ଭୁବନେଶ୍ବର : ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ(ସ୍ବତନ୍ତ୍ର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା) ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ଲାଗି ସୁପ୍ରିମ୍କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଦୁଇ ଦୁଇ ଥର ସୁପ୍ରିମକୋର୍ଟକୁ ଯିବା ପରେ ବିଦ୍ୟାଳୟରେ ସ୍ବତନ୍ତ୍ର ତାଲିମ୍ପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ‘ଓଡ଼ିଶା ସ୍ପେସାଲ୍ ଏଜୁକେଟର ଫେଡେରସନ୍ ଫର୍ ଦିବ୍ୟାଙ୍ଗ’ ସଂଘ ଦାବି କରିଛି। ଏ ନେଇ ଆଜି ସଂଘ ପକ୍ଷରୁ ରାକେଶ ସାହୁ ଓ ଆୟୂଷ୍ମାନ ଚୌଧୁରୀ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବିଷୟରେ ଅବଗତ କରାଇଛନ୍ତି।
ସଂଘ ଦାବି ମୁତାବକ ଓଡ଼ିଶାର ୬୪ ହଜାରରୁ ଅଧିକ ବିଦ୍ୟାଳୟରେ ପ୍ରାୟ ୮୨ହଜାର ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ସେମାନଙ୍କ ପାଇଁ ତାଲିମପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ନାହାନ୍ତି। ଏନେଇ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିବା ପରେ ଗତ ବର୍ଷ ଅକ୍ଟୋବର ୨୮ ତାରିଖ ଦିନ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ସବୁ ରାଜ୍ୟ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ କମିସନର ସତ୍ୟପାଠ ଦାଖଲ କରିଥିଲେ। ସତ୍ୟାପାଠ ସୂଚନା ମୁତାବକ, ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଦୁଇଟି ଲେଖାଏଁ ବ୍ଲକ୍ ରିସୋର୍ସ ଟିଚର (ବିଆର୍ଟି) ପଦରେ ୬୩୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କୁହାଯାଇଛି। ସେହିଭଳି ରାଜ୍ୟର ୬୨ଟି ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ୧୮୪୬ ସିଟ୍ ରହିଛି ବୋଲି ଦର୍ଶାଯାଇଛି।
ଏହି ସତ୍ୟପାଠ ଦାଖଲ ହେବା ପରେ ସୁପ୍ରିମକୋର୍ଟ ଚଳିତ ମାସ ୨୧ ତାରିଖରେ ଆଉ ଥରେ ରାଜ୍ୟ ସରକାରମାନଙ୍କୁ ଆଦେଶ ଦେଇଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତି ୧୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବେ। ଏପରିକି ଯଦି ଗୋଟିଏ ବିଦ୍ୟାଳୟରେ ଜଣେ ଦିବ୍ୟାଙ୍ଗ ପିଲା ଅଛି, ସେଠାରେ ମଧ୍ୟ ଜଣେ ସ୍ବତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା, ବିଏଡ୍ ଓ ଏମ୍ଏଡ୍ କରି ୧୮ ଶହରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ନ ପାଇ ଘରେ ବସିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ଥିବା ୬ହଜାରରୁ ଊର୍ଦ୍ଧ୍ବ ଆଶାୟୀ ଉପକୃତ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/supreme-court-f.jpg)