କଟକ : ଗତ କିଛିଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ ପ୍ରକ୍ରିୟା ଅବ୍ୟାହତ ରହିଥିବା ବେଳେ ଆଜି ପ୍ରଥମ କରି ଦିଲ୍ଲୀ ଓ ପଞ୍ଜାବକୁ ୩ଟି ଟ୍ୟାଙ୍କର ଯୋଗେ ଅମ୍ଳଜାନ ଯୋଗାଣ ହୋଇଛି। ଦୁଇଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୩୩ଟନ୍ ଓ ଗୋଟିଏ ଟ୍ୟାଙ୍କର ଯୋଗେ ପଞ୍ଜାବକୁ ୨୯.୩୨ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୋ୍ମବାର ସୁଦ୍ଧା ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୨୪୧ଟି ଟ୍ୟାଙ୍କରରେ ୪୪୧୦.୪୬୨ ଟନ୍ ଅମ୍ଳଜାନ ଯୋଗାଣ ହୋଇଛି।
ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗ୍ରିନ୍ କରିଡର କରାଯାଇଛି। ଅନୁଗୁଳ ଜିଲ୍ଲାରୁ ୨୮ ଟ୍ୟାଙ୍କର ଯୋଗେ ୪୫୮.୦୨ଟନ୍, ଢେଙ୍କାନାଳ ଜିଲ୍ଲାରୁ ୫୦ଟି ଟ୍ୟାଙ୍କର ଯୋଗେ ୭୯୩.୫ ଟନ୍, ଯାଜପୁର ଜିଲ୍ଲାରୁ ୬୫ଟି ଟ୍ୟାଙ୍କର ଯୋଗେ ୧୩୧୪.୫୩ ଟନ୍ ଓ ରାଉରକେଲାରୁ ୯୮ଟି ଟ୍ୟାଙ୍କର ଯୋଗେ ୧୮୪୪.୪୧୨ ଟନ୍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ଯୋଗାଣ କରାଯାଇଛି। ମୋଟ ୬୮ ଟ୍ୟାଙ୍କର୍ରେ ଆନ୍ଧ୍ରପ୍ରଦେଶକୁ ୧୪୦୪.୮୩ ଟନ, ୬୭ଟି ଟ୍ୟାଙ୍କରେ ତେଲେଙ୍ଗାନାକୁ ୧୧୨୪.୧୭୯ ଟନ୍, ତାମିଲନାଡୁକୁ ୬ଟି ଟ୍ୟାଙ୍କର ଯୋଗେ ୧୧୬.୨୨ ଟନ୍, ହରିୟାଣାକୁ ୨୭ଟି ଟ୍ୟାଙ୍କରରେ ୫୨୮.୭୮୨ ଟନ୍, ମହାରାଷ୍ଟ୍ରକୁ ୧୩ଟି ଟ୍ୟାଙ୍କରରେ ୨୧୧.୧୬ ଟନ, ଛତିଶଗଡ଼କୁ ୧୨ଟି ଟ୍ୟାଙ୍କରରେ ୧୮୨.୯୩୧ଟନ୍, ଉତ୍ତରପ୍ରଦେଶକୁ ୨୦ଟି ଟ୍ୟାଙ୍କର୍ ଯୋଗେ ୩୬୨.୪୨ ଟନ୍, ମଧ୍ୟପ୍ରଦେଶକୁ ୨୫ଟି ଟ୍ୟାଙ୍କର ଯୋଗେ ୪୧୭.୫୫ ଟନ୍ ଅମ୍ଳଜାନ ଯୋଗାଣ କରାଯାଇଛି।