ମାର୍ଗଦର୍ଶିକା ଜାରି କଲା ଯୋଗାଣ ବିଭାଗ, ମେ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ

ଭୁବନେଶ୍ବର : ଚଳିତବର୍ଷର ରବି ଧାନ ସଂଗ୍ରହ ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ ୧୭ଟି ଜିଲ୍ଲାରେ ଆରମ୍ଭ ହେବ। ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ କରିବାକୁ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ କିପରି ଅଧିକକୁ ଅଧିକ ରବିଧାନ ସଂଗ୍ରହ କରାଯାଇପାରିବ ସେ ଦିଗରେ ଗୁରୁତ୍ବ ଦେବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାର୍ଗଦର୍ଶିକା ଅନୁଯାୟୀ, ଅ୍‌ରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କଠାରୁ ଧାନ କିଣିବା ନିମନ୍ତେ ଆଗୁଆ ଏସ୍‌ଏମ୍‌ଏସ୍‌ ସୂଚନା ପ୍ରଦାନ ଏବଂ ଏହାର ସମୟସୀମା ବୈଧତା ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଛି। ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରି ରବିଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ପ୍ରତ୍ୟେକ ସୋସାଇଟିର ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ଅନ୍‌ଲାଇନ୍‌ରେ ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସୋସାଇଟି ପାଇଁ କଷ୍ଟମ ମିଲରମାନଙ୍କୁ ନିୟୋଜିତ କରିବେ। ମିଲରମାନେ କେତେ ପରିମାଣର ଧାନ ଉଠାଣ କରିବେ ସେ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ଲକ୍ଷ୍ୟ ଧାର୍ଯ୍ୟ କରିବେ। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯିବ। ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଅନ୍‌ଲାଇନ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ। ଜିଲ୍ଲା ସ୍ତରରେ ପଞ୍ଜୀକୃତ ଚାଷୀମାନଙ୍କ ମୋବାଇଲକୁ ଓଡ଼ିଆ ଭାଷାରେ ଧାନ ସଂଗ୍ରହ ଦିନର ୭ ଦିନ ପୂର୍ବରୁ ଏସ୍‌ଏମ୍‌ଏସ୍‌ ପ୍ରେରଣ କରାଯିବ। କେଉଁଦିନ କେତେ ପରିମାଣର ଧାନ ନିର୍ଦ୍ଧାରିତ ଧାନ ସଂଗ୍ରହ କେନ୍ଦ୍ରକୁ ଚାଷୀ ଆଣିବେ ସେସବୁର ପୂର୍ଣ୍ଣାଙ୍ଗ ବିବରଣୀ ରହିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୭୦ ପ୍ରତିଶତ ଏସ୍‌ଏମ୍‌ଏସ୍‌ ବ୍ୟବସ୍ଥା ଓ ବଡ଼ ଚାଷୀଙ୍କ ପାଇଁ ବାକି ୩୦ ପ୍ରତିଶତ ଏସ୍‌ଏମ୍‌ଏସ୍‌ ପଠାଯିବ।

ରବି ଧାନ ସଂଗ୍ରହ ପାଇଁ ଏସ୍‌ଏମ୍‌ଏସ୍‌ ୧୫ ଦିନ ପର୍ଯ୍ୟନ୍ତ ବୈଧ ରହିବ। ଯଦି ଚାଷୀ ଏସ୍‌ଏମ୍‌ଏସ୍‌ ପାଇବାର ୭ ଦିନ ଭିତରେ ମଣ୍ଡିକୁ ଧାନ ନ ଆଣିଲେ, ତେବେ ପରବର୍ତ୍ତୀ ୫ ଦିନ ଭିତରେ ମଣ୍ଡିକୁ ଧାନ ଆଣିବାକୁ ସମ୍ପୃକ୍ତ ଚାଷୀଙ୍କ ମୋବାଇଲକୁ ଆଉ ଗୋଟିଏ ମେସେଜ୍‌ ପଠାଯିବ। ପ୍ରତ୍ୟେକ ଦିନର ଧାନ ସଂଗ୍ରହ ବିବରଣୀ ଅନ୍‌ଲାଇନ୍‌ ଜରିଆରେ ସୋସାଇଟିଗୁଡ଼ିକ ସରକାରଙ୍କୁ ପ୍ରଦାନ କରିବେ। ଏହାଦ୍ବାରା ଅସାଧୁ ବ୍ୟକ୍ତିଙ୍କ ଦ୍ବାରା ମଣ୍ଜିରୁ ଅନଧିକୃତ ଧାନ ଆଣିବା ଉପରେ ନଜର ରଖାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର