ସୁର ରାଉତରାୟଙ୍କ ରାଜ‌ନୈତିକ ଉତ୍ତରାଧିକାରୀ ସାନପୁଅ ମନ୍ମଥ

ଜଟଣୀ : ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିଜର ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଏଥିସହିତ କିଛିଦିନ ହେବ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ବିଧାୟକ ଶ୍ରୀ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କର ସାନ ପୁଅ ମନ୍ମଥ ରାଉତରାୟ ଜଟଣୀ ବିକାଶ ଓ କଂଗ୍ରେସ୍ ସଂଗଠନ ସହ ସାମିଲ୍ ହୋଇ କାର୍ଯ୍ୟ କରିବେ।

ମନ୍ମଥ ଏଆର୍ ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟ୍ ଭାବେ କାର୍ଯ୍ୟରତ ଅଛନ୍ତି। ହେଲେ କିଛିଦିନ ତଳୁ ବିଧାୟକ ଶ୍ରୀ ରାଉତରାୟ ଅସୁସ୍ଥ ହୋଇଯିବାରୁ ବାପାଙ୍କ ନିମନ୍ତେ ଜଟଣୀ ନିର୍ବାଚନମଣ୍ଡଳୀ ଲୋକମାନଙ୍କ ସମସ୍ୟା ବୁଝିବାରେ ସେ ସମୟ ଦେଉଛନ୍ତି। ଗତ ନିର୍ବାଚନ ସମୟରେ ସବୁ କର୍ମୀଙ୍କୁ ଏକାଠି କରିବା ସହିତ ଶ୍ରୀ ରାଉତରାୟଙ୍କୁ ବିଜୟୀ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତକାଲି ଆମେରିକାର ରହିଥିବା ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ପରିବାର ଅନ୍ୟ ସଦସ୍ୟମାନେ ମିଳିତଭାବେ ଏହି ନିଷ୍ପତି ନେଇ ଥିବାର ବିଧାୟକ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ଏହି ଘଟଣା ପ୍ରଚାର ହେବାରେ ଜଟଣୀ ଅଞ୍ଚଳରେ ବିଭିନ୍ନ କର୍ମୀଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଠି ହୋଇଥିବାବେଳେ ଖୋର୍ଧା ଜିଲ୍ଲା କଂଗ୍ରେସ୍ ଓବିସି ସେଲ୍ ଅଧ୍ୟକ୍ଷ କଳିଙ୍ଗ କୁମାର ସାହୁ, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସ୍ବାଗତ ସହ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର