ସୁପ୍ରିମକୋର୍ଟରେ ଲୁହାପଥର ଖଣି ଦୁର୍ନୀତି ମାମଲା: ଓଡ଼ିଶା ସମେତ ୩ ରାଜ୍ୟଙ୍କୁ ନୋଟିସ୍

କେନ୍ଦ୍ର, ସିବିଆଇକୁ ବି ନୋଟିସ୍ : ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୁହାପଥର ଖଣି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଓଡ଼ିଶା ସମେତ ୩ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅନ୍ୟ ଦୁଇ ରାଜ୍ୟ ହେଲେ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ। ଏଥିସହିତ, କେନ୍ଦ୍ର ସରକାର ଓ ସିବିଆଇକୁ ବି ନୋଟିସ୍‌ ଜାରି କରାଯାଇଥିବାବେଳେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୩୫୮ ଖଣିକୁ ପ୍ରଦାନ କରାଯାଇଥିବା ଲିଜ୍ ବାତିଲ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟର ବିଚାରପତି ଏସ୍.ଏ. ବବଡେ ଓ ବିଚାରପତି ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟଙ୍କୁ ସହଯୋଗ କରିବାପାଇଁ ଆଇନଜୀବୀ ପି.ଏସ୍. ନରସିଂହଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରାଯାଇଛି। ଲୁହାପଥର ଖଣି ଲିଜ୍ ପ୍ରଦାନ କରିବା ମାମଲାରେ ୬ ଲକ୍ଷ କୋଟି ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରି ଆଇନଜୀବୀ ଏମ.ଏଲ. ଶର୍ମା ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଆବେଦନକାରୀ ଏମ୍ଏମ୍ଆରଡି ଆଇନର ସେକ୍ସନ ୮(କ) କୁ ଚ୍ୟାଲେଞ୍ଜ କରି ୨୦୧୪-୧୫ରେ ଆବଣ୍ଟନ କରାଯାଇଥିବା ଲିଜ୍, ସଂପ୍ରସାରଣ କରାଯାଇଥିବା ଲିଜ୍ ତଥା ଜାରି ରହିଥିବା ଲିଜ୍ ଗୁଡ଼ିକୁ ବାତିଲ କରିବା ପାଇଁ ପ୍ରାର୍ଥନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, କୌଣସି ପ୍ରକାର ସଦ୍ୟ ଆକଳନ କରାନଯାଇ ତଥା ଖଣିଗୁଡ଼ିକର ମୂଲ୍ୟ ନିରୂପଣ ପାଇଁ ନିଲାମୀ ପ୍ରକ୍ରିୟାକୁ ଅନୁସରଣ ନକରି ମାଗଣାରେ ଲିଜ୍ ଆବଣ୍ଟନ କରାଯାଇଥିଲା। ଏହା ବେଆଇନ, ଏକତରଫା ଓ ଅସମ୍ବିଧାନିକ । ଏହି ମାମଲାରେ ସିବିଆଇ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଆବେଦନକାରୀ ଖଣ୍ଡପୀଠଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଆହୁରି ମଧ୍ୟ ଦାବି କରିଥିଲେ ଯେ, ଲିଜ୍ ସମ୍ପ୍ରସାରଣ ଖଣି ଆବଣ୍ଟନ ମାମଲାର କୋର୍ଟ ତତ୍ତ୍ବାବଧାନରେ ତଦନ୍ତ କରାଯାଉ। ମାଗଣାରେ ଖଣିଗୁଡ଼ିକର ଆବଣ୍ଟନ ଯୋଗୁ ସର୍ବସାଧାରଣ ଓ ସରକାରଙ୍କ ରାଜସ୍ବରେ ବିପୁଳ କ୍ଷତି ହୋଇଛି ଏବଂ କ୍ଷତି ହୋଇଥିବା ରାଜସ୍ବକୁ ମାଇନିଂ ସଂସ୍ଥାମାନେ ଭରଣା କରନ୍ତୁ।

କେନ୍ଦ୍ର, ସିବିଆଇକୁ ବି ନୋଟିସ୍ : ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ, କୋର୍ଟଙ୍କୁ ସହଯୋଗ କରିବା ପାଇଁ ଆମିକସ୍‌ କ୍ୟୁରି ନିଯୁକ୍ତ

ପ୍ରକାଶଥାଉକି, ୨୦୧୫ ଏପ୍ରିଲ ୧୮ ତାରିଖରେ ଓଡ଼ିଶା ସରକାର ୨୬ଟି ଖଣିର ଲିଜ୍‌କୁ ସମ୍ପ୍ରସାରଣ କରିଥିଲେ ଏବଂ ଏଥିରେ ୮ଟି କ୍ୟାପଟିଭ୍ ମାଇନ୍ସ ଓ ୧୮ ନନ୍‌କ୍ୟାପଟିଭ୍ ମାଇନ୍ସ ଅନ୍ତର୍ଭୁକ୍ତ ଥିଲା । ୮ଟି କ୍ୟାପଟିଭ୍ ମାଇନ୍ସର ଲିଜ୍ ଅବଧିକୁ ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ନନ୍‌କ୍ୟାପଟିଭ୍ ମାଇନ୍ସକୁ ୫ ବର୍ଷ ପାଇଁ ସମ୍ପ୍ରସାରଣ କରାଯାଇଥିଲା । ସେହିପରି ଓଡ଼ିଶାରେ ୮ଟି ଆଇରନ୍ ବ୍ଲକ୍ ଦୀର୍ଘଦିନରୁ ମାଗଣାରେ ଲିଜ୍‌ରେ ପ୍ରଦାନ କରାଯାଇଥିଲା ଏବଂ ସେଗୁଡ଼ିକର ୨୦୩୦ ପ୍ରର୍ଯ୍ୟନ୍ତ ସମ୍ପ୍ରସାରଣ ଓ ନିବୀକରଣ କରାଯାଇଛି । ଡିସେମ୍ବର ୪, ୨୦୧୫ରେ ଓଡ଼ିଶା ସରକାର ୫୪ଟି ଲୁହାପଥର ଖଣିର ଲିଜ୍ ଅବଧିକୁ ସମ୍ପ୍ରସାରଣ କରିଥିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର