜିଲ୍ଲା‌‌‌ରେ ଅବସ୍ଥିତ ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସର୍ବାଧିକ କ୍ରୋମାଇଟ୍ ଗଚ୍ଛିତ କାଳିଆପାଣି କ୍ରୋମ ଉପତ୍ୟକା ଅଞ୍ଚଳରେ ଅପପୁଷ୍ଟି ଓ ବାଲ୍ୟବିବାହ ଭଳି କଳଙ୍କ ସରକାରୀକଳ ଓ କର୍ପୋରେଟ୍ ହାଉସର ବିକାଶମୁଖୀ କାର୍ଯ୍ୟରେ ପ୍ରଶ୍ନବାଚୀ ଲଗାଇ ଦେଇଛି।

Advertisment

ଶନିବାର ଦିନ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ରାଜ୍ୟର ସବୁଠାରୁ ଅଧିକ ସଚେତନ ଜିଲ୍ଲା ଯାଜପୁର ମଧ୍ୟ ୧୯୯୩ ଆଜିର ତାରିଖରେ ଜନ୍ମଲାଭ କରିଥିଲା। ଏଥି ମଧ୍ୟରେ ଯାଜପୁର ଜିଲ୍ଲାର ମାନ୍ୟତା ପାଇବ‌ାର ୩୦ ବର୍ଷ ‌ବିତିଯାଇଥିଲେ ହେଁ ସମସ୍ତ ଜିଲ୍ଲାବାସୀଙ୍କ ନିକଟରେ ଉତ୍ତମ ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଜୀବିକା ପାଇଁ ବ୍ୟବସ୍ଥା ହୋଇପାରିଲାନାହିଁ। ଏପରିକି ବିଶୁଦ୍ଧ ପାନୀୟ ଜଳ ମଧ୍ୟ ସମସ୍ତଙ୍କ ନିକଟରେ ପହଞ୍ଚିପାରି ନାହିଁ। ସରକାରୀ କଳର ସୁପରିଚାଳନାରେ ଚରମ ଅବ୍ୟବସ୍ଥା ଜିଲ୍ଲା ତଥା ଜିଲ୍ଲାବାସୀଙ୍କର ସର୍ବାଙ୍ଗୀନ ଉନ୍ନତିରେ ସେପରି ଆଖିଦୃଶିଆ ହୋଇପାରି ନାହିଁ। ଫଳରେ ସମୃଦ୍ଧ ଯାଜପୁର ଜିଲ୍ଲାବାସୀ ଏବେ ବି ଦାଦନ ଖଟିବାକୁ ଯାଉଥିବା ବେଳେ ଖାଦ୍ୟ ଅଭାବରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ‌ପାଲିଟିଛି।

publive-image

୨୦୧୬ ମସିହାର ନଗଡା ଭଳି ଦୁର୍ଗମ ଅଞ୍ଚଳରେ ଅପପୁଷ୍ଟିରେ ୧୯ଶିଶୁଙ୍କ ଅକାଳ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ବିକାଶ ଉପରେ କଳାଦାଗ ଲଗାଇ ଦେଲା। ଏଥି ମଧ୍ୟରେ ୭ ବର୍ଷ ବିତିଗଲା ପରେ ବି ସେଠାରେ ଅପପୁଷ୍ଟି, ବାଲ୍ୟ ବିବାହ ଘଟଣା ବାରମ୍ବାର ବିଭିନ୍ନ ସମୟରେ ‌ଘଟୁଛି। ଯାହାକି ସରକାରଙ୍କର ଯୋଜନା ଓ ସରକାରୀ କଳର କାର୍ଯ୍ୟଦକ୍ଷତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି।

୧୩ଟି ଇସ୍ପାତ କାରଖାନା ଓ ୩ଟି ସମେଣ୍ଟ କାରଖାନା ସହିତ ଅନେକ ଏମଏସଏମଇ କାରଖାନାକୁ ମୁଣ୍ଡ ଟେକିଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ପାର୍ଶ୍ବର ଏକାଧିକ ଇଲାକାରେ ଅପପୁଷ୍ଟି ଦେଖାଦେଇଛି। ଶିଶୁଙ୍କୁ ଉଦ୍ଧାର କରାଯିବା ଘଟଣା ଚିନ୍ତାଜନକ ହୋଇଛି। ଶିଳ୍ପାଞ୍ଚଳ ଦାନଗଦି ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତର ଘାଟିସାହିରେ ବାଙ୍କୁ ହେମ୍ବ୍ରମଙ୍କ ଏକ ଶିଶୁ ଅପପୁଷ୍ଟିରେ ମୃତ୍ୟୁବରଣ ଓ ଅନ୍ୟ ଏକ ଶିଶୁ ଅପପୁଷ୍ଟିରେ ପୀଡିତ ହୋଇ କଟକ ଶିଶୁଭବନରେ ଚିକିତ୍ସିତ। ଯାହାର ଅନୁସନ୍ଧାନ ପାଇଁ ଖାଦ୍ୟ ଆୟୋଗଙ୍କ ପ୍ରତିନିଧି ଆସି ସମ୍ପୃକ୍ତ ପରିବାରକୁ ରାସନକାର୍ଡ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଫେରିଛନ୍ତି। ଏବେ ପୁଣି ଶାଳିଜଙ୍ଗା ପଞ୍ଚାୟତର ଗଣ୍ଡାସାହି ଗ୍ରାମରେ ଚେଙ୍ଗ ସମାଡ ଓ କାଇରୀ ସମାଡଙ୍କ ଝିଅ ସାଗୀ ସମାଡ (୨ବର୍ଷ) ଅପପୁଷ୍ଟି ପୀଡିତ। ଏହି ପରିବାର ଚାରି ଜଣ ଶିଶୁ ସହିତ ମୋଟ ଛଅ ଜଣ ସଦସ୍ୟ ବିଶିଷ୍ଟ ପରିବାରଙ୍କର ମଧ୍ୟ ରାସନକାର୍ଡ ନାହିଁ। ଘାଟିସାହିର ବାଙ୍କୁ ହେମ୍ବ୍ରମଙ୍କ ପରିବାର ପରି ଭୋକ ଉପବାସରେ ଦିନ କାଟୁଛନ୍ତି।

ଅସଚେତନ ଚେଙ୍ଗ ପରିବାର ଅପପୁଷ୍ଟି ଶିକାର ଶିଶୁଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ବାର ଶିକାର ହୋଇ ପେଟରେ ଚେଙ୍କ ଦେଉଥିବାର ଦେଖିବାକୁ ମିଳିଛି। ହଜାର ହଜାର କୋଟି ଟଙ୍କା ରାଜସ୍ବ ବିନିଯୋଗ ହୋଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ନେଇ ସରକାର ଗର୍ବ କରୁଥିବା ବେଳେ ପୁଳାପୁଳା ଅପପୁଷ୍ଟି ଘଟଣା ତୃଣମୂଳରେ ଓଡ଼ିଶାବାସୀଙ୍କ ବିକାଶ ନେଇ ପ୍ରଶ୍ନ ଉଠିଛି। ଓଡ଼ିଶା ବିକାଶର ମଡ଼େଲ କୁହାଯାଉଥିବା ଯାଜପୁର ଜିଲ୍ଲାବାସୀଙ୍କର ଏଭଳି ସଙ୍ଗୀନ ସ୍ଥିତିକୁ‌ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉ‌ଦ୍‌ବେଗ ପ୍ରକାଶ ପାଇଛି। ଯାଜପୁର ବିକାଶ ସହିତ ଯାଜପୁରିଆଙ୍କ ବିକାଶରେ ଆକାଶ ପାତାଳ ଫରକ୍ ବୋଲି ଚର୍ଚ୍ଚା ହେଉଛି।