ଯୋଗାଣ ବିଭାଗ ଶୁଣିଲାନି, କମ୍ ଦରରେ ଚାଷୀ ଧାନ ବିକିଲେ

ଭୁବନେଶ୍ବର : ସରକାରୀ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଚାଷୀ ଧାନ ବିକିପାରିଲେ ନାହିଁ। ସେହି ବ୍ୟବସ୍ଥାକୁ ସଜାଡ଼ି ଅନ୍ୟାୟର ଶିକାର ହୋଇଥିବା ଚାଷୀଙ୍କ ଠାରୁ ଧାନ କିଣାଯିବ କି ନାହିଁ? ଏହାର ଉତ୍ତର ଯୋଗାଣ ବିଭାଗ ଦେଲାନାହିଁ। ସମୟ ଗଡ଼ିଗଲା। ମଣ୍ଡି ବନ୍ଦ ହେଲା ଓ ଅଧିକାରୀମାନେ ବାଟ ଭାଙ୍ଗି ଚାଲିଗଲେ। ସରକାରୀ ବ୍ୟବସ୍ଥାର ଏପରି ସମ୍ବେଦନହୀନ କାର୍ଯ୍ୟ ପାଇଁ ଚାଷୀ ଭୀଷଣ ମାନସିକ ଆଘାତ ପାଇଛନ୍ତି। ଶେଷରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଖୁବ୍ କମ୍ ଦରରେ ବିକୁଛନ୍ତି। ଆଉ କିଛି ସ୍ଥାନରେ ଧାନ ନଷ୍ଟ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ଘରକୁ ଫେରୁଛନ୍ତି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି।

ଅର୍ଥାତ ଜୁନ୍ ୩୦ ତାରିଖରେ ରବି ଧାନ ସଂଗ୍ରହ ସମୟସୀମା ସରିଯାଇଛି। ତାହାର ଯଥେଷ୍ଟ ପୂର୍ବରୁ ବହୁ ଚାଷୀ ଟୋକନ୍‌ ଲାପ୍‌ସ କରିଯିବାରୁ ଧାନ ବିକିପାରି ନ ଥିଲେ। କିଛି ଚାଷୀଙ୍କର ଧାନ ଅମଳ ପୂର୍ବରୁ ଟୋକନ୍‌ ଆସିଯାଇଥିଲା ଓ ଅମଳ ସରିଲା ବେଳକୁ ଟୋକନ୍‌ ଲାପ୍‌ସ କରିଯାଇଥିଲା। ସେମିତି କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ବହୁ ଚାଷୀ ଟୋକନ୍‌ ଲାପ୍‌ସ ଯୋଗୁ ଧାନ ବିକିପାରି ନ ଥିଲେ। କିଛି ଚାଷୀ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ସେମାନଙ୍କ ନାମ ଏଣ୍ଟ୍ରିରେ ବିଳମ୍ବ ହେଲା ଓ ଟୋକନ୍‌ ଲାପ୍‌ସ କରିଗଲା। ବିନା ଦୋଷରେ ଧାନ କିଣା ବ୍ୟବସ୍ଥାରେ ଥିବା ଗୁରୁଚଣ୍ଡାଳ ତ୍ରୁଟି ଯୋଗୁ ବହୁ ଚାଷୀ ସେମାନଙ୍କ ଧାନ ବିକିପାରିଲେ ନାହିଁ। ପାଖାପାଖି ଦୁଇ ସପ୍ତାହ ହେଲାଣି, ଚାଷୀଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରୁ ପ୍ରତିବାଦର ସ୍ବର ଶୁଭୁଛି। ନିଜ କଷ୍ଟ ଉପାର୍ଜିତ ଧାନକୁ କିଣିବା ପାଇଁ ଚାଷୀମାନେ ଯୋଗାଣ ବିଭାଗର ତଳିଆ ଅଧିକାରୀଙ୍କ ନିକଟରେ ଗୁହାରି କଲେ। ବାସ୍ତବ ସମସ୍ୟା କେଉଁଠି, ତାହା ବୁଝାଇଲେ। ଏଥିରେ ଚାଷୀଙ୍କର କିଛି ଦୋଷ ନାହିଁ ବୋଲି ତଳିଆ ଅଧିକାରୀମାନେ ହୃଦ୍‌ବୋଧ କଲେ। କିନ୍ତୁ ଯୋଗାଣ ବିଭାଗର ବଡ଼ ଅଧିକାରୀମାନେ ଏସବୁ ବୁଝିଲେ ନାହିଁ। ଚାଷୀଙ୍କୁ କିପରି ନ୍ୟାୟ ପ୍ରଦାନ କରାଯିବ ଓ ସେମାନେ ନିଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ, ସେ ଦିଗରେ ବିଭାଗ ସର୍ବନିମ୍ନ ଉଦ୍ୟମ କଲା ନାହିଁ। ଟୋକନ୍‌ ଲାପ୍‌ସ କରିବା ପଛରେ ଥିବା ବାସ୍ତବ କାରଣକୁ ବିଭାଗ ଅନୁସନ୍ଧାନ କଲାନି କି ବଳକା ଧାନ ଉଠାଇଲାନି।

ଆଶ୍ଚର୍ଯ୍ୟର କଥା ଯୋଗାଣ ବିଭାଗର ମନ୍ତ୍ରୀ, ସଚିବ କିମ୍ବା ଅନ୍ୟ କୌଣସି ଅଧିକାରୀ ଏବେ ସୁଦ୍ଧା ଏହି ଅଭିଯୋଗ ଉପରେ ମତାମତ ଦେବାକୁ ଉଚିତ ମଣୁ ନାହାନ୍ତି। ଚାଷୀଙ୍କ ଅଭିଯୋଗକୁ ଅସ୍ବୀକାର କରୁ ନାହାନ୍ତି କି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉ ନାହାନ୍ତି। ଯଦି ଅଭିଯୋଗ ଭିତ୍ତିହୀନ, ତେବେ ସେହି କଥା ସର୍ବସମ୍ମୁଖରେ କହିବାରେ ଅସୁବିଧା କେଉଁଠି ? ଯଦି ସତରେ ବ୍ୟବସ୍ଥାଗତ ତ୍ରୁଟି ରହିଛି, ତେବେ ତାହାକୁ ସଜାଡ଼ି ଚା‌ଷୀଙ୍କ ଠାରୁ ଧାନ କିଣିବାରେ ଦ୍ବିଧା କାହିଁକି ? ମଝିରେ ମଝିରେ ଧାନ କିଣାର ସମୀକ୍ଷା କରାଯାଇ କାଗଜପତ୍ରରେ କେତେ ପ୍ରତିଶତ ଧାନ କିଣା‌ ହେଲା, ତାହାର ହିସାବ ବିଭାଗୀ ଅଧିକାରୀମାନେ ଦେଖାଇଛନ୍ତି। ଗତ ବର୍ଷ ଠାରୁ ଅଧିକ ଧାନ କିଣି ନିଜକୁ ନିଜେ ବାହାବା ଦେଇଛନ୍ତି। କିନ୍ତୁ ଏହି ଅଭିଯୋଗକୁ କିପରି ସମାଧାନ କରାଯିବ, ତାହାର ବାଟ ବାହାର କରିବାକୁ କେହି ଉଚିତ ମଣି ନାହାନ୍ତି। ତଥାପି ୩୦ ତାରିଖ ସୁଦ୍ଧା ସରକାର ଚାଷୀଙ୍କୁ ନ୍ୟାୟ ଦେବା ପାଇଁ କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେପରି କିଛି ହେଲା ନାହିଁ। ସମ୍ପୂର୍ଣ୍ଣ ଯୋଗାଣ ବିଭାଗ ନିଦାବିଷ୍ଣୁ ପାଲଟିଗଲା।

ସରକାରଙ୍କ ଠାରୁ କୌଣସି ପ୍ରତିଶ୍ରୁତି ନ ପାଇବା ଦ୍ବାରା ବିଭିନ୍ନ ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ବରଗଡ଼ରେ ଗତକାଲି ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଧାନ ରଖି ଘରକୁ ଚାଲିଯାଇଥିଲେ। ବିଭିନ୍ନ ସ୍ଥାନରେ ରାସ୍ତାରୋକ, ବିକ୍ଷୋଭ କରାଯାଇଛି। ବିରୋଧୀ ଦଳ ଓ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ବିଜେପି ଓ କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇ ପ୍ରତିବାଦ କରାଯାଇଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧାନ ସଂଗ୍ରହ ସମୟସୀମା ୧୫ ଦିନ ବଢ଼ାଇବାକୁ ଦାବି କରିଛନ୍ତି। କିନ୍ତୁ ଏସବୁର ସୁଫଳ ମିଳିବାର ସମ୍ଭାବନା କ୍ଷୀଣ। ଦୀର୍ଘ ୧୦/୧୫ ଦିନ ଅପେକ୍ଷା କଲା ପରେ ଯୋଗାଣ ବିଭାଗର ନିଦ ଭାଙ୍ଗିଲା ନାହିଁ। ଯେହେତୁ ସରକାରଙ୍କ ଠାରୁ କୌଣସି ପ୍ରତିଶ୍ରୁତି ମିଳିଲା ନାହିଁ, ତେଣୁ ଆଉ କିଛି ଦିନ ଅପେକ୍ଷା କଲେ ଧାନ ନଷ୍ଟ ହେବ ସିନା କିଛି ଲାଭ ହେବ ନାହିଁ ବୋଲି ଚାଷୀମାନେ ଭଲ ଭାବେ ଜାଣିସାରିଛନ୍ତି। ସେଥି ପାଇଁ ଆଜି କମ୍ ଦାମରେ ବିଭିନ୍ନ ସ୍ଥାନରେ ଧାନ ବିକ୍ରି କରାଯାଉଥିବା ସୂଚନା ମିଳିଛି। ଏହା ପ୍ରଶାସନିକ ଅଧିକାରୀମାନଙ୍କ ଜାଣତରେ ହିଁ ଖୋଲାଖୋଲି ଚାଲିଛି। ଏଥିରୁ ଚାଷୀଙ୍କ ସ୍ବାର୍ଥ ପ୍ରତି ଦାୟିତ୍ବରେ ଥିବା ବ୍ୟକ୍ତିମାନେ କେତେ ସଚେତନ, ତାହା ଧରାପଡ଼ିଯାଉଛି।

ସମ୍ବନ୍ଧିତ ଖବର