ଶ୍ରୀମନ୍ଦିର ଚଉହଦୀ ଉଚ୍ଛେଦ ବନ୍ଦ ଲାଗି ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ଚଉହଦୀରେ ଚାଲିଥିବା ଉଚ୍ଛେଦ କାମ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ କରାଯାଇଥିବା ବେଳେ ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଏହି ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଆଜି ଏହି ମାମଲାକୁ ଖାରଜ କରିବା ସହ ଉଚ୍ଛେଦ କାମ ଜାରି ରହିବ ବୋଲି କହିଛନ୍ତି । ଏ ନେଇ ଆଡଭୋକେଟ ଜେନେରାଲ ଯୁକ୍ତି କରିଥିଲେ ଯେ, ବି ପି ଦାସ କମିସନଙ୍କ ସୁପାରିସ ଅନୁସାରେ  କାମ ଚାଲିଛି ଏବଂ ସବୁ ଉଚ୍ଛେଦ କାମ ଆଇନ ଅନୁସାରେ କରାଯାଉଛି । ଏହା ସହ ଉଚ୍ଛେଦ ହେଉଥିବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ । ଆଡଭୋକେଟ ଜେନେରାଲଙ୍କ ଯୁକ୍ତିକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ୨ଟି ମାମଲା ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଉଚ୍ଛେଦ କାମ  ଜାରି ରହିବା ସହ ସେପଟେମ୍ବର ୧୭ରେ ହେବ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

ସେପଟେ, ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଉଚ୍ଛେଦ ଚାଲିଛି । ଆଜି ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା ଲଙ୍ଗୁଳି ମଠର ଉଚ୍ଛେଦ କରାଯାଉଛି । ମଠ ସହ ମଠରୁ ଭଡ଼ାରେ ନେଇଥିବା ୨୬ଟି ଦୋକାନ ଘର ଭଙ୍ଗାଯାଇଛି । ଏକାଧିକ ମାଜିଷ୍ଟ୍ରେଟ୍‌, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସପି, ଡିଏସପିଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୧୦ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ମେଘନାଦ ପାଚେରୀ ଠାରୁ ଲଙ୍ଗୁଳି ମଠର ଦୂରତା ମାତ୍ର ୩୦ମିଟର । ପୂର୍ବରୁ ଜିଲ୍ଲାପ୍ରଶାସନ ଏହି ପ୍ରାଚୀନ ମଠର କୋଠାକୁ ବିପଦସଂକୁଳ ଘୋଷଣା କରିଥିଲେ ।

ମଠର ଅନ୍ତେବାସୀମାନଙ୍କୁ ବିକଳ୍ପ ଆବାସ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଆଜି ସକାଳୁ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରି ମଠ ଓ ତତ୍ସଂଲଗ୍ନ ଦୋକାନ ଘରଗୁଡିକ ଭାଙ୍ଗିଛି । ଜିଲ୍ଳା ପୁଲିସର ନିର୍ଦ୍ଦେଶ କ୍ରମେ ଗତକାଲିଠୁ ଦୋକାନୀମାନେ ନିଜ ନିଜ ଜିନିଷ ପତ୍ର ନେଇଯିବା ସହ ଘର ଖାଲି କରି ଦେଇଥିଲେ । ଲଙ୍ଗୁଳି ମଠର ଉଚ୍ଛେଦ ପରେ ଏମାର ମଠର ପାଳି ପଡ଼ିବ । ତାପରେ ପର୍ଯ୍ୟାୟ କ୍ରମେ ମନ୍ଦିର ଚାରିପଟରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳର ଉଚ୍ଛେଦ କରାଯିବ । ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ କରିବା ଓ ସୁରକ୍ଷା ଦୃଷ୍ଟିରୁ ଏହି ଉଚ୍ଛେଦ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି ।

ସମ୍ବନ୍ଧିତ ଖବର