ନୂଆଦିଲ୍ଲୀ: ମହାନଦୀ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଓଡ଼ିଶାର ବିଜୟ ହୋଇଛି। ଶେଷ ମୁହୂର୍ତ୍ତଯାଏ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ କଡ଼ା ବିରୋଧ ସତ୍ତ୍ୱେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଓଡ଼ିଶା ସପକ୍ଷରେ ରାୟ ଦେଇଛନ୍ତି। ମାମଲାର ବିଚାର କରୁଥିବା ଖଣ୍ଡପୀଠ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦେଶ ଦେବା ସହିତ ଏ ସଂକ୍ରାନ୍ତ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ଲାଗି ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଏକମାସ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏଥିସହିତ ମହାନଦୀ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଜବରଦସ୍ତ ଝଟ୍କା ଲାଗିଛି। ତେବେ ଛତିଶଗଡ଼ର ନିର୍ମାଣାଧୀନ ପ୍ରକଳ୍ପ ଉପରେ କୋର୍ଟ ରହିତାଦେଶ ଜାରି କରିନାହାନ୍ତି। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦ ପ୍ରସଙ୍ଗରେ ଆଜି ବିଚାରପତି ଜଷ୍ଟିସ୍ ଏସ୍ ଏ ବବ୍ଡେ ଓ ବିଚାରପତି ଜଷ୍ଟିସ ଏଲ୍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ପୂର୍ବଥର ଭଳି ଏଥର ବି କେନ୍ଦ୍ର ସରକାର ଆରମ୍ଭରୁ ଅଡ଼ୁଆରେ ପଡ଼ିଥିଲେ। ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର କାହିଁକି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି ଓ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ସେ ନେଇ କୋର୍ଟ ପ୍ରଶ୍ନ ଉଠାଇଥିଲେ। ପ୍ରଶ୍ନ କରିଥିଲେ, ଟ୍ରିବ୍ୟୁନାଲ ଗଠନ ନେଇ ସ୍ଥିତି କଣ, ଜଣାଅ?
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ଣ୍ଣୀ ଯୁକ୍ତି ରଖି ଓଡ଼ିଶା ସରକାର କିଭଳି ବୁଝାମଣା କମିଟି ଆଦି ପ୍ରକ୍ରିୟାରେ ସହଯୋଗ କରିନଥିଲେ, ସେ ନେଇ ସୂଚାଇଥିଲେ। କୋର୍ଟ ଏହାକୁ ଗ୍ରହଣ କରିବା ବଦଳରେ ବୁଝାମଣା ବିଫଳ ହୋଇଛି ବୋଲି କେନ୍ଦ୍ର କାହିଁକି କହୁନାହିଁ ବୋଲି ଓଲଟା ପ୍ରଶ୍ନ କରିଥିଲେ। ନାଦକର୍ଣ୍ଣୀ କହିଥିଲେ, ସେ ଏତିକି କହିପାରିବେ ଯେ ସମାଧାନ ପାଇଁ ସ୍ପଷ୍ଟ ମତ ବାହାରିପାରିନାହିଁ। ତେବେ ଆପୋସ ଆଲୋଚନା ମାଧ୍ୟମରେ ଏ ବିବାଦର ସମାଧାନ ହୋଇପାରିବ। କେନ୍ଦ୍ରର ଯୁକ୍ତିରେ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକଟ କରିଥିଲେ। କୋର୍ଟଙ୍କ ଅସନ୍ତୋଷକୁ ଦେଖି ନାଦକର୍ଣ୍ଣୀ ଏହି ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବଖାଣିବା ସହିତ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ପ୍ରସଙ୍ଗ ଉଠାଇଥିଲେ। ଏହା ବିବାଦ ସମାଧାନ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି କହି କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏଥସହିତ ଟ୍ରିବ୍ୟୁନାଲ ନେଇ ପୁଣି ଥରେ ଖଣ୍ଡପୀଠ ସ୍ପଷ୍ଟ ମତ ଲୋଡିଥିଲେ। ନାଦକର୍ଣ୍ଣୀ ଏଥର ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରାଯାଇ ମାମଲାର ସମାଧାନ କଥା ଉଠାଇ କୋର୍ଟଙ୍କ ଅନୁମତି ଲୋଡିଥିଲେ। ଏକଥା ବି କହିଥିଲେ, ଦୁଇ ସପ୍ତାହ ପରେ କୋର୍ଟରେ ଏହି ରିପୋର୍ଟ ଉପସ୍ଥାପନ କରାଯିବ। ହେଲେ ଖଣ୍ଡପୀଠ ଏହାକୁ ଗ୍ରହଣ କରିବା ବଦଳରେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ଓଡ଼ିଶା ଓ ଛତିଶଗଡ଼ର ମତାମତ ଲୋଡିଥିଲେ। ଓଡ଼ିଶା ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଛତିଶଗଡ଼ ସମର୍ଥନ କରିଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି, ରାକେଶ ଦ୍ୱିବେଦୀ ଓ ଏମ୍ କାକଟୀ ଯୁକ୍ତି ରଖିଥିଲେ। ରୋହତଗି ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ରଖି କହିଥିଲେ ଏ ବିବାଦର ଆପୋସ ସମାଧାନ ଆଉ ସମ୍ଭବ ନୁହେଁ। ଟ୍ରିବ୍ୟୁନାଲ ହିଁ ଏକମାତ୍ର ରାସ୍ତା। ଏ ନେଇ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସଂସଦରେ ମତ ରଖିଛନ୍ତି। ଯେଉଁ କଥା ସଂସଦରେ ମନ୍ତ୍ରୀ କହିସାରିଲେଣି, ବୁଝାମଣା ବିଫଳ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ଓକିଲ କୋର୍ଟରେ ସ୍ପଷ୍ଟ ମତ ରଖିନପାରିବା ତର୍କ ହାସ୍ୟାସ୍ପଦ। ଏମିତିରେ ବି କେନ୍ଦ୍ର ସତ୍ୟପାଠ କରି ନଭେମ୍ବର ୧୧ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିସାରିଛନ୍ତି। ବର୍ଷେ ବିତିଲା, ଏ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହିତ ତୁରନ୍ତ କେନ୍ଦ୍ରକୁ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦେଶ ଦେବାକୁ ରୋହତଗି ଯୁକ୍ତି ରଖିଥିଲେ। କେନ୍ଦ୍ର ଓ ଛତିଶଗଡ଼ର ସବୁ ଯୁକ୍ତିକୁ ଓଡ଼ିଶା ପକ୍ଷରୁ କଡ଼ା ଶବ୍ଦରେ ଖଣ୍ଡନ କରାଯାଇଥିଲା ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ସି ଏସ୍ ବୈଦ୍ୟନାଥନ୍ ଓ଼ଡ଼ିଶାର ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ। ତର୍କ ରଖିଥିଲେ, ଓଡ଼ିଶା ସରକାର ପୋଲାଭରମ୍ ପ୍ରକଳ୍ପରେ ଆପୋସ ବିଚାର ବିମର୍ଶ କରି ମାମଲାର ସମାଧାନ ପାଇଁ ଯେତେବେଳେ ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଇପାରୁଛନ୍ତି, ମହାନଦୀ ଜଳ ବିବାଦରେ ଆପୋସ ଆଲୋଚନା ପାଇଁ କାହିଁକି ପ୍ରସ୍ତୁତ ହେଉନାହିଁ। ଖଣ୍ଡପୀଠ କିନ୍ତୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଓଡ଼ିଶା-କେନ୍ଦ୍ର ମଧ୍ୟରେ ଯୁକ୍ତି ଚାଲିଥିବା ବେଳେ ଆପଣ କାହିଁକି କେନ୍ଦ୍ରର ଓକିଲାତି କରୁଛନ୍ତି। ଚୁପ୍ ହୋଇ ବସିବାକୁ କୋର୍ଟ ତାଗିଦ୍ କରିଥିଲେ। ଖଣ୍ଡପୀଠ ଏକଥା ବି କହିଥିଲେ, ଆଲୋକ ଅପେକ୍ଷା ତାତି ଅଧିକ। ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ଗ୍ରହଣ କରୁନାହଁ କି ବୋଲି ନାଦକର୍ଣ୍ଣୀଙ୍କୁ ପଚାରିଥିଲେ। ନାଦକର୍ଣ୍ଣୀ ଏଥର ପୁଣି ଏକ ନୂଆ ଯୁକ୍ତି ରଖି କହିଥିଲେ, ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଏକକ ଟ୍ରିବ୍ୟୁନାଲ ଗଠନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଡ଼ିଶାର ଟ୍ରିବ୍ୟୁନାଲ ଦାବିକୁ ଏଥିରେ ସାମିଲ କରାଯାଇପାରିବ। ମାତ୍ର ଏହାର ପ୍ରଭାବ କୋର୍ଟଙ୍କ ଉପରେ ପଡିନଥିଲା। ବରଂ ଖଣ୍ଡପୀଠ କହିଥିଲେ, ଏସବୁ ପ୍ରସଙ୍ଗକୁ ପରବର୍ତୀ ସମୟରେ ବିଚାର କରାଯିବ। ସମାଧାନ ବିଫଳ ହୋଇଛି, ଏକଥା ଥରେ ମନ୍ତ୍ରୀ ସ୍ୱୀକାର କରିସାରିଛନ୍ତି। ଏବେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିପାରିବ ନାହିଁ। ଅତଏବ ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କର। ଖଣ୍ଡପୀଠ ଆହୁରି କହିଥିଲେ, ସୁପ୍ରିମକୋର୍ଟରେ ଯେଉଁ ମୂଳ ଅଭିଯୋଗ ହୋଇଥିଲା, ସେସବୁ ଏବେ ଟ୍ରିବ୍ୟୁନାଲରେ ହିଁ ଶୁଣାଣି ହେବ। ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ଯେଉଁ ବ୍ୟାରେଜ ନିର୍ମାଣ ହେଉଛି, ତାହାର ଶୁଣାଣି ବି ଟ୍ରିବ୍ୟୁନାଲ କରିବ। ଏଥିସହିତ ମହାନଦୀ ଶୁଣାଣି ଶେଷ ହୋଇଛି। ପ୍ରକାଶଥାଉକି, ଟ୍ରିବ୍ୟୁନାଲ ଗଠନ ହେଲେ, ସେଥିରେ ଜଣେ ଅଧ୍ୟକ୍ଷଙ୍କ ସମେତ ଦୁଇଜଣ ସଦସ୍ୟ ରହିବେ। ପ୍ରଧାନ ବିଚାରପତି ଏମାନଙ୍କୁ ମନୋନୀତ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Supreme-Court_1-1.jpg)