ଭୁବେନଶ୍ବର : ସୋମବାର ଦିନ ବିଧାନସଭାରେ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଧାୟକ ସୁର ରାଉତରାୟ କହିଥିଲେ ଯେ, ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଧର୍ମଶାଳାଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଫଳରେ ବାହାର ରାଜ୍ୟରୁ ଏବଂ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏଠାରେ ରହିବାରେ ସମସ୍ୟା ହେଉଛି। ଯାତ୍ରୀଙ୍କ ପାଇଁ ରେଷ୍ଟ ସେଡ୍‌ ଏବଂ ରହିବା ବ୍ୟବସ୍ଥା କରାଯାଉ।

Advertisment

publive-image Update Odisha

ବିଧାୟକ ଶ୍ରୀ ରାଉତରାୟ କହିବାବେଳେ ଏହାକୁ ଏକାମ୍ର ବିଧାୟକ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିବାଦ କରି କିଛି କହିବାକୁ ଛିଡ଼ା ହୋଇଥିଲେ। ହେଲେ ଉପବାଚସ୍ପତି ମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦେଇନଥିଲେ। ଏହାପରେ ବିଭାଗୀୟ ମନ୍ତ୍ରୀ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିବା ପୂର୍ବରୁ ଉପବାଚସ୍ପତି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ, ଶ୍ରୀ ଲିଙ୍ଗରାଜ ପରିକ୍ରମା ଯୋଜନାରେ ଧର୍ମଶାଳା ଭଙ୍ଗାଯାଇଛି। ଏହା ନିକଟରେ ପାର୍କିଂ ଅଞ୍ଚଳ, ମାର୍କେଟ କମ୍ପ୍ଲେକ୍ସରେ ଯାତ୍ରୀନିବାସ ନିର୍ମାଣ କରାଯାଇଛି। ହେଲେ ସୁର ରାଉତରାୟ ସଂପୃକ୍ତ ଥିବା ଏକାମ୍ର ସାଂସ୍କୃତିକୀ ପ୍ରକାଶନୀ ଏହି ଯାତ୍ରୀନିବାସର ୪ରୁ ୫ଟି ରୁମ୍ ବେଆଇନ ଭାବେ ମାଡ଼ି ବସିଛି। ସେମାନେ ଏହାକୁ ଖାଲି କଲେ ଯାତ୍ରୀ ରହିପାରନ୍ତେ। ଏକାମ୍ର ସାଂସ୍କୃତିକୀ ପ୍ରକାଶନୀର ଭଜନ ମଣ୍ଡପକୁ ଭଙ୍ଗାଯାଇଥିବାରୁ ସେମାନଙ୍କୁ ୫୦ଲକ୍ଷ ଟଙ୍କା ଦିଆଯାଇଛି। କିନ୍ତୁ ସେମାନେ ଯାତ୍ରୀନିବାସ କାହିଁକି ମାଡ଼ି ବସିଛନ୍ତି ଜଣାପଡ଼ୁନି। ଜବରଦଖଲ ହଟାଇ ଯାତ୍ରୀନିବାସକୁ କାର୍ଯ୍ୟକ୍ଷମ କରାଯାଉ।

ତେବେ ମନ୍ତ୍ରୀ ଏହି ଉତ୍ତର ରଖିବାବେଳେ ବିଧାୟକ ଶ୍ରୀ ରାଉତରାୟ ଗୃହରେ ଉପସ୍ଥିତ ନଥିଲେ।