କଟକ: କଟକ ଐତିହାସିକ ବାଲିଯାତ୍ରାରେ ୨୦୨୨ ଓ ୨୦୨୩ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ସମୟ ଗଡ଼ାଇ ତାହାକୁ ଚାପି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗତ ୨ବର୍ଷର ବାଲିଯାତ୍ରାର ସମସ୍ତ କାମକୁ ତୃତୀୟପକ୍ଷଙ୍କ ଦ୍ବାରା ଯାଞ୍ଚ କରାଯିବା ସହ ଚତୁଃସ୍ତରୀୟ ଅଡିଟ୍ କରାଯିବ ବୋଲି ପୂର୍ବରୁ ପୌର ନିଗମ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ହେଲେ ଏ ଦିଗରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେଳେ ଏବେ ପୌର ନିଗମ ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା କମିଟି ଦ୍ବାରା ୨୦୨୩ ବାଲିଯାତ୍ରା କାମର ଯାଞ୍ଚ କରି ବିଲ୍ ପାସ୍ କରାଇ ନେବାର ମସୁଧା ଚାଲିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କଟକ ବାଲିଯାତ୍ରା ୨୦୨୨ ଓ ୨୦୨୩ ଆୟୋଜନରେ କୋଟି କୋଟି ଟଙ୍କର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୨୦୨୨ରେ ବାଲିଯାତ୍ରା ତଳ ପଡ଼ିଆ ପ୍ରସ୍ତୁତି କାମକୁ ବିନା ଟେଣ୍ଡରେ କରିବା, ବଡ଼ ବଡ଼ କାମକୁ ଛୋଟ ଛୋଟ ଭାଗ କରି ବାଣ୍ଟିବା, ବାଲିଯାତ୍ରା ତଳ ପଡ଼ିଆ ଭିତ୍ତିଭୂମି ପ୍ରସ୍ତୁତିର ୨କୋଟି ୯୧ ଲକ୍ଷ ୭୩ ହଜାର ୭୫୦ ଟଙ୍କାର ୯୮ଟି ସିଭିଲ କାମରୁ ୭୬ଟି କାମକୁ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କୁ ଦେବା ଭଳି ଅଭିଯୋଗ ସାମନାକୁ ଆସିଥିଲା। ଏପରି ଅନିୟମିତତାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସେତେବେଳେ ସବୁ ମହଲରେ ଏହାକୁ ନେଇ ବିରୋଧଭାଷ ସୃଷ୍ଟି ହୋଇଥିଲା। ଶେଷରେ ବାଲିଯାତ୍ରା କାମର ଲୋକାଲ୍ ଫଣ୍ଡ ଅଡିଟ୍, ସ୍ପେସାଲ ଅଡିଟ୍ ସହ ଇଣ୍ଟରନାଲ୍ ଓ ସିଏଜି ଚତୁଃସ୍ତରୀୟ ଅଡିଟ୍ କରିବାକୁ ମେୟର ଓ କମିସନର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତିମଧ୍ୟରେ ୨ବର୍ଷ ବିତିବାକୁ ବସିଥିବା ବେଳେ କୌଣସି ଅଡିଟ୍ କାମ ଆରମ୍ଭ ହେଲାନାହିଁ। ସେହିପରି ୨୦୨୩ ବାଲିଯାତ୍ରାରେ ନିଗମ ପକ୍ଷରୁ ହୋଇଥିବା ବିଭିନ୍ନ କାମକୁ ନେଇ ପ୍ରଶ୍ନ ଉଠିଥିଲା। ୨୦୨୨ ବାଲିଯାତ୍ରାରେ ଯେଉଁ କାମ କନ୍ସେପ୍ଟ କମ୍ୟୁନିକେସନ୍ ସଂସ୍ଥା ୧ କୋଟି ୬୬ ଲକ୍ଷ ଟଙ୍କାରେ କରିଥିଲା।
ସେହି କାମ ୨୦୨୩ରେ ଉକ୍ତ ସଂସ୍ଥା ୩ କୋଟି ୩୨ ଲକ୍ଷ ଟଙ୍କାରେ କରିବା ଘଟଣାକୁ ନେଇ ପ୍ରଶ୍ନ ହେବା ସହ ଏହାକୁ ବିରୋଧ କରାଯାଇଥିଲା। ବିଶେଷ ଭାବେ ନିଗମ ଇଜିନିୟରିଂ ବିଭାଗ ତରଫରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ (ଇଓଆଇ)ରେ ୩୨ଲକ୍ଷ ଟଙ୍କାରେ ୨ଟି ବାଲିଯାତ୍ରା ସ୍ବାଗତ ଗେଟ୍, ୩୪ ଲକ୍ଷ ଟଙ୍କାରେ ଧୂଳି ନିୟନ୍ତ୍ରଣ ପାଇଁ କେମିକାଲ ସ୍ପ୍ରେ, ୯୭ ଲକ୍ଷ ଟଙ୍କାର ଲେଜର୍ ସୋ, ୨୭ ଲକ୍ଷ ଟଙ୍କାରେ ସବୁଜ ବାଣ, ୧ କୋଟି ୮୧ ଲକ୍ଷ ଟଙ୍କାର ଡିଜିଟାଲ ଏସି ହ୍ୟାଙ୍ଗର, ୩୪ ଲକ୍ଷ ଟଙ୍କାରେ ପଡ଼ିଆ ସଫେଇ, ୧୮ ଲକ୍ଷ ଟଙ୍କାର ଅସ୍ଥାୟୀ ଶୌଚାଳୟ,୧୫ ଲକ୍ଷରେ ସେଲ୍ଫି ପଏଣ୍ଟ, ୬୮ ଲକ୍ଷ ଟଙ୍କାରେ ବିଭିନ୍ନ ଜିଲ୍ଲାରେ ବୁଲିଥିବା ସ୍ବାଗତ ରଥକୁ ନେଇ ବିରୋଧ ଉଠିଥିଲା। ଫଳରେ ସବୁ କାମର ତଦନ୍ତ ଏନ୍ଆଇଟି, ଭିଜିଲାନ୍ସ ଅଥବା ଅନ୍ୟ ତୃତୀୟପକ୍ଷଙ୍କ ଦ୍ବାରା କରାଯିବା ପରେ ଟଙ୍କା ପୈଠ ହେବ ବୋଲି ଘୋଷଣା କରାଗଲା। ମାତ୍ର ଏବେ ୨୦୨୪ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୂର୍ବ ବର୍ଷ ଦୁର୍ନୀତିକୁ ତଦନ୍ତ ନ କରି ଠିକାସଂସ୍ଥାଙ୍କୁ ଟଙ୍କା ପୈଠ କରିବା ପାଇଁ ପ୍ରୟାସକୁ ନେଇ ଗତକାଲି ପୌର ନିଗମ କାଉନସିଲ ବୈଠକରେ ତୁମୁଳ କାଣ୍ଡ ଘଟିଥିଲା।
ନିଗମର ଡେପୁଟି କମିସନର, ସିଟି ଇଂଜିନିୟର, ଇଂଜିନିୟର ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ନେଇ ଗଠିତ କମିଟି କାମ କରିଥିବା ସଂସ୍ଥାଙ୍କୁ ମିଳିବାକୁ ଥିବା ଟଙ୍କାର ୪୦ ପ୍ରତିଶତ କାଟି ଟଙ୍କା ଦେବାକୁ ରିପୋର୍ଟ ଦେଇଥିବା ସଂପର୍କରେ ତଥ୍ୟ ଉପସ୍ଥାପନ ହୋଇଥିଲା। ତୃତୀୟପକ୍ଷଙ୍କ ଦ୍ବାରା କାମର ତଦନ୍ତ ନକରି ନିଜ ଅଧିକାରୀଙ୍କ ଦ୍ବାରା କମିଟି ଗଠନ କରି ଏପରି ନିଷ୍ପତ୍ତିକୁ ନେଇ କାଉନସିଲ୍ ବୈଠକରେ ଦୃଢ଼ ବିରୋଧ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/B1WrwaFbToF19NKVdwtc.jpg)