ଭଦ୍ରକ: ଚାଷୀମାନେ ମଣ୍ଡିକୁ ଏଫ୍ଏକ୍ୟୁ ମାନର ଧାନ ଆଣନ୍ତୁ। ଧାନର ମାନ ଭଲ ନଥିଲେ ଏହାକୁ ଗ୍ରହଣ କରାଯିବ ନାହିଁ। ଏଫ୍ଏକ୍ୟୁ ମାନର ହୋଇ ନଥିଲେ ମଣ୍ଡିରୁ ଫେରାଇ ଦିଆଯିବ। ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏଭଳି ମତ ରଖିଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଭଦ୍ରକ ଜିଲ୍ଲା ପ୍ରଶାସନର ଧାନ ସଂଗ୍ରହ ନେଇ ସମୀକ୍ଷା କରିଥିଲେ। ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ୍ ଆଦମ୍ପୁରର ଶକ୍ତିସ୍ୱରୂପା ଏସ୍ଏଚ୍ଜି ଧାନକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ତା’ପରେ ଭଦ୍ରକ ବ୍ଲକ୍ର ବହୁଦରଡ଼ାର ଶ୍ରୀରାମ ପ୍ୟାକ୍ସ ଓ ଅର୍ଣ୍ଣପାଳ ପ୍ୟାକ୍ସ ପରିଦର୍ଶନ କରିଥିଲେ।
ଧାନକିଣାରେ ମିଲର୍ଙ୍କ ମନମାନି ବରଦାସ୍ତ କରାଯିବନି
ଆବଶ୍ୟକ ପଡ଼ିଲେ ଜିଲ୍ଲା ବାହାର ମିଲରଙ୍କୁ ନିୟୋଜିତ କରାଯିବ
ଏହି ୩ ଧାନମଣ୍ଡିରେ ଧାନକ୍ରୟ ବ୍ୟବସ୍ଥାର ତଦାରଖ କରିଥିଲେ। ସବୁ ମଣ୍ଡିରେ କଟ୍ନିଛଟ୍ନି ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ଚାଷୀ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ଜବାବରେ ଏଫ୍ଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସେ ପରାମର୍ଶ ଦେଇଥିଲେ। ଅଣ ଏଫ୍ଏକ୍ୟୁ ଧାନ ଗ୍ରହଣ କରାଯିବ ନାହିଁ; ମଣ୍ଡିରୁ ଫେରାଇ ଦିଆଯିବ ବୋଲି ସେ କହିଥିଲେ। ଗସ୍ତ ବେଳେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ପାତ୍ର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବାସୁଦେବପୁର ବିଧାୟକ ଅଶୋକ ଦାସ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଧାନକିଣାରେ ମିଲର୍ମାନଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ। ଏଥିସହିତ, ମଣ୍ଡିରୁ ଧାନ ଉଠାଇବାରେ ସହଯୋଗ କରୁନଥିବା ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ବାହାର ଜିଲ୍ଲାର ମିଲରଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ୧ ଲକ୍ଷ ଶହେ ୭୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି।