ଭୁବନେଶ୍ବର: ରାଜ୍ୟସଭାରେ ବିଜେଡି ୱକଫ୍ ବିଲ୍କୁ ସଂପୂର୍ଣ୍ଣ ବିରୋଧ କରିନି, ସମର୍ଥନ କରିଛି। କିନ୍ତୁ କେତେ ଜଣ ସପକ୍ଷରେ ଏବଂ କେତେ ଜଣ ବିପକ୍ଷରେ ଭୋଟ୍ ଦେଇଛନ୍ତି, ସେ ସଂପର୍କରେ କେହି ବି ମୁହଁ ଖୋଲୁନାହାନ୍ତି। ସେପଟେ ରାଜ୍ୟସଭାରେ ସାଂସଦମାନେ ବିବେକ ଅନୁଯାୟୀ ୱକଫ୍ ବିଲ୍ ଉପରେ ଭୋଟ୍ ଦେବାକୁ ଗଣମାଧ୍ୟମରେ କହି ରାତାରାତି ଖଳନାୟକ ଆଖ୍ୟା ପାଇଥିବା ସାଂସଦ ସସ୍ମିତ ପାତ୍ର ମଧ୍ୟ ଦଳରେ ଚାଲିଥିବା କମ୍ପନ ବାବଦରେ ନିରବ ରହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, ନବୀନ କଣେଇ ଚାହି ଦେଲେ କିଛି କାର୍ଯ୍ୟାନୁଷ୍ଠାନ ହୋଇଯିବ ବୋଲି ଆଶଙ୍କା କରୁଥିବା ନେତାମାନେ ଏବେ ନବୀନଙ୍କୁ ଖୋଲା ଚିଠି ଲେଖିବା ସହ ଦଳର ଶୃଙ୍ଖଳା ନେଇ ପାଠ ପଢ଼ାଉଛନ୍ତି। େହଲେ ନବୀନ ମଧ୍ୟ ପୂରା ପ୍ରକରଣରେ ମୌନ ରହିବା ଯୋଗୁ ପ୍ରସଙ୍ଗ ଆହୁରି ବିବାଦୀୟ ହୋଇପଡ଼ିଛି।
ୱକଫ୍ ବିଲ୍ ପାଇଁ ଯେତେବେଳେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ହେଲା ସେତେବେଳେ ବିଜେଡି ହିଁ ଆଗକୁ ଆସି କହିଥିଲା, ଆମେ ସଂଖ୍ୟାଲଘୁ ମୁସଲିମ୍ଙ୍କ ପ୍ରତି ଅନ୍ୟାୟ ହେବାକୁ ଦେବୁନି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୁସଲିମ୍ ନେତାମାନଙ୍କୁ ନବୀନ ଆଶ୍ବାସନା ଦେଇଥିଲେ ଯେ ସଂସଦରେ ବିଜେଡି ଏହାକୁ ବିରୋଧ କରିବ। କିନ୍ତୁ ଯେତେବେଳେ ବିଜେଡିକୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ପଡ଼ିଲା ସେତେବେଳେ ସାଂସଦମାନଙ୍କ ବିବେକକୁ ଆଗରେ ରଖିଦିଆଗଲା। ମୁସଲିମ୍ ସମ୍ପ୍ରଦାୟକୁ ପ୍ରତିଶ୍ରୁତି ଦେଇଥିବା ନବୀନ ନିଜେ ଅପବାଦ ନ ମୁଣ୍ଡାଇବା ପାଇଁ ପରଦା ପଛରେ ରହିଗଲେ ବୋଲି ଚର୍ଚ୍ଚା ହେଉଛି।
କ୍ଷମତାରେ ଥିବାବେଳେ ନେତାଙ୍କ ସ୍ବରକୁ ବିଶୃଙ୍ଖଳାର ଆଖ୍ୟା ଦେଇ ଦଳରୁ ସିଧା ପ୍ରସ୍ଥାନର ବାଟ ଦେଖାଉଥିବା ନବୀନ କାହିଁିକି ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ତାହା ଏବେ ବଡ଼ ପ୍ରଶ୍ନ। ଯେଉଁଥିପାଇଁ କେବଳ ବିଜେଡି ନୁହେଁ, କଂଗ୍ରେସ ନେତା ବି ନବୀନଙ୍କୁ କଡ଼ା ଆକ୍ଷେପ କରିବାକୁ ପଛାଉନାହାନ୍ତି। ଆଜି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ନବୀନ ଏବେ ବି ତାଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ନିୟନ୍ତ୍ରିତ ହେଉଛନ୍ତି। ପୂର୍ବରୁ ଯେମିତି ଗୃହବନ୍ଦୀ ଥିଲେ ଏବେ ମଧ୍ୟ ସେମିତି ଅଛନ୍ତି। ବିଜେଡି ନିଜର ସ୍ବାଧୀନତା ହରାଇଛି। କେନ୍ଦ୍ରର ବିଜେପି ସହ ସେମାନଙ୍କର କିଛି ଡିଲ୍ ହୋଇଛି। ଯେଉଁଥିପାଇଁ ନବୀନଙ୍କୁ ଦିଲ୍ଲୀ ନିଆଯାଇଥିଲା। ବର୍ତ୍ତମାନ ସ୍ଥିତିରେ ଲାଗୁଛି ବିଜେଡି ନେତାମାନେ ବିଜେପିରେ ମିଶିବେ, ନଚେତ୍ ରାଜ୍ୟରେ ବିଜେଡି ଓ ବିଜେପିର ମେଣ୍ଟ ସରକାର ହେବ।
ସେହିପରି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂହ କହିଛନ୍ତି, ଦଳରେ ଏବେ କାଳବୈଶାଖୀ ଚାଲିଛି। ଏହା କିଛି ଦିନ ପାଇଁ ଚାଲିବ। ୱକଫ୍ ବିଲ୍କୁ ବିଜେଡିର ସମର୍ଥନ ଭୁଲ୍ ବାର୍ତ୍ତା ଦେଉଛି। ସାଂସଦମାନେ କେଉଁ ପରିସ୍ଥିତିରେ ବିଜେପିକୁ ସମର୍ଥନ କରିଛନ୍ତି, ତାହାକୁ ଅନୁଧ୍ୟାନ କରିବା ଲାଗି ଅନେକ ବିଧାୟକ ଚିଠି ଲେଖିଛନ୍ତି। ବିଜେଡି ଦଳରେ କାହାରି ଶକ୍ତି ନାହିଁ ଯେ କୌଣସି ନିଷ୍ପତ୍ତି କେହି ବଦଳାଇ ଦେଇ ପାରିବେ। ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ସାମନାକୁ ଆଣିବାକୁ ପଡ଼ିବ। ୱକଫ୍ ବିଲ୍ ସମର୍ଥନରେ ବିଜେଡିର ଭୋଟ୍ ପଡ଼ିବା ପରେ ବିଜେପି କିନ୍ତୁ ଉତ୍ସାହିତ ଅଛି। ଆଜି ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେବଳ ଏଠିକାର ବିଜେଡି ନୁହେଁ, ଅନେକ ଦଳ ତାଙ୍କର ପରମ୍ପରାଗତ ମତ ବଦଳାଇ ମାନବବାଦୀ ସୁଧାର ଭାବେ ଗ୍ରହଣ କରି ସମର୍ଥନ କରିଛନ୍ତି। ଏହାକୁ ଲାଗୁ କରାଇ ମୁସଲମାନ ଭାଇଭଉଣୀଙ୍କ ସେବା କରିବା ପାଇଁ ବିଜେପି ବଦ୍ଧପରିକର।
ନବୀନ ଗୃହବନ୍ଦୀ: ନରସିଂହ
ବିଜେଡି ମାନବବାଦୀ ସୁଧାର ଭାବେ ମତ ଦେଇଛି: ଧର୍ମେନ୍ଦ୍ର
ଭୁଲ୍ ବାର୍ତ୍ତା ଯାଉଛି: ଭୂପିନ୍ଦର
ବିନା ନିର୍ଦ୍ଦେଶରେ ଏଭଳି କରିବାକୁ ସସ୍ମିତଙ୍କ ଔକାତ୍ ନାହିଁ: ପ୍ରଭାତ
‘ହାରିବା ପରଠାରୁ ବିଜେଡି ଭିତରେ ଦୁଇଟା ବିଜେଡି’
କଟକ: ୱକଫ୍ ବିଲ୍କୁ ନେଇ ବିଜେଡିରେ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ଦଳରେ ଝଡ଼ ସୃଷ୍ଟି କରିଥିବା ବେଳେ ଆଜି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ଭିତିରିଆ ନିର୍ଦ୍ଦେଶ ବିନା ସସ୍ମିତ ପାତ୍ରଙ୍କର ଏଭଳି କରିବାକୁ ଔକାତ୍ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିବା ପରେ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ନିଆଁରେ ଘିଅ ସଦୃଶ କାମ କରିଛି।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ହାରିବା ପରଠାରୁ ବିଜେଡି ଭିତରେ ଦୁଇଟା ବିଜେଡି କାମ କରୁଛି। ଗୋଟିଏ ନବୀନଙ୍କର ଓ ଅନ୍ୟଟି ପାଣ୍ଡିଆନଙ୍କର। ଦ୍ୱିତୀୟ ଗୋଷ୍ଠୀରେ କିଛି ବଚସ୍କର ‘ହାଁ ଜୀ’ ସ୍ୱଭାବର ନେତା ରହି ସମସ୍ୟା କରୁଥିଲେ ବି ଦଳରେ ତାଙ୍କର ଗ୍ରହଣୀୟତା ନାହିଁ। ପାଣ୍ଡିଆନ କେବଳ ଦରମା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କାମ କରୁଥିବା ଜଣେ କର୍ମଚାରୀ ଥିଲେ। ହେଲେ, ସମୟକ୍ରମେ ସେ ଦଳୀୟ ସଭାପତିଙ୍କଠାରୁ ଊର୍ଦ୍ଧ୍ବରେ ରହିଗଲେ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବିଜେଡିର ଜଣେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପରିହାସରେ ବିଜେପିକୁ କହୁ କହୁ କହିଦେଲେ ଯେ, ‘ଆମେ ୫-ଟି ପାଇଁ ହାରିଲୁ, ତମେ ଓଡ଼ିଆ ଅସ୍ମିତା କଥା କହି କହି ହାରିବ’। ତା’ ପରଦିନ ତାଙ୍କୁ ନବୀନ ନିବାସକୁ ସମନ ହୋଇଗଲା। ପାଣ୍ଡିଆନ ତାଙ୍କୁ ତାଗିଦ କରିବା ସହ ଦଳକୁ ସେ (ପାଣ୍ଡିଆନ) ଅଧିକ ଦେଇ ଖୁବ୍ କମ୍ ପାଇଛନ୍ତି ବୋଲି କହିଥିଲେ। ତେବେ ପାଣ୍ଡିଆନ୍ ସରକାରୀ ଚାକିରିଆ ଭାବେ ଦରମା, ଟିଏ, ଡିଏ ନେଉଥିଲେ। ସେ ଦଳକୁ କ’ଣ ଦେଇଛନ୍ତି ଜାଣିଥିବେ। କିନ୍ତୁ ଓଡ଼ିଶାର ଅଗଣିତ ବିଜେଡି କର୍ମୀ ଏ କଥାକୁ ଆଦୌ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଧର୍ମନିରପେକ୍ଷ ଭିତ୍ତିଭୂମିକୁ ନେଇ ବିଜେଡି ଏକ ଆଞ୍ଚଳିକ ଦଳ। କାହା ନିର୍ଦ୍ଦେଶରେ ସସ୍ମିତ୍ ଏଭଳି କହିଲେ, ଦଳ ଭିତରେ ତାର ଅନୁସନ୍ଧାନ କରାଯିବା ଦରକାର। ରାଜ୍ୟରେ ବିଜେଡି ଓ ବିଜେପି ଭିତରେ କୌଣସି ବୁଝାମଣା ନାହିଁ। ୨୯ ବର୍ଷର ରାଜନୈତିକ କ୍ୟାରିୟର୍ ଭିତରେ ନବୀନ ବାବୁ କେବେ ହଠାତ୍ ମିଡିଆକୁ ଆସନ୍ତି ନାହିଁ। ତେଣୁ ସେ କ’ଣ ଚିନ୍ତା କରୁଛନ୍ତି ତାହା ଆକଳନ କରିବା ସମ୍ଭବ ନୁହେଁ। ବିଜେଡି ଯଦି ନିଜକୁ ସଜାଡ଼ି ଦଳ ପାଇଁ ବହୁ ପରିଶ୍ରମ କରିଥିବା ନେତା-କର୍ମୀଙ୍କୁ ଗୋଟିଏ ଡଙ୍ଗାରେ ବସାଇ ନଈ ପାରି ହେବାକୁ ଚେଷ୍ଟା କରିବ.. ଦଳ କୌଣସି ଗୁଣରେ ବିଜେପି ଓ କଂଗ୍ରେସଠାରୁ ନ୍ୟୂନ ହେବ ନାହିଁ। କିଛି ବଚସ୍କର, ହାତଗଣତି ନେତା ପାଣ୍ଡିଆନଙ୍କ ସହିତ ଅଛନ୍ତି, କିନ୍ତୁ ନବୀନ ପଟ୍ଟନାୟକଙ୍କ ସହିତ ବହୁ ନେତା ଅଛନ୍ତି। ସମୁଦ୍ର ମନ୍ଥନରୁ ଅମୃତ ବାହାରିବ, ସଂଘାତ ଭିତରୁ ସତ୍ୟ ପ୍ରକାଶିତ ହେବ ଓ ବିଜେଡି ତାର ଶକ୍ତି ଆହରଣ କରି ଆଗକୁ ଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି।