ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ: ନିଜ ଲୋକଙ୍କୁ କାମ ଦେବାକୁ ମସୁଧା

କେନ୍ଦୁଝର: ଯୋଗାଣ ବିଭାଗ ପକ୍ଷରୁ ଗହମ ପରିବହନ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଫିକ୍ସଂ ହୋଇଛି। ଟେଣ୍ଡର ସଂପର୍କରେ ଗତକାଲି ଅର୍ଥାତ ୨୩ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶିତ ହୋଇଥିବାବେଳେ ୨୨ ତାରିଖରୁ କିନ୍ତୁ ଟେଣ୍ଡର ଖୋଲା ସରିଛି। ଫଳରେ ଟେଣ୍ଡର ପ୍ରକ୍ରିୟାରେ ଯେତିକି ସଂଖ୍ୟକ ପ୍ରାର୍ଥୀ ଭାଗ ନେଇଥାନ୍ତେ ସେତିକି ନେଇପାରିଲେ ନାହିଁ ବୋଲି ଅଭିଯୋଗ ହେଉଛି। ନିଜ ଲୋକଙ୍କ ମଧ୍ୟରେ କାମ ବାଣ୍ଟିବାକୁ ଯୋଗାଣ ବିଭାଗ ଏଭଳି କାରସାଦି କରିଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝରସ୍ଥିତ ଏଫ୍‌ସିଆଇ ଗୋଦାମରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଦାମକୁ ଗହମ ପରିବହନ ପାଇଁ କେନ୍ଦୁଝର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଫ୍‌ସିଆଇ ଗୋଦାମରୁ ମଣ୍ଡୁଆ, ସୁଆଁପଦା, ଗୁମୁରା, ବଡ଼ବିଲରେ ଥିବା ଗୋଦାମକୁ ପ୍ରତି ମାସ‌ରେ ୭ ହଜାର କୁଇଣ୍ଟାଲ ଗହମ ପରିବହନ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ୫ ତାରିଖରେ ଟେଣ୍ଡର ବିଜ୍ଞାପନ ଗଣମାଧ୍ୟମରେ ପ୍ରକାଶ ପାଇବା କଥା। ବିଜ୍ଞାପନ ପ୍ରକାଶ ପାଇବା ପରେ ୧୧ ତାରିଖରେ ପ୍ରି-ବିଡ୍‌ କନଫରେନ୍ସ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ସେହି ଅନୁସାରେ ୨୧ ତାରିଖ ସୁଦ୍ଧା ଟେଣ୍ଡରପେପର ଦାଖଲ କରିବାର ଶେଷ ସମୟ ଥିଲା। ସେହିପରି ୨୨ ତାରିଖରେ ବୈଷୟିକ ଟେଣ୍ଡର ଖୋଲିବାକୁ ସମୟ ଧାର୍ଯ୍ୟ ‌ହୋଇଥିଲା। ସେହିଦିନ ଅପରାହ୍‌ଣ ସାଢ଼େ ୪ଟାବେଳେ କାଗଜପତ୍ର ଯାଞ୍ଚ ହେବାର ଥିଲା।

ଟେଣ୍ଡର ପ୍ରକ୍ରିୟାର ଟେକ୍ନିକାଲ ବିଡ୍‌ ୨୨ ତାରିଖରେ ଖୋଲା ଯାଇଥିବାବେଳେ ଗତକାଲି ଅର୍ଥାତ ୨୩ ତାରିଖରେ ଖବରକାଗଜରେ ଏ ସଂପର୍କିତ ବିଜ୍ଞାପନ ପ୍ରକାଶିତ ହୋଇଛି। ଏଥିରେ ଦୁଇଜଣ ପ୍ରାର୍ଥୀ ଅବେଦନ କରିଛନ୍ତି। ସେମାନେ ହେଲେ, ବିଜନ କୁମାର ସାହୁ ଏବଂ ଈଶ୍ବର ଚନ୍ଦ୍ର ସାହୁ। ବିଜନ କୁମାର ସାହୁ ପୂର୍ବରୁ ତେଲକୋଇ ବ୍ଲକ୍‌ ପାଇଁ ଯୋଗାଣ ବିଭାଗର ଚାଉଳ ପରିବହନ କରୁଥିଲେ। ସେହିପରି ଈଶ୍ବର ଚନ୍ଦ୍ର ସାହୁ ପାଟଣା, ଝୁମ୍ପୁରା, ବାଂଶପାଳ, ତେଲକୋଇ ବ୍ଲକ୍‌ ପାଇଁ ବର୍ତ୍ତମାନ ଚାଉଳ ପରିବହନ କରୁଛନ୍ତି। ତେବେ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇ ନଥିଲେ ବି ଏହି ଦୁଇଜଣ ଆବେଦନ କରିଥିବାରୁ ଟେଣ୍ଡର ଫିକ୍ସିଂ ହୋଇଥିବା ଆଶଙ୍କା କରାଯାଉଛି। ପ୍ରଥମ କଥା ହେଉଛି, ଏହି ଆବେଦନକାରୀମାନେ ଟେଣ୍ଡର ସଂପର୍କରେ କିଭଳି ଜାଣିଲେ? କେଉଁ ନୋଟିସକୁ ଆଧାର କରି ଏମାନେ ଆବେଦନ କଲେ? ସେହିପରି ବିଜ୍ଞାପନ ପ୍ରକାଶ ପାଇବାର ଦିନକ ପୂର୍ବରୁ କିଭଳି ଭାବେ ଖୋଦ୍‌ ଅତିରିକ୍ତ ଜିଲ୍ଲାପାଳଙ୍କ ଚାମ୍ବରରେ ଟେଣ୍ଡର ଖୋଲାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଜାଣି ନଥିଲେ ନା ଜାଣିଶୁଣି ଏଭଳି କରିଛନ୍ତି? ଯଦି ଟେଣ୍ଡର ସଂପର୍କରେ ଠିକ୍‌ ସମୟରେ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥା’ନ୍ତା, ହୁଏତ ଅଧିକ ଆଶାୟୀ ଆବେଦନ କରିଥା’ନ୍ତେ। ପରିବହନ ମୂଲ୍ୟ ନିର୍ଦ୍ଧାରଣ ଠିକ୍‌ ଢ଼ଙ୍ଗରେ ହୋଇପାରିଥାନ୍ତା। ମାତ୍ର ଏଥିରେ ବ୍ୟତିକ୍ରମ ଯୋଗୁଁ ଯୋଗାଣ ବିଭାଗ ସହ ଜଡ଼ିତ ଦୁଇଜଣ ପରିବହନ ଠିକାଦାର ‌ଆବେଦନ କରିବାକୁ ସୁଯୋଗ ପାଇଲେ ବୋଲି ଚର୍ଚ୍ଚା ହେଉଛି। ଗହମ ପରିବହନରେ ଯୋଗାଣ ବିଭାଗ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଆଶଙ୍କା କରାଯାଉଛି। ଏ ସଂପର୍କରେ ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ ପଚାରିବାରୁ, ଟେଣ୍ଡର ସଂପର୍କିତ ବିଜ୍ଞାପନ କେବେ ବାହାରିଲା ସେ ଜାଣିନାହାନ୍ତି। ଏ ସଂପର୍କରେ ଅନୁଧ୍ୟାନ କରି କହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର