ଭୁବନେଶ୍ବର : ଶୁକ୍ରବାର ଜନତା ମଇଦାନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସର ୫୫ ବର୍ଷର ଶାସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୫ ବର୍ଷର ଶାସନକୁ ତୁଳନା କରି ଯେପରି ଟିପ୍ପଣୀ କଲେ ତାକୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କଡ଼ା ନିନ୍ଦା କରିଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ରାଉତରାୟ କହିଛନ୍ତି, କଂଗ୍ରେସ ୧୯୪୭ ନୁହେଁ; ୧୮୮୫ ମସିହାରୁ ଭାତରବର୍ଷର ସ୍ବାଧୀନତା, ନିର୍ମାଣ ଓ ଅଖଣ୍ଡତା ପାଇଁ ଲଢ଼େଇ କରିଆସୁଛି। ଆଜିର ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ। ଓଡ଼ିଶାରେ ହୀରାକୁଦ, ପାରାଦ୍ବୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍, ନାଲକୋଠାରୁ ଆରମ୍ଭ କରି ସମଗ୍ର ଜଳସେଚନ ବ୍ୟବସ୍ଥା, ଶିକ୍ଷା ଓ ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ପ୍ରଭୃତି ସମସ୍ତ କ୍ଷେତ୍ରରେ ବିକାଶ କେବଳ କଂଗ୍ରେସ ହିଁ କରିଛି। ବୁଝାମଣା ଆଧାରରେ ବିଜେଡି-ବିଜେପି ରାଜ୍ୟରେ ମିଳିତ ସରକାର ଚଳାଇ ରାଜ୍ୟକୁ ରସାତଳଗାମୀ କରିଦେଇଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଥିଲେ।