ସତ୍ୟବାଦୀରେ ପ୍ରସାଦ ହରିଚନ୍ଦନ ପ୍ରାର୍ଥୀ ନ ଦେଇପାରିବାକୁ ନେଇ ସୁର-ସାଲୁଜା ମୁହାଁମୁହିଁ
ଅଭିମାନ କରିଛନ୍ତି ପ୍ରସାଦ: ସୁର
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୬ ଜିଲ୍ଲା ପରିଷଦ ଜୋନ୍ରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଜଣେ ବି ପ୍ରାର୍ଥୀ ନ ଦେଇପାରିବାକୁ ନେଇ ଦଳରେ ହଟଚମଟ ଆରମ୍ଭ ହୋଇଛି। ପ୍ରସାଦ ଜାଣିଶୁଣି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସ ଶୂନ କରିଦେଇଛନ୍ତି ବୋଲି ଅଭିଯୋଗ ହେଉଛି। ମାତ୍ର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶ୍ବଶୂର ତଥା ବିଧାୟକ ସୁର ରାଉତରାୟ।
ଶ୍ରୀ ରାଉତରାୟ କହିଛନ୍ତି ଯେ ପ୍ରସାଦ ଏବେ ଲେଖାଲେଖିରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ଦଳ ପ୍ରତି ତାଙ୍କର ଘୃଣାଭାବ ନାହିଁ, ଅଭିମାନ ଥାଇପାରେ। ପ୍ରସାଦ ଜଣେ ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଛନ୍ତି। ସର୍ବ ଭାରତୀୟ ଛାତ୍ର, ଯୁବ କଂଗ୍ରେସର ସାଧାରଣ ସଂପାଦକ ମଧ୍ୟ ହୋଇଛନ୍ତି। ପରେ ପିସିସି ସଭାପତି ହୋଇଥିଲେ। ପ୍ରସାଦ କେବେ କଂଗ୍ରେସ ଦଳ ଛାଡ଼ିବେ ନାହିଁ। ତାଙ୍କ ସହିତ କଥା ହେବା ପରେ ଏ ସଂପର୍କରେ ସଂପୂର୍ଣ୍ଣ ସୂଚନା ଦେଇପାରିବି। ଦଳରେ କିଛି ତ୍ରୁଟି ରହିଛି। ନିର୍ବାଚନ ଲଢ଼ିଲେ ଯିଏ ଅମାନତ ହରେଇବ ସେ ବି ପିସିସି ସଭାପତି ହେବାକୁ ଚାହୁଁଛି। ତେଣୁ ସୋନିଆ କିମ୍ବା ରାହୁଲ ଚାହିଁଲେ ଏହାର ସମାଧାନ ହୋଇପାରିବ।
ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିବ। କୋରାପୁଟ, ରାୟାଗଡ଼ା, ସୁନ୍ଦରଗଡ଼, ବାଲେଶ୍ବର, ଜଗତସିଂହପୁର ଓ ଖୋର୍ଧାରେ ଦଳର ସ୍ଥିତି ବେଶ୍ ଭଲ ରହିଛି। ପୂର୍ବରୁ କଂଗ୍ରେସ ତୃତୀୟ ସ୍ଥାନରେ ଥିବା ବେଳେ ଏଥର ଦ୍ବିତୀୟ ସ୍ଥାନକୁ ଆସିବ ବୋଲି ସୁର କହିଛନ୍ତି।
ଅପରପକ୍ଷରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଶୂନ ହେବାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସୁର ମୁହାଁମୁହିଁ ହୋଇଛନ୍ତି। ସାଲୁଜା କହିଛନ୍ତି, ପିସିସି ପକ୍ଷରୁ ପ୍ରସାଦଙ୍କୁ ଟିକେଟ୍ ଦିଆଯାଇଥିଲା ହେଲେ ସେ ଏହାକୁ ନେଇ ନ ଥିଲେ। ସାଲୁଜାଙ୍କ ଏହି ମନ୍ତବ୍ୟକୁ ନେଇ ସୁର କହିଛନ୍ତି ଯେ ପ୍ରସାଦ ଟିକେଟ ନେଇଛନ୍ତି କି ନାହିଁ ତାହା ସେ ଜାଣି ନାହାନ୍ତି। ସାଲୁଜା ତାଙ୍କ ଅଞ୍ଚଳ କଥା ବୁଝନ୍ତୁ। ଯଦି ସାଲୁଜା ଟିକେଟ୍ ଦେଇଥିବେ ତାହାଲେ ସେ ନେଇ ନ ଥିବେ ବୋଲି ସେ କହିଛନ୍ତି।