ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିଚାଳନା ନେଇ ଆଜି ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି।  ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ନିମ୍ନ ଅଦାଲତ ବା ପୁରୀ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ଆଜି ସୁପ୍ରିମ କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ ସେଥିରେ  ହସ୍ତକ୍ଷେପ ନ କରି ଶ୍ରୀମନ୍ଦିର ପରିଚାଳନାଜନିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ସୁପିମ କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଶ୍ରୀମନ୍ଦିର  ରତ୍ନଭଣ୍ଡାରର ଚାବି ହଜିବା,  ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ହଇରାଣ ହରକତ ହେବା ଓ ସର୍ବୋପରି ଶ୍ରୀମନ୍ଦିରର ବିଭିନ୍ନ ଉତ୍ସରୁ ହେଉଥିବା ଆୟ ଓ ବ୍ୟୟ ନେଇ ଠିକ୍‌ ବିବରଣୀ ଲୋକଙ୍କୁ ମିଳୁ ନ ଥିବା ନେଇ  ମୃଣାଳିନୀ ବାରିକ ନାମକ ଜଣେ ମହିଳା ସୁପ୍ରିିମ କୋର୍ଟର୍ରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ବେଞ୍ଚ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ଏ ନେଇ ହାଇକୋର୍ଟଙ୍କ ରାୟ ଆସିବା ପଯ୍ୟନ୍ତ ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗକୁ  ଟାଳି ଦେଇଛନ୍ତି। ସେହିପରି ପରିଚାଳନାଗତ ତ୍ରୁଟି ସମ୍ପର୍କରେ ସୁପ୍ରିମ କୋର୍ଟ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ସୁପ୍ରିମେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିରର ଆୟ, ହୁଣ୍ଡିରୁ ହେଉଥିବା ଆୟ ସହିତ ଅନ୍ୟ ଉତ୍ସରୁ ହେଉଥିବା ଆୟ ସମ୍ପର୍କରେ ମଧ୍ୟ ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର