୧୦ ଲକ୍ଷ ଜମା କରିବାକୁ ଗଲାବେଳେ ଅଧୀକ୍ଷଣ ଯନ୍ତ୍ରୀ ଧରାପଡ଼ିଲେ

ବ୍ୟାଙ୍କ୍‌ ଦୁଆର ମୁହଁରୁ କାବୁ କଲା ଭିଜିଲାନ୍ସ
ଘର, ଅଫିସ ସହ ଅନ୍ୟସ୍ଥାନରେ ମଧ୍ୟ ଚାଲିଛି ଚଢ଼ଉ

ମାଲକାନଗିରି : ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ କୁମାର ଦାସ। ଶୁକ୍ରବାର ଦିନ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି ଏକ ଅଟୋ ଭଡ଼ା କରି ସ୍ଥାନୀୟ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବାବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶ୍ରୀଦାସଙ୍କୁ କାବୁ କରାଯାଇଛି। ଏଥିସହ ଶ୍ରୀ ଦାସଙ୍କ କ୍ବାର୍ଟର୍ସ ଏବଂ ଅଫିସ୍‌ରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି। ଏତେ ଟଙ୍କା କାହିଁକି ଏବଂ କେଉଁଠାରୁ ସଞ୍ଚୟ କରି ଜମା କରିବାକୁ ଯାଉଥିଲେ, ସେ ନେଇ ଶ୍ରୀ ଦାସ କୌଣସି ସଠିକ୍‌ ସୂଚନା ଦେଇପାରିନଥିବା ଜଣାପଡ଼ିଛି। ବର୍ତ୍ତମାନ ମାର୍ଚ୍ଚ ମାସ ଚାଲିଥିବାବେଳେ ବିଭିନ୍ନ ଉନ୍ନୟନ କାମ ଗୁଡ଼ିକର ବିଲ୍ କରି ପିସି ବାବଦକୁ ଏହି ଟଙ୍କା ଆଦାୟ କରାଯାଇଥିବା ଶୁଣିବାକୁ ମିଳିଛି।

ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦାସଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ବିଭାଗ ନିକଟରେ ଖବର ରହିଥିଲା। ତେଣୁ ଶ୍ରୀ ଦାସଙ୍କୁ ଧରିବାକୁ ଛକି ରହିଥିଲା ବିଭାଗ। ଗତ ତିନିଦିନ ହେଲା ଭିଜିଲାନ୍ସ ବିଭାଗ ଶ୍ରୀ ଦାସଙ୍କ ଗତିବିଧି ଉପରେ ନଜର ରଖି ଚଢ଼ାଉ କରିବାକୁ ଜାଲ ବିଛାଇ ଥିଲା। ଆଜି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦାସ ଏକ ଅଟୋ ଭଡ଼ାକରି ପ୍ରାୟ ୧୦ ଲକ୍ଷ ଟଙ୍କା ଧରି ମାଲକାନଗିରିସ୍ଥିତ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ। ବିଶେଷସୂତ୍ରରୁ ଖବର ପାଇ ଆଜି ଭିଜିଲାନ୍ସ ଡିଏସ୍‌ପି ଓ ତାଙ୍କ ଟିମ୍ ବ୍ୟାଙ୍କରେ ଚଢ଼ାଉ କରି ଶ୍ରୀ ଦାସ ଟଙ୍କା ଭର୍ତ୍ତି ସୁଟକେସ୍ ଧରି ବ୍ୟାଙ୍କ ଭିତରକୁ ଯାଉଥିବାବେଳେ କାବୁ କରି ନେଇଥିଲେ। ଏହାପରେ ଶ୍ରୀ ଦାସଙ୍କ ମାଲକାନଗିରିସ୍ଥିତ କ୍ବାର୍ଟର୍ସରେ ଚଢ଼ଉ କରାଯାଇଥିବାବେଳେ ସେଠାରେ ମଧ୍ୟ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ, ତଦନ୍ତ ଚାଲୁଥିବାରୁ ଡିଏସ୍‌ପି ଏନେଇ କୌଣସି ସୂଚନା ଦେବାକୁ ମନା କରି ଦେଇଥିଲେ। ତଦନ୍ତ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଏହି ଚଢ଼ାଉରେ ଜୟପୁର ଏବଂ ନବରଙ୍ଗପୁର ଭିଜିଲାନସ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ‌ଯେ ଏହାପୂର୍ବରୁ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ସେ ମଧ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର