ରାଜ୍ୟରେ ୪୧.୮୯ ଲକ୍ଷ ହେକ୍ଟର ଜମି ଜଳସେଚିତ: ମନ୍ତ୍ରୀ

ମନ୍ତ୍ରୀଙ୍କ ଜିଲ୍ଲାରେ ଗୋଟିଏ ବି ନାହିଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମାଲକାନଗିରି ଜିଲ୍ଲାରେ ସବୁଠୁ କମ ଜମି ଜଳସେଚିତ

ଭୁବନେଶ୍ବର : ବିଗତ ୧୦ ବର୍ଷରେ ସାରା ରାଜ୍ୟରେ ୧୩ ଲକ୍ଷ ୨୦ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ଏବେ ସୁଦ୍ଧା ମୋଟ ୪୧ ଲକ୍ଷ ୮୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିଛି। ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଣତାରକା ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ସେହିପରି ବିଜେପି ବିଧାୟକ ମୋହନ ମାଝୀଙ୍କ ସମାନ୍ତରାଳ ପ୍ରଶ୍ନରେ ଖୋଦ ମନ୍ତ୍ରୀଙ୍କ ଜିଲ୍ଲା ଜଗତସିଂହପୁରରେ ଗୋଟିଏ ବି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନଥିବା ଜଣାପଡ଼ିଛି। ସେହିପରି ମାଲକାନଗିରି ଜିଲ୍ଲାରେ ସବୁଠୁ କମ ଜମି ଜଳସେଚିତ ହୋଇଛି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଜଳସମ୍ପଦ ଜଣାଇଛନ୍ତି, ୨୦୦୯ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାର ୨୮.୬୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇଥିଲେ। ୨୦୦୯ ଏପ୍ରିଲରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ମୋଟ ୧୩ ଲକ୍ଷ ୨୦ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ଏହି ସମୟ ଭିତରେ ମାଲକାନଗିରି ଜିଲ୍ଲାରେ ମାତ୍ର ୩ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ସେହିପରି ସୋନପୁରରେ ୭ ହଜାର, ରାୟଗଡ଼ାରେ ୯ ହଜାର ଓ ବଲାଙ୍ଗୀର ଜିଲ୍ଲାରେ ୪୧ ହଜାର ହେକ୍ଟର ଜମିକୁ ଜଳସେଚନ ହୋଇଛି। ଗତ ୧୦ ବର୍ଷ ଭିତରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୮ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି।

ବିଜେପି ବିଧାୟକ ମୋହନ ମାଝୀଙ୍କ ଅଣତାରକା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ୨୯ଟି ଜିଲ୍ଲାରେ ମୋଟ ୩ ହଜାର ୮୨୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ଏସବୁ ପ୍ରକଳ୍ବଦ୍ବାରା ୫ ଲକ୍ଷ ୫୪ ହଜାର ୯୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ପାଇଁ ବ୍ୟବସ୍ଥା ହୋଇଥିଲା। ସେଥିରୁ ୧୪୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବାବେଳେ ୩୯୩ଟି ଆଂଶିକ ଭାବେ ଅଚଳ ହୋଇପଡ଼ିଛି। ଅଚଳ ହୋଇଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ୧୭୬ କୋଟି ୩୦ ଲକ୍ଷ ଟଙ୍କା ଆବଶ୍ୟକ ପଡ଼ିବ।

ସମ୍ବନ୍ଧିତ ଖବର