ଖରିଫ ଋତୁରେ ଚାହିଦାଠାରୁ କମ୍ ସାର ଯୋଗାଣ

ଗତବର୍ଷ ତୁଳନାରେ ମଧ୍ୟ ଚଳିତ ବର୍ଷରେ କମ୍ ସାର ପାଇଛନ୍ତି ଚାଷୀ

ଭୁବନେଶ୍ବର : ରାଜ୍ୟରେ ଖରିଫ ଋତୁରେ ଚାହିଦା ମୁତାବକ ସାର ଯୋଗାଣ ହୋଇପାରିନାହିଁ। ଏପରିକି ଗତ ଖରିଫ ଋତୁ ତୁଳନାରେ ମଧ୍ୟ କମ୍ ୟୁରିଆ ଯୋଗାଣ ହୋଇଛି। କେନ୍ଦ୍ର ସରକାର ରାଜ୍ୟକୁ ଅଗଷ୍ଟ ମାସ ସୁଦ୍ଧା ଅନୁମୋଦିତ ପରିମାଣଠାରୁ ୮୫ ହଜାର ମେଟ୍ରିକ୍‌ ଟନ୍ ୟୁରିଆ ସାର କମ୍ ଯୋଗାଇଛନ୍ତି। ତେଣୁ ବିଭିନ୍ନ ଜିଲ୍ଲାରେ ୟୁରିଆ ସାରର ଅଭାବ ଦେଖାଦେଇଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଅଣତାରାକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ।

ଶ୍ରୀ ସାହୁ କହିଛନ୍ତି ଯେ ଚଳିତ ଖରିଫ ଋତୁରେ ରାଜ୍ୟରେ ୪ଲକ୍ଷ ମେଟ୍ରିକ ଟନ୍ ୟୁରିଆ, ୨ଲକ୍ଷ ମେଟ୍ରିକ ଟନ୍ ଡିଏପି, ୧ଲକ୍ଷ ମେଟ୍ରିକ ଟନ୍ ଏମ୍‌ଓପି ଓ ୨ଲକ୍ଷ ମେଟ୍ରିକ ଟନ୍‌ ଏନ୍‌ପିକେ ସାରର ହାରହାରି ଚାହିଦା ରଖିଛି। ଅଗଷ୍ଟ ସୁଦ୍ଧା ୨ଲକ୍ଷ ୨୫ହଜାର ୩ଶହ ମେଟ୍ରିକ ଟନ୍ ୟୁରିଆ ଯୋଗାଣ ହୋଇଛି। ଏହାସହ ୧ଲକ୍ଷ ୪୧ହଜାର ୫୭୫ ମେଟ୍ରିକ ଟନ୍ ଡିଏପି, ୫୩,୨୮୬ ମେଟ୍ରିକ ଟନ୍‌ ଏମ୍‌ଓପି ଓ ୧ଲକ୍ଷ ୫୧ହଜାର ୨ଶହ‌‌ ମେଟ୍ରିକ୍‌ ଟନ୍‌ ଏନ୍‌ପିକେ ସାର ଯୋଗାଣ ହୋଇପାରିଛି। ଗତବର୍ଷ ଖରିଫ ଋତୁରେ ୨ଲକ୍ଷ ୭୭ହଜାର ୫୨୨ ମେଟ୍ରିକ ଟନ୍‌ ୟୁରିଆ, ୧ଲକ୍ଷ ୫୯ହଜାର ୯୩୮ ମେଟ୍ରିକ ଟନ୍‌ ଡିଏପି, ୯୦,୫୭୫ ମେଟ୍ରିକ ଟନ୍‌ ଏମ୍‌ଓପି ଓ ୧ଲକ୍ଷ ୩୮ହଜାର ୫୩୬ ମେଟ୍ରିକ ଟନ୍ ଏନ୍‌ପିକେ ସାର ଯୋଗାଣ ହୋଇଥିଲା। ଖରିଫ ଋତୁରେ ୟୁରିଆ ସାରର ବ୍ୟବହାରର ତିରୋଟ ସମୟରେ ଅଭାବ ଦୂରୀକରଣ ପାଇଁ ରାଜ୍ୟର ଦୁଇ ସାର ସଂଗ୍ରହ ସଂସ୍ଥା ଓଏସ୍‌ସିଏମ୍‌ଏଫ୍‌ ଓ ଓଏଆଇସି ମାଧ୍ୟମରେ ଜାନୁଆରିରୁ ଜୁଲାଇ ମଧ୍ୟରେ ୨ଲକ୍ଷ ମେଟ୍ରିକ୍ ଟନ ୟୁରିଆ ସାର ଆଗୁଆ ମହଜୁଦ ରଖିବା ଲାଗି ପଦକ୍ଷେପ ନିଆଯାଇଥିଲା। ଅତିରିକ୍ତ ପରିବହନ ଓ ଭଣ୍ଡାର ଖର୍ଚ ବାବଦକୁ ମିଶାଇ ମେଟ୍ରିକ୍‌ ଟନ୍ ପିଛା ୨୫୦ ଟଙ୍କା ହିସାବରେ ୬କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ହେଲେ ରାଜ୍ୟକୁ ୟୁରିଆ ସାରର ନିଅଣ୍ଟ ଯୋଗାଣ ହେତୁ ବିଭିନ୍ନ ଜିଲ୍ଲାରେ କେବଳ ୯୫,୮୩୨ ମେଟ୍ରିକ ଟନ୍ ୟୁରିଆ ସାର ମହଜୁଦ ହୋଇପାରିଛି। ଏହାସହ ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀଙ୍କୁ ଠିକ୍ ସମୟରେ ଓ ମୂଲ୍ୟରେ ଚାହିଦା ମୁତାବକ ବିଭିନ୍ନ ରସାୟନିକ ସାର ଯୋଗାଇ ଦେବା ପାଇଁ ୯୦ ଓ ୧୦କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି।

ରାଜ୍ୟର ଆବଶ୍ୟକତା ଅନୁଯାୟୀ, ସାର ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ ସଚିବ ଓ କୃଷି ଉତ୍ପାଦନ କମିସନର କେନ୍ଦ୍ର ସରକାରଙ୍କ ସାର ବିଭାଗକୁ ବାରମ୍ବାର ଅନ‌ୁରୋଧ କରିଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ମଧ୍ୟ କେନ୍ଦ୍ର ସରକାରଙ୍କ ସାର ଓ ରସାୟନ ମନ୍ତ୍ରୀଙ୍କୁ ଏ ବାବଦରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ରାଜ୍ୟକୁ ପୂର୍ବ ମାସଗୁଡ଼ିକର ନିଅଣ୍ଟିଆ ପରିମାଣ ସହିତ ଆବଶ୍ୟକ ମୁତାବକ ସାର ଯୋଗାଣ ଦେବା ଲାଗି ନିବେଦନ କରିଛନ୍ତି। ରାଜ୍ୟରେ ସାରର ଚାହିଦା ଓ ଯୋଗାଣରେ ଅନ୍ତରର ସୁଯୋଗ ନେଇ ସାରର କଳାବଜାର ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର