ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୀବ ଦାସଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଆଇନଜୀବୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ମୀରା ଦାସଙ୍କ ଜ୍ୟେଷ୍ଠପୁତ୍ର ସଞ୍ଜୀବ ଦାସଙ୍କ ଅକାଳ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ୧୯୯୦ରୁ ସଞ୍ଜୀବ ଦାସ ଆଇନଜୀବୀ ଭାବେ ପେସା ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟ, ଦ୍ଲିଲ୍ଲୀ ହାଇକୋର୍ଟ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ମାମଲା ପରିଚାଳନାରେ ଜଣେ ଦକ୍ଷ ଓକିଲ ରୂପେ ସେ ଖ୍ୟାତି ଅର୍ଜନ କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ୟାନେଲ ଓକିଲ ରୂପେ ମଧ୍ୟ ସେ କାର୍ଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ସଞ୍ଜୀବ ଦାସ ଗୁରୁବାର ଦିନ ସୁପ୍ରମକୋର୍ଟ ପରିସରରେ କରୋନା ଟିକା ନେଇଥିଲେ। ତା’ପରେ ସ୍ୱାଭାବିକ ଭାବେ ନିଜର କାର୍ଯ୍ୟ ଶେଷ କରି ଦ୍ୱାରିକାସ୍ଥିତ ବାସଭବନକୁ ଫେରିଥିଲେ। ରାତ୍ରିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍‌ପିଟାଲକୁ ନିଆଯାଇଥିଲା। ହସ୍‌ପିଟାଲକୁ ପହଞ୍ଚିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ କରାଯିବା ପରେ ବଡ଼ଧରଣ ହୃଦ୍‌ଘାତରୁ ତାଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଥିଲା।

ଗତକାଲି ଦିଲ୍ଲୀର ଦ୍ୱାରିକା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଥିଲା। ତାଙ୍କର ପତ୍ନୀ ପ୍ରୀତି ଦାସ ଏକ ଏମ୍‌ଏନ୍‌ସିରେ କାର୍ଯ୍ୟରତ ଅଛନ୍ତି ଏବଂ ଝିଅ ରାଧିକା ନିକଟରେ ସାମ୍ବାଦିକତାରେ ତାଙ୍କର କ୍ୟାରିଅର ଆରମ୍ଭ କରିଛନ୍ତି । ସଞ୍ଜୀବ ଜଣେ ମେଳାପି, ପରୋପକାରୀ ବ୍ୟକ୍ତି ରୂପେ ଦିଲ୍ଲୀର ଆଇନଜୀବୀ ମହଲରେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଇଛି।

ସମ୍ବନ୍ଧିତ ଖବର