ତଟ ସୁରକ୍ଷା ସର୍ବୋଚ୍ଚ କମିଟି ବୈଠକ: ତଟ ସୁରକ୍ଷା ଭିତ୍ତିଭୂମିର ୩ୟ ପର୍ଯ୍ୟାୟରେ ଅଧିକ ଥାନା, ଜେଟି ନିର୍ମାଣ

ଭୁବନେଶ୍ବର : ତଟ ଅଞ୍ଚଳର ସୁରକ୍ଷା ପାଇଁ ରାଜ୍ୟ ସରକାର ୧୮ ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି। ଏହିସବୁ ଥାନା ପାଇଁ ୭୩୮ ପୁଲିସ ଅଧିକାରୀ ଓ କର୍ମଚାରୀ ପଦବି ମଞ୍ଜୁର ହୋଇଛି। ସାମୁଦ୍ରିକ ଥାନାମାନଙ୍କ ପାଇଁ ୨୭୦ ଜଣ ଗୃହରକ୍ଷୀ, ୧୧୦ ଟେକ୍ନିକାଲ୍ ଅଧିକାରୀ, ୧୫ ଦ୍ରୁତ ଇନ୍‌ସେପ୍ଟର ବୋଟ୍ ଆଦିର ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ଥାନା ପାଇଁ ଆବଶ୍ୟକୀୟ ଗାଡି ପେଟ୍ରୋଲିଂ ନିମନ୍ତେ ଯୋଗାଇ ଦିଆଯାଇଛି। ତଟ ସୁରକ୍ଷା ଭିତ୍ତିଭୂମି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଅଧିକ ଥାନା ପ୍ରତିଷ୍ଠା, ଜେଟି ନିର୍ମାଣ, ଦ୍ରୁତ ଇସ୍‌ସେପ୍ଟର ବୋଟ୍ ଆଦି ନିୟୋଜିତ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।

‌ବୁଧବାର ଦିନ ଚିଲିକାସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନ୍‌ରେ ଅନୁଷ୍ଠିତ ତଟ ସୁରକ୍ଷା ନିମନ୍ତେ ଗଠିତ ସର୍ବୋଚ୍ଚ କମିଟିର ବୈଠକରେ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ କୁହାଯାଇଥିଲା ଯେ ସମୁଦ୍ରରେ ମାଛ ଧରୁଥିବା ରାଜ୍ୟର ମତ୍ସ୍ୟଜୀବୀଙ୍କୁ ପରିଚୟପତ୍ର ଦିଆଯାଇଛି। ତଟ ଅଞ୍ଚଳ ଗ୍ରାମରେ ରହୁଥିବା ଲୋକମାନଙ୍କର ପରିଚୟ ପତ୍ର ଯାଞ୍ଚ କରିବା ପାଇଁ ସାମୁଦ୍ରିକ ଥାନାମାନଙ୍କୁ ଏନପିଆର କାର ରିଡର ଯୋଗାଇ ଦିଆଯାଇଛି। ସେହିପରି ବିଭିନ୍ନ ତଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସମନ୍ୱୟ ସହିତ ତଟ ସୁରକ୍ଷାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ତଟ ସୁରକ୍ଷା ପାଇଁ ପ୍ରତିଷ୍ଠା କରାଯାଇଥିବା ତଟ ସୁରକ୍ଷା ପୁଲିସ୍ ଷ୍ଟେସନ୍, କୋଷ୍ଟ ଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତୃପକ୍ଷ, ମତ୍ସ ଓ ପଶୁସଂପଦ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପରସ୍ପର ମଧ୍ୟରେ ଗୁପ୍ତ ତଥ୍ୟର ନିୟମିତ ଆଦାନ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହିସବୁ ସଂସ୍ଥା ଓ ବିଭାଗମାନଙ୍କ ମାଧ୍ୟମରେ ସୃଷ୍ଟି କରାଯାଇଥିବା ସୁରକ୍ଷା ଭିତ୍ତିଭୂମି, ସୂଚନା ସରବରାହ ବ୍ୟବସ୍ଥା, କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା, ଦ୍ରୁତ ଗତି କରୁଥିବା ବୋଟ୍ ଓ ଜେଟି ଆଦିକୁ ପରସ୍ପର ମଧ୍ୟରେ ବ୍ୟବହାର କରିବା ସହ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ କୁହାଯାଇଛି।

ଉପକୂଳରେ ଆତଙ୍କବାଦୀ କାର୍ଯ୍ୟକଳାପ, ଚୋରା ଚାଲାଣ, ବେଆଇନ କାର୍ଯ୍ୟକଳାପ, ଅନୁପ୍ରବେଶର ନିରାକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ସଂସ୍ଥା, ବିଭାଗମାନେ ମିଳିତଭାବେ କାର୍ଯ୍ୟ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ନିରୀକ୍ଷଣ, ଗୁପ୍ତ ତଥ୍ୟ ସଂଗ୍ରହ, ପେଟ୍ରୋଲିଂ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହି ସବୁ ଅସାମାଜିକ ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ଲୋପ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ ନୌବାହିନୀର ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା, କୋଷ୍ଟ ଗାର୍ଡର ଆଇଜି ଏମ୍.ଭି ପାଠକ, ତଟ ନିରାପତ୍ତା ନୋଡାଲ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ, ଆଇଟିଆର ଚାନ୍ଦିପୁରର ଲେଫ୍‌ଟନାଣ୍ଟ କର୍ଣ୍ଣେଲ୍ ଅନୁରାଗ ସେନଙ୍କ ସମେତ ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର କର୍ତୃପକ୍ଷ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର