ସମ୍ବଲପୁର: ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ ପ୍ରସଂଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତି ପଶ୍ଚିମ ଓଡ଼ିଶାରେ ସମର୍ଥନ ବଢ଼ିବାରେ ଲାଗିଛି। ଗତକାଲି କୋଶଳ ସେନା ପକ୍ଷରୁ ଡୁଙ୍ଗୁରିପାଲିରେ ‌‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି କୁଶପୁତ୍ତଳିକା ଦାହ କରାଯାଇଥିବା ବେଳେ ବରଗଡ଼ ଗାନ୍ଧୀ ଛକରେ ପୁଣି କୋଶଳ ସଂଗ୍ରାମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜୟନାରାୟଣଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଜୟନାରାୟଣଙ୍କ ସମର୍ଥନରେ ବାହାରିବା ସହିତ ତାଙ୍କୁ ବିରୋଧ କରୁଥିବା ବିଜେଡି ଓ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି। ଆଜି ସନ୍ଧ୍ୟା‌ରେ ପୁଣି ସମ୍ବଲପୁର ଗୋଲବଜାର ଛକରେ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ନିରଂଜନ ପୂଜାରୀଙ୍କ ଫଟୋଚିତ୍ର ଏବଂ ‘ବନ୍ଦେ ଉତ୍କଳ ଜନନୀ’ ବ୍ୟାନର ପୋଡ଼ାଯାଇଛି। ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ଜୟନାରାୟଣଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହିତ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇଦେଇଛନ୍ତି। ଅପରପକ୍ଷରେ ଆସନ୍ତା ୧୩ ତାରିଖ ଦିନ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରୀ ସୂଚନା ଦେଇଛନ୍ତି।

Advertisment

ଆଜି ମଧ୍ୟାହ୍ନରେ ମହାନଦୀ କ୍ଲବରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଡ. ପ୍ରମୋଦ ରଥ କହିଛନ୍ତି ଯେ ଜୟନାରାୟଣ ମିଶ୍ର ଯାହା କହିଛନ୍ତି, ତାହା ପଶ୍ଚିମାଞ୍ଚଳର ସାଧାରଣ ଜନତାଙ୍କ ପ୍ରତିକ୍ରିୟା। ସେ ଆରମ୍ଭରୁ ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ଆସୁଛନ୍ତି। ସେ ରାଜ୍ୟର ସାମଗ୍ରିକ ଓ ସମତୁଲ ବିକାଶର କଥା କହିଛନ୍ତି। ଉତ୍କଳ ଓଡ଼ିଶାର ଏକ ଅଞ୍ଚଳ ମାତ୍ର। ଓଡ଼ିଶା କହିଲେ, କେବଳ କଟକ ଆଉ ଭୁବନେଶ୍ବର ନୁହେଁ। ବନ୍ଦେ ଉତ୍କଳ ଜନନୀରେ ସମଗ୍ର ରାଜ୍ୟର ଭୌଗୋଳିକ, ସାଂସ୍କୃତିକ, ଐତିହ୍ୟର ଚିତ୍ର ନାହିଁ କି ସବୁ ବରପୁତ୍ର ଓ ବୀରପୁତ୍ରଙ୍କ ଗୁଣଗାନ ନାହିଁ। ଜୟନାରାୟଣଙ୍କ ମନ୍ତବ୍ୟକୁ କିଛି ନେତା ନିଜେ ରାଜନୀତିରେ ତିଷ୍ଠି ରହିବା ପାଇଁ ଭୁଲ ତଥ୍ୟ ରଖି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି। ଯଦି, ଓଡ଼ିଶାକୁ ଏକାଠି ରଖିବାକୁ ଚାହୁଛନ୍ତି, ତେବେ ସେଭଳି ମନ୍ତବ୍ୟରୁ ଦୂରେଇ ରହିବା ଏବଂ  ଓଡ଼ିଶାର ବିଭାଜନର କାରଣ ନହେବା ପାଇଁ ଅରୁଣ ସାହୁ ଓ ଅନ୍ୟ ନେତାମାନଙ୍କୁ ଡ.ରଥ ପରାମର୍ଶ ଦେଇଛନ୍ତି।  ‘ମୁଁ ବି ନିଷ୍ପତ୍ତି ନେଇଛି, ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ କେବେ ଛିଡ଼ା ହେବି ନାହିଁ’ ବୋଲି ଡ. ରଥ ସ୍ପଷ୍ଟ କରିଛନ୍ତି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରର କିଛି ନାହିଁ। ଏକତା ମଂଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଲେ, ୨୦୨୦ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଯେତେବେଳେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଥିଲା, ସେତେବେଳେ ଜୟନାରାୟଣ ମିଶ୍ର ଓ ସେ ସମୟର ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସୁଶାନ୍ତ ସିଂ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେତେବେଳେ ଏକତା ମଂଚ ପକ୍ଷରୁ ଜୟନାରାୟଣ ଓ ସୁଶାନ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା। ‘ସମ୍ବଲପୁରର ମାଟି ପାନି ଝରସି ହୀରାନୀଲା’ ଗୀତକୁ ସମ୍ବଲପୁରୀପ୍ରେମୀ ବହୁତ ସମ୍ମାନର ସହ ଗାନ କରନ୍ତି। ତେବେ, ଏହି ଗୀତକୁ ରାଜ୍ୟ ସଙ୍ଗୀତ କରାଯିବ କି ? କିମ୍ବା ଉପକୂଳ ଓଡ଼ିଶାବାସୀ କ’ଣ ତାକୁ ସ୍ବୀକାର କରି ଛିଡ଼ା ହୋଇ ସମ୍ମାନ ଜଣାଇବେ କି ’ ବୋଲି ଶ୍ରୀ ବକ୍ସି ପ୍ରଶ୍ନ କରିଛନ୍ତି।  ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ମହିଳା ସଂଯୋଜିକା ପଙ୍କଜିନୀ ମେହେର ଉପସ୍ଥିତ ଥିଲେ।