ନୂଆଦିଲ୍ଲୀ: ବେଆଇନ୍ ଖଣି ଖନନ ମାମଲାରେ ଆଜି ସୁପ୍ରିମକୋର୍ଟ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଚାରପତି ଜଷ୍ଟିସ ମଦନ ବି ଲକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆଜି ନିର୍ଦେଶ ଦେଇଛନ୍ତି ଯେ ଯେଉଁ ଖଣି ମାଲିକ ଜରିମାନା ଅର୍ଥ ପୈଠ କରିନାହାନ୍ତି, ସେମାନଙ୍କ ଠାରୁ ଏଣିକି ୧୨ ପ୍ରତିଶତ ସୁଧ ହାରରେ ଜରିମାନା ଆଦାୟ କରାଯିବ। ଇଡକଲ୍ ଏହି ଅର୍ଥ ଆଦାୟ କରିବ। କେବଳ ସେତିକି ନୁହେଁ, ଏହା ସତ୍ତ୍ୱେ ଯେଉଁମାନେ ଖିଲାପୀ ରହିବେ, ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଛନ୍ତି। ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରାଯାଇଥିଲା। ରାଜ୍ୟ ସରକାର ସିଇସିଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ବେଆଇନ ଖଣି ଖନନରେ ସଂପୃକ୍ତ ଲିଜ୍ଧାରୀଙ୍କ ଠାରୁ ଜରିମାନା ବାବଦରେ ୮୨୮୯ କୋଟି ୩୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଏହି ସମୟ ଅବଧି ପରେ ଆଉ ଦୁଇ ଜଣ ଲିଜ୍ଧାରୀ ୨ ହଜାର କୋଟି ଟଙ୍କା ପୈଠ କରିଛନ୍ତି। ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଜରିମାନା ବାବଦରେ ୧୦ ହଜାର ୨୮୯ କୋଟି ଟଙ୍କା ଆଦାୟ ହୋଇଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ଶୁଣାଣି ସମୟରେ ଆବେଦନକାରୀ କମନ୍ କଜ୍ ସଂସ୍ଥା ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଜରିମାନା ପୈଠ କରିନଥିବା ଖଣି ଲିଜ୍ଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖଣ୍ଡପୀଠଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ସମୟ ସୀମା ସରିବାର ୧୦ ଦିନ ପରେ ବି ଲିଜ୍ଧାରୀ ଅର୍ଥ ପୈଠ କରିଥିବା ସଂପର୍କରେ ଇଡକଲ୍ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ କହିଥିଲେ, ଯେଉଁମାନେ ଜରିମାନା ଦାଖଲ କରିନାହାନ୍ତି, ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଖଣି ଲିଜ୍ଧାରୀଙ୍କ ଓକିଲ ନବୀନ କୁମାରଙ୍କ କହିବାନୁସାରେ, ଜରିମାନା ଆଦାୟ ପାଇଁ ସରକାର ଚାହିଁଲେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ଏ ସଂକ୍ରାନ୍ତରେ କୋର୍ଟ ନିର୍ଦେଶ ଦେଇଛନ୍ତି। ଏପରିକି ଖଣି ଲିଜ୍ଧାରୀଙ୍କ ସଂପତ୍ତି ବାଜ୍ୟାପ୍ତ କରିବା ପାଇଁ ବି ପଦକ୍ଷେପ ନିଆଯାଇପାରିବ।
ମିଳିଥିବା ସୂଚନା ଅନୁସାରେ, ଦଶଦିନ ପରେ ଇଡକଲ୍ ଓ ଏସେଲ୍ ମାଇନିଂ ବାବଦରେ ପୁଣି ଥରେ ଶୁଣାଣି ହେବ। ଏସେଲ୍ ମାଇନିଂ ସଂପର୍କରେ ରାଜ୍ୟ ସରକାର ଓ ଆମିକଶ କ୍ୟୁରି ଉତ୍ତର ଦାଖଲ କରିବା ପରେ ଶୁଣାଣି ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଏଥିସହିତ ଏହି ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଜରିମାନା ପୈଠ କରିନଥିବା ଲିଜ୍ଧାରୀମାନଙ୍କ ବିରୋଧରେ ନିର୍ଦିଷ୍ଟ କି ଆଇନଗତ ପଦକ୍ଷେପ ନିଆଯିବ ସେ ନେଇ କୋର୍ଟଙ୍କୁ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ବେଆଇନ ଖଣି ଖନନ ମାମଲାରେ ସୁପ୍ରିମକୋର୍ଟ ଖଣି ଲିଜ୍ଧାରୀଙ୍କୁ ଶତ ପ୍ରତିଶତ ଜରିମାନା ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେବାକୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ରାଜ୍ୟ ସରକାର ୧୩୧ଟି ଖଣି ଲିଜ୍ଧାରୀଙ୍କୁ ଜରିମାନା ପୈଠ ପାଇଁ ଡିମାଣ୍ଡ ନୋଟିସ ପଠାଇଥିଲେ। ଏମାନଙ୍କ ମଧ୍ୟରୁ କାର୍ଯ୍ୟକ୍ଷମ ଥିବା ୪୪ଟି ଖଣି ଓ ୩୮ଟି ଅଚଳ ଖଣି ଲିଜ୍ଧାରୀ ଜରିମାନା ପୈଠ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/supreme.jpg)