ବାହାର ରାଜ୍ୟର ସଂସ୍ଥାଙ୍କୁ ଅନୁକମ୍ପା

ଆଦର୍ଶ ବିଦ୍ୟାଳୟ ବିଜ୍ଞାନାଗାର ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟରେ ଖୋଲିଥିବା ୧୬୦ଟି ଆଦର୍ଶ ବିଦ୍ୟାଳୟର ବିଜ୍ଞାନଗାର ଉପକରଣ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୧୫ କୋଟି ଟଙ୍କାର ସାମଗ୍ରୀ କ୍ରୟ ପାଇଁ ହୋଇଥିବା ଟେଣ୍ଡର୍‌ ପ୍ରକ୍ରିୟାରେ ଅନିୟମିତତା କରାଯାଇ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଯାଇଛି। ଆଉ ଯୋଜନାବଦ୍ଧ ଭାବେ ଓଡ଼ିଆ ବ୍ୟବସାୟୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିବା ନେଇ ଅଭିଯୋଗ ଉଠିଛି।

ଅଭିଯୋଗ ଅନୁଯାୟୀ ଟେଣ୍ଡର୍‌ ପ୍ରକ୍ରିୟାରେ ଓଡ଼ିଶାର ବ୍ୟବସାୟୀ ଯୋଗ୍ୟ ନ ହେବା ଆଶ୍ଚର୍ଯ୍ୟର ବିଷୟ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଜରିଆରେ ଫେବ୍ରୁଆରି ୨୩ରେ ଟେଣ୍ଡର୍‌ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାୟ ୧୫ କୋଟି ଟଙ୍କାର ବିଜ୍ଞାନାଗାର ଉପକରଣ ଯୋଗାଣ ପାଇଁ ଶେଷ ତାରିଖ ଏପ୍ରିଲ ୨୩ ଉଲ୍ଲେଖ ଥିଲା। ଇତି ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟରେ ସେପରି ଆଖିଦୃଶିଆ ଉନ୍ନତି ହୋଇ ନାହିଁ। ପ୍ରତ୍ୟେକ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ସାମଗ୍ରୀ ଯୋଗାଣ ପ୍ରାକ୍‌ ପରିଦର୍ଶନ କାର୍ଯ୍ୟ ମଧ୍ୟ ହୋଇ ନ ଥିବା ଜଣାପଡ଼ିଛି। ଯେଉଁ ଦୁଇଟି ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଇଛି ସେଥିମଧ୍ୟରୁ ଗୋଟିଏ ଅମ୍ବାଲାର ହୋଇଥିବା ବେଳେ ଅନ୍ୟଟି ଦିଲ୍ଲୀର। ତେଣୁ ଉକ୍ତ ଦୁଇଟି ସଂସ୍ଥା କିଭଳି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଖୋଲିଥିବା ବିଦ୍ୟାଳୟଗୁଡ଼ିକୁ ସାମଗ୍ରୀ ଯୋଗାଇବେ ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଓଡ଼ିଶାର ବ୍ୟବସାୟୀ। ସେମାନେ ଆହୁରି କହିଛନ୍ତି ଯେ ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଉକ୍ତ ଦୁଇ ସଂସ୍ଥାର ତିନି ବର୍ଷର ଅଭିଜ୍ଞତା ନାହିଁ। ତିନି ବର୍ଷର ମୋଟ କାରବାରକୁ ଦେଖାଇ ସେମାନେ ଟେଣ୍ଡର ହାତେଇଛନ୍ତି। ଟେଣ୍ଡର୍‌ରେ ଯେଉଁ ସବୁ ସର୍ତ୍ତ ରଖାଯାଇଛି ସେଥିମଧ୍ୟରୁ କେତେକ ଅସ୍ପଷ୍ଟ ରହିଛି। ଯୋଗାଣକାରୀ ସଂସ୍ଥା ନିଜର କାର୍ଯ୍ୟାଳୟ, ଗୋଦାମ ଆଦିର ଠିକଣା ଦେଇ ନ ଥିବା ଜଣାପଡ଼ିଛି। ଏହାବ୍ୟତୀତ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନେ ସାମଗ୍ରୀ ଯୋଗାଣରେ ବିଫଳ ହୋଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସାମଗ୍ରୀ ଯୋଗାଣର ସ୍ଥିତି କେଉଁ ଅବସ୍ଥାରେ ରହିଛି ସେ ସମ୍ପର୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର କୌଣସି ଅଧିକାରୀ ମୁହଁ ଖୋଲୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ଆହୁରି କହିଛନ୍ତି ଯେ ସାମଗ୍ରୀଗୁଡ଼ିକର ମାନ ପରୀକ୍ଷା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଏକ ବୈଷୟିକ କମିଟି ଗଠନ ହୋଇଥିଲେ ମଧ୍ୟ ଏହାର ସଦସ୍ୟମାନେ କିଭଳି ୨୨୬ ପ୍ରକାରର ବିଜ୍ଞାନଗାର ସାମଗ୍ରୀ ଯାଞ୍ଚ କରି କିଭଳି ରିପୋର୍ଟ ଦାଖଲ କରିବେ ତାହା ଅସମ୍ଭବ ପରି ଲାଗୁଛି। କେତେଜଣ ଓଡ଼ିଆ ଅଧିକାରୀ ମନ୍ଦ ଉଦ୍ଦେଶ୍ୟ ରଖି ସ୍ଥାନୀୟ ବ୍ୟବସାୟୀଙ୍କୁ ଉପେକ୍ଷା କରି ବାହାର ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇଛନ୍ତି। ମଧ୍ୟମ, କ୍ଷୁଦ୍ର ଓ ଅତି କ୍ଷୁଦ୍ର ଶିଳ୍ପ ସଂସ୍ଥାଙ୍କ ପାଇଁ କେନ୍ଦ୍ରୀୟ ଓ ପ୍ରାଦେଶିକ ନିୟମ ଅନୁଯାୟୀ ସରକାରୀ କ୍ରୟର ଏକ ବଡ଼ ଭାଗ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ହେବା କଥା। ମାତ୍ର ଏକ୍ଷେତ୍ରରେ ନିୟମକୁ ଜଳାଞ୍ଜଳି ଦିଆଯାଇଛି। କେଉଁ ଅଧିକାରୀଙ୍କ ସ୍ୱାର୍ଥ ସାଧନ ପାଇଁ ଏଭଳି ଟେଣ୍ଡର ଫିକ୍ସିଂ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତିି। ଅଭିଯୋଗ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ କହିଛନ୍ତି ଯେ, ଟେଣ୍ଡର ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ। ନିୟମ ଅନୁଯାୟୀ ସବୁ କିଛି ହୋଇଛି। କିଛି ବ୍ୟବସାୟୀ ଟେଣ୍ଡର୍‌ ପାଇ ନ ଥିବାରୁ ଏଭଳି ଅଭିଯୋଗ କରୁଥିବେ।

ସମ୍ବନ୍ଧିତ ଖବର