୬୦୦କୋଟି ଦେଖି ଡରିଗଲେ! ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ନି‌ର୍ଦ୍ଦେଶ ନମାନିବାକୁ ଫନ୍ଦି

ଭୁବନେଶ୍ବର: ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲାର ପ୍ରମୁଖ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ନିକଟରେ ଷ୍ଟ୍ରିଟ ଲାଇଟ୍‌ ନଥିବାରୁ ବହୁ ଦୁର୍ଘଟଣା ଘଟୁଛି। ତେଣୁ ଏହି ସମ୍ବେଦନଶୀଳ ସ୍ଥାନରେ ତୁରନ୍ତ ଆଲୋକୀକରଣ କରିବାକୁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ସବୁ ସ୍ଥାନରେ ଆଲୋକୀକରଣ କରିବାକୁ ୬୦୦କୋଟି ଟଙ୍କା ଦରକାର ବୋଲି ପୂର୍ତ୍ତ ବିଭାଗ ରିପୋର୍ଟ ଦେବା ପରେ ରାଜ୍ୟ ସରକାରଙ୍କ ହୋସ୍‌ ଉଡ଼ିଯାଇଛି। ଏବେ ଏତେ ଟଙ୍କା ଦେବା ସମ୍ଭବ ନଥିବାରୁ ବର୍ତ୍ତମାନ କେଉଁଠି ନିହାତି ଆଲୋକୀକରଣ ହେବା ଦରକାର ଏବଂ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତ‌ା) ଏବଂ ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀଙ୍କୁ କୁହାଯାଇଛି। ଦୁଇ ମୁଖ୍ୟଯନ୍ତ୍ରୀଙ୍କ ରିପୋର୍ଟକୁ ପୂର୍ତ୍ତ ବିଭାଗ ପରିବହନ କମିସନରଙ୍କୁ ଦେବ। ଏହାପରେ ବାଣିଜ୍ୟ ଓ ପରିବହନ ବିଭାଗ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିବ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଗତ ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କୁ ଏନେଇ ତାଗିଦ୍‌ କଲେଣି। ଓଡ଼ିଶାରେ ସଡ଼କ ଦୁର୍ଘଟଣା ହୁ ହୁ ହୋଇ ବଢ଼ୁଥିବାରୁ ଏହାର ସ୍ଥାୟୀ ଏବଂ ତୁରନ୍ତ ପ୍ରତିକାର ପାଇଁ ପ୍ରମୁଖ ରାସ୍ତା ନିକଟରେ ଆବାସିକ ଅଞ୍ଚଳ ଥିଲେ ଏହାକୁ ଆଲୋକୀକରଣ କରିବାକୁ କହିଥିଲେ। ହେଲେ ଏହି ନିର୍ଦ୍ଦେଶ ପାଇବାର ତିନି ମାସ ପରେ ବି ରାଜ୍ୟ ସରକାର ଏପର୍ଯ୍ୟନ୍ତ କେଉଁଠି ଆଲୋକୀକରଣ କରିବେ ନିଷ୍ପତ୍ତି ନେଇପାରିଲେନି। ଏପରିକି ଯେପରି କମ୍‌ ଅର୍ଥ ଖର୍ଚ୍ଚ ହେବ ସେଥିପାଇଁ ଅଳ୍ପ କିଛି ଅଞ୍ଚଳରେ ଆଲୋକୀକରଣ କରି ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟିକୁ ଭୁତାଇବାକୁ ଯୋଜନା ହେଉଛି। ସଡ଼କ ଦୁର୍ଘଟଣାରେ ପ୍ରତି ଦିନ ବହୁ ଲୋକଙ୍କର ମୃତ୍ୟୁ ହେଉଥିଲେ ହେଁ ରାଜ୍ୟ ସରକାରଙ୍କର ଏଥିପ୍ରତି ଯେମିତି ନିଘା ନାହିଁ। ଅପରପକ୍ଷେ ଜାତୀୟ ରାଜପଥ, ରାଜ୍ୟ ରାଜପଥ କଡ଼ରେ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ଆଲୋକୀକରଣ ପାଇଁ ୯୪୦କୋଟି ୧୯ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଥିଲା। ଏଥିରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା ପାଇଁ ୭୯୫କୋଟି ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜାତୀୟ ରାଜପଥଗୁଡ଼ିକରେ ଆଲୋକୀକରଣ ପାଇଁ ୧୪୪କୋଟି ୮୯ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ହେଲେ ଡିସେମ୍ବର ୧୬, ୨୦୧୯ରେ ବସିଥିବା ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ବୈଠକରେ ଏତେ ଅର୍ଥ ଦେଇ‌େହବନି କାଣ୍ଟଛାଣ୍ଟ କରିବାକୁ କୁହାଯାଇଥିଲା। ଏହାପରେ ଦୁଇମୁଖ୍ୟ ଯନ୍ତ୍ରୀ କାଣ୍ଟଛାଣ୍ଟ କରି ଏହାକୁ ୬୦୦କୋଟିକୁ ଆଣିଲେ। ହେଲେ ଏବେ ପୁଣି କୁହାଯାଉଛି ଯେ, ଯେଉଁ କେତୋଟି ସ୍ଥାନରେ ନିହାତି ଆବଶ୍ୟକ ସେଠାରେ ଆଲୋକୀକରଣ ହେବ। ସେହି ଅନୁଯାୟୀ ତାଲିକା ପ୍ରସ୍ତୁତ କର।

ସମ୍ବନ୍ଧିତ ଖବର