ସୁପ୍ରିମ୍‌କୋର୍ଟ ଆଇନ୍‌ଜୀବୀଙ୍କ ଅଭିନବ ପ୍ରତିବାଦ : ଦେହରେ ଆଙ୍କିଲେ ବାସ୍ତୁହରାଙ୍କ କରୁଣ ଚିତ୍ର

ସମ୍ବଲପୁର : ଆଇନ୍‌ଜୀବୀ ମାନେ ପିନ୍ଧୁଥିବା ଧଳା ପ୍ୟାଣ୍ଟ ପିନ୍ଧିଥିଲେ, କିନ୍ତୁ ଉପର ଶରୀର ଥିଲା ସଂପୂର୍ଣ୍ଣ ମୁକୁଳା। ଖୋଲା ଦେହ ଉପରେ ଛାତିରେ, ପେଟରେ, ପିଠିରେ, ଦୁଇ ହାତରେ, ମୁହଁରେ ରଂଗ ବୋଳି ଆଙ୍କିଥିଲେ ବିଭିନ୍ନ ଚିତ୍ର। ଏଭଳି ଅବସ୍ଥାରେ ହାତରେ କାଗଜ ପତ୍ର ଧରି ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌ଙ୍କ ସମ୍ବଲପୁର କାର୍ଯ୍ୟାଳୟକୁ ଆସିଥିବା ଏହି ବ୍ୟକ୍ତି ଜଣକ କୌଣସି ସାଧାରଣ ଲୋକ ନୁହନ୍ତି, ସେ ହେଉଛନ୍ତି ଜଣେ ସୁପ୍ରିମ୍ କୋର୍ଟର ଆଇନ୍‌ଜୀବୀ। ସୁପ୍ରିମ୍ କୋର୍ଟର ଆଇନ୍‌ଜୀବୀ ହୋଇ ଏଭଳି ଢଙ୍ଗରେ ଆର୍‌ଡିସି କାର୍ଯ୍ୟାଳୟକୁ ଆସିବା ପଛର କାରଣ ସଂପର୍କରେ ପଚାରିବାରେ ସେ ଯାହା କହିଲେ‌, ସେଥିରୁ କେବଳ ତାଙ୍କର ନୁହେଁ ହଜାର ହଜାର ପରିବାରର ପିଢ଼ି ପିଢ଼ିର ଦୁଃଖ ଓ ବେଦନା ସ୍ପଷ୍ଟ ବାରି ହେଉଥିଲା।

ସେ ହେଉଛନ୍ତି ସୁପ୍ରିମ୍ କୋର୍ଟର ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ। ତାଙ୍କ‌ ପେଟରେ ଅଙ୍କା ହୋଇଥିଲା ହୀରାକୁଦ ବନ୍ଧର ଚିତ୍ର। ଛାତିରେ ସ୍ଥାନ ପାଇଥିଲା ବନ୍ଧ ପାଇଁ ବିସ୍ଥାପିତ ହୋଇ ଘର ଛାଡ଼ି ଯାଉଥିବା ବାସ୍ତୁହରା ଲୋକଙ୍କ ଚିତ୍ର। ଗୋଟିଏ ହାତରେ ଲେଖା ହୋଇଥିଲା ଡେଭେଲପ୍‌ମେଣ୍ଟ (ବିକାଶ) ଓ ଅନ୍ୟ ହାତରେ ଲେଖା ଯାଇଥିଲା ଡିସ୍‌ପ୍ଲେସ୍‌ମେଣ୍ଟ (ବିସ୍ଥାପନ)। ତାଙ୍କ ପିଠିରେ ଗଣତନ୍ତ୍ରର ଚାରିଟି ସ୍ତମ୍ଭ ବିଧାୟିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ଗଣମାଧ୍ୟମର ପ୍ରତୀକ ଚିତ୍ର ରହିଥିଲାବେଳେ ମଝିରେ ଭାରତ ମାତା ଲୁହ ଗଡ଼ାଉଥିଲେ।

୭୦ ବର୍ଷ ଧରି ହୀରାକୁଦ ବିସ୍ଥାପିତ ମାନେ ସହି ଆସିଥିବା ଦୁଃଖ, ଯନ୍ତ୍ରଣା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରତିଟି ବାସ୍ତୁହରା ପରିବାରକୁ ନ୍ୟାୟ ଦେବା ଦାବିରେ ସେ ଏଭଳି ଅଭିନବ ରୂପ ଧାରଣ କରିଥିବା ଶ୍ରୀ ତ୍ରିପାଠୀ କହିଥିଲେ। ସେ କହିଲେ ଯେ ଆମେ ଦଶନ୍ଧିଦଶନ୍ଧି ଧରି ବିଭିନ୍ନ ଫୋରମ୍‌ରେ ବିସ୍ଥାପିତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରି ଆସିଛୁ। କିନ୍ତୁ ସରକାରଙ୍କ ତରଫରୁ ଆଜି ଯାଏ ଯାହା କିଛି କରାଯାଇଛି ସବୁ ଧର୍ମକୁ ଆଖିଠାର ଭଳି। ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ଦେବା ପାଇଁ ଜାତୀୟ ମାନବାଧିକାର କମିସନଙ୍କ ନ‌ିର୍ଦ୍ଦେଶକୁ ପାଳନ କରିବାରେ ସରକାର ଅବହେଳା କରିଛନ୍ତି ଓ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଥିଲେ। ତେଣୁ ସାମ୍ବିଧାନିକ ଓ ଆଇନ୍‌ଗତ ଦୃଷ୍ଟିକୋଣରୁ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ସମୟବଦ୍ଧ ପଦକ୍ଷେପ ନେବାକୁ ସେ ଆର୍‌ଡିସିଙ୍କୁ ଅନୁରୋଧ କରିଥିଲେ।

ହୀରାକୁଦ ବିସ୍ଥାପିତଙ୍କ ଥଇଥାନ, ପୁନର୍ବାସ ଓ କ୍ଷତିପୂରଣ ପ୍ରଦାନରେ ଯଥା ସମ୍ଭବ ପାରଦର୍ଶୀ ପଦକ୍ଷେପ ଗ୍ରହଣ କରିବା, ‌ରାଜସ୍ବ ରେକର୍ଡ, ଭୋଟ ପରିଚୟ ପତ୍ର ଓ ରାସନ କାର୍ଡ ଆଧାରରେ ବିସ୍ଥାପିତ ଲୋକଙ୍କ ତଥ୍ୟ ସଂଗ୍ରହ କରିବା, ସମସ୍ତ ପୀଡ଼ିତଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସାମାଜିକ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ କରିବା, ବିସ୍ଥାପିତ ମାନେ କରୁଥିବା ବିକ୍ଷୋଭ, ପ୍ରତିବାଦ ଓ ଏ ସଂପର୍କିତ ଗଣମାଧ୍ୟମ ରିପୋର୍ଟକୁ ଉପଯୁକ୍ତ ଗୁରୁତ୍ବ ପ୍ରଦାନ କରିବା, ମାନବାଧିକାର କମିସନ୍‌ଙ୍କ ନିର୍ଦ୍ଦେଶ ଓ ସୁପାରିସ୍‌କୁ ପାଳନ କରିବା, କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ପାଇଁ ଦାୟି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବି ସମ୍ବଳିତ ସ୍ମାରକପତ୍ର ସେ ଆର୍‌ଡିସିଙ୍କୁ ପ୍ରଦାନ କରିଥିଲେ। ତାଙ୍କ ସହ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଲଖନପୁରର ସଂପାଦକ ଗୋପୀନାଥ ମାଝି, ହରିପ୍ରିୟା ମାଝି, ନରେଶ ଚନ୍ଦ୍ର ପ୍ରମୁଖ ଆର୍‌ଡିସିଙ୍କୁ ସାକ୍ଷାତ କରିଥିଲେ। ସେହିପରି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ସମ୍ବଲପୁର ପକ୍ଷରୁ ଏହାର ସଭାପତି ଶୈଳବାଳା ପ୍ରଧାନ, ସଂପାଦକ ପ୍ରଫୁଲ୍ଲ କୁମାର ବକ୍ସି, କୋଷାଧ୍ୟକ୍ଷ କୃଷ୍ଣଦୟାଲ ପଣ୍ଡା ପ୍ରମୁଖ ଆର୍‌ଡିସିଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ ପ୍ରତି ଉଦ୍‌ବାସ୍ତୁ ପରିବାରକୁ ୧୦ ଡିସିମିଲ୍ ଲେଖାଏଁ ଘରଡିହ, ବାସଚ୍ୟୁତ ପ୍ରମାଣପତ୍ର ପ୍ରଦାନ, ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ପାଳନ ଓ ୩୪ଟି ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରିବାକୁ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର