ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ଶ୍ରୀମନ୍ଦିର ପ୍ରଶାସନ : ସେବାୟତଙ୍କୁ ନଦେଇ ଦାନ ହୁଣ୍ଡିରେ ପକାଅ

ପୁରୀ : ଶ୍ରୀମନ୍ଦିର ପରିସରରେ ସେବାୟତ, କର୍ମଚାରୀ ଆଉ ଦାନ ନେଇପାରିବେ ନାହିଁ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ବଢୁଥବା ଶୋଷଣକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଗତକାଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିିଛି।

ମନ୍ଦିର ପ୍ରଶାସନ ପକ୍ଷରୁ ଏ ସଂପର୍କରେ ଏକ ନୋଟିସ୍‌ ଜାରି କରାଯାଇଛି। ନୋଟିସ୍‌ ସଂପର୍କରେ ଭକ୍ତଙ୍କୁ ଅବଗତ କରାଯାଇଛି। ସିଂହଦ୍ଵାର ସୂଚନା କେନ୍ଦ୍ରରେ ଡାକବାଜି ଯନ୍ତ୍ର ସହାୟତାରେ ଭକ୍ତଙ୍କୁ ଅବଗତ କରାଯିବା ସହିତ ଦାନକୁ ହୁଣ୍ଡିରେ ପକାଇବାକୁ ନିବେଦନ କରାଯାଇଛି। ଖୁବ୍‌ଶୀଘ୍ର ଏ ନିଷ୍ପତ୍ତି ସଂପର୍କରେ ବିଭିନ୍ନ ନିଯୋଗକୁ ଚିଠି ଦ୍ଵାରା ଅବଗତ କରାଯିବ।

ସୁପ୍ରିମକୋର୍ଟଙ୍କ ରିଟ୍‌ ପିଟିସନ୍‌ ନଂ ୬୪୯/୨୦୧୮ ବଳରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଦ୍ଵାରା ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବିଦ୍ୟ, ଦାନ ଅର୍ଥ କିମ୍ବା ବସ୍ତୁକୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ କିମ୍ବା କର୍ମଚାରୀମାନେ ଗ୍ରହଣ କରିପାରିବେ ନାହିଁ ବୋଲି ନୋଟିସ୍‌ରେ ସ୍ପଷ୍ଟ କରାଯାଇଛି। ଭକ୍ତ ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଦେଉଥିବା ଦାନକୁ ଶ୍ରୀମନ୍ଦିରସ୍ଥ ହୁଣ୍ଡି କିମ୍ବା ଦାନ ବାକ୍ସରେ ପକାଇ ପାରିବେ। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶ୍ରୀମନ୍ଦିରସ୍ଥ ଶାଖା କାର୍ଯ୍ୟାଳୟ ଏବଂ ଶ୍ରୀମନ୍ଦିର ସୂଚନା କେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍‌ ନେଇ ପାରିବେ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶକୁ ଭକ୍ତମାନେ ସ୍ୱାଗତ କରିଛନ୍ତି।

ସେବକମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତେବେ ମନ୍ଦିରର ସେବା କରି ପରିବାର ପ୍ରତିପୋଷଣ କରୁଥିବାରୁ କିଭଳି ତାଙ୍କର ପାଉଣା ପାଇପାରିବେ ସେ ସଂପର୍କରେ ପୁନଃବିଚାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ଆଜି ଶ୍ରୀମନ୍ଦିର ଭିତର ସେବା ସହିତ ସଂପର୍କ ଥିବା ନିଯୋଗମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୁପ୍ରିମ କୋର୍ଟ ନିଷ୍ପତ୍ତିକୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟରେ ଏ ନେଇ ପକ୍ଷ ରଖିବାକୁ ସେମାନେ ନିବେଦନ କରିଛନ୍ତି। କିଛି ସେବାୟତ ଅଭିଯୋଗ କରିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ନଜର ହଟାଇବାକୁ ପ୍ରଶାସକ ତରବର ହୋଇ ଏଭଳି ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର