ବାଲେଶ୍ବରରେ ଯୋଗାଣ ମନ୍ତ୍ରୀ:ବାତ୍ୟା ମୁକାବିଲା, ରବିଧାନ ଅମଳ ଉପରେ ଆଲୋଚନା

ବାଲେଶ୍ବର: ରାଜ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ବାଲେଶ୍ବର ଗସ୍ତରେ ଆସି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ସ୍ଥାନୀୟ ସର୍କିିଟ ହାଉସ୍‌ରେ ଏକ ସମୀକ୍ଷା ବୈଠକ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଯୋଗାଣ ବିଭାଗ ପକ୍ଷରୁ କି କି ପସ୍ତୁତି କରାଯାଇଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ‌ଜିଲ୍ଲାରେ କେତେ ପରିମାଣରେ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି, ଆଉ କଣ ଆବଶ୍ୟକ ଆଦି ପଚାରି ବୁଝିବା ସହ ସବୁ ଜାଗାରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଠିକ୍‌ ଭାବେ ପହଞ୍ଚି ପାରିବ ସେନେଇ ଅଧିକାରୀଙ୍କୁ ତତ୍ପର ରହିବାକୁ ପରାମର୍ଶ ଦେଇଥିଲେ।

ଏଥିସହ ମନ୍ତ୍ରୀ ଶ୍ରୀ ସ୍ବାଇଁ ରବିଧାନ ଅମଳ ଉପରେ ଆଲୋଚନା କରିଥିଲେ। ଆଗାମୀ ବାତ୍ୟାରେ ଚାଷୀମାନଙ୍କୁ କିପରି ସତର୍କ କରାଯାଉଛି, ବନ୍ୟା ଓ ବାତ୍ୟା ସମୟରେ ‌ସେମାନେ କିପରି ସତର୍କ ରହିବେ ଓ ସେମାନଙ୍କ ଅମଳ ଧାନ କିପରି ସୁରକ୍ଷିତ ରହିପାରିବ ସେନେଇ ପଚାରି ବୁଝିଥିଲେ। ସମ୍ଭାବ୍ୟ ବାତ୍ୟାକୁ ନେଇ ‌ବଜାରରେ ଅତ୍ୟାବଶ୍ୟକୀୟ ଜିନିଷର ଯେପରି କଳାବଜାର ନହେବ ସେନେଇ ଯୋଗାଣ ବିଭାଗ ପୂରା ସଜାଗ ରହିବାକୁ ମନ୍ତ୍ରୀ କହିଛନ୍ତି। ଅଯଥାରେ ଲୋକ ଭୟଭୀତ ହୋଇ ଯେପରି ଅଧିକ ସାମଗ୍ରୀ କିଣି ବଜାରରେ କୃତ୍ରିମ ଅଭାବ ସୃଷ୍ଟି ନକରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ରବିଧାନ ପାଇଁ ପଞ୍ଜୀକରଣ କରିଥିବା ଚାଷୀମାନେ ଯେପରି କୌଣସି ପ୍ରକାର ଅନିୟମିତତାର ଶିକାର ହେବେନାହିଁ ସେନେଇ ଉଭୟ ଯୋଗାଣ ଓ ସମବାୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହାପରେ ସମବାୟ ବ୍ୟାଙ୍କ ତରଫରୁ ବିଭିନ୍ନ ସଂସ୍ଥାଗୁଡ଼ିକୁ ବିଗତ ଦିନରେ ଦିଆଯାଇଥିବା ୧୨୮ କୋଟି ଟଙ୍କାର ଋଣ ଏବଂ ବିଭିନ୍ନ କାରଣରୁ ଉକ୍ତ ଟଙ୍କା ସେମାନେ ସୁଝି ପାରୁନଥିବାରୁ ତାହା କିପରି ଆଦାୟ କରାଯିବ ଏବଂ ଋଣ ଖିଲାପକାରୀଙ୍କ ବିରୋଧରେ କିପରି ଆଇନଗତ ପଦକ୍ଷେପ ନିଆଯିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଦୀର୍ଘଦିନ ଧରି ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ନିଯୁକ୍ତ ହୋଇଥିବା ଏଜେଣ୍ଟମାନଙ୍କ କମିସନ ବୃଦ୍ଧି ନେଇ ଯେଉଁ ଦାବି ହୋଇ ଆସୁଥିଲା ତା ଉପରେ ମନ୍ତ୍ରୀଙ୍କୁ ଅବଗତି କରାଯିବା ପରେ ଏଥିରେ ସେ ସହମତି ପ୍ରକାଶ କରିଥିବା ଜଣାଯାଇଛି। ପୂର୍ବରୁ ଏଜେଣ୍ଟମାନେ ୧ ପ୍ରତିଶତ କମିସନ ପାଉଥିବା ବେଳେ ଏଣିକି ସେମାନଙ୍କୁ ୨ ପ୍ରତିଶତ କମିସନ ମିଳିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି।

ଶେଷରେ ସମବାୟ ବ୍ୟାଙ୍କର ଆଗାମୀ ନିର୍ବାଚନ ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ। ଏହି ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ଏବଂ ନିରପେକ୍ଷ, ସ୍ବଚ୍ଛ ଓ ଅବାଧ ହେବ ତା ଉପରେ ଗୁରୁତ୍ବ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ‌େର ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ବର ସଦର ବ୍ଲକର ଅଧ୍ୟକ୍ଷା ସୁନୀତା ବେହେରା, ବାଲେଶ୍ବର ପୌରପାଳିକାର କାଉନସିଲରମାନେ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଲୋକ ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର