ନୟାଗଡ଼ : ନୟାଗଡ଼ର ଖଣ୍ଡପଡ଼ା ରୋଡ୍ ଲକ୍ଷ୍ମଣନଗରରେ ଅବସ୍ଥିତ ସୁରଧାନୀ ଟ୍ରାଭେଲିଂ ଏଜେନ୍ସି କେବଳ ନୟାଗଡ଼ ଜିଲ୍ଲାରେ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଠକେଇ କରିଥିବା ଜଣାଯାଇଛି। ରଣପୁରରେ ଠକେଇର ଶିକାର ହୋଇଥିବା ୧୮ ଜଣ ଯୁବକ ଗତ ୨୧ ତାରିଖରେ ରଣପୁର ଥାନାରେ ଏତଲା ଦେବା ପରେ ପୁଲିସ ଉକ୍ତ ସଂସ୍ଥାର ୩ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ସଂସ୍ଥାର ମୁଖ୍ୟ ଶରଣକୁଳ ଥାନା ଅଧୀନ ହରିହରପୁର ଗ୍ରାମର ରବୀନ୍ଦ୍ର ପାଢୀ ଓ ତାଙ୍କ ପତ୍ନୀ ସୁରଧାନୀ ପଣ୍ଡା ଫେରାର ଅଛନ୍ତି। ପ୍ରାୟ ୫୦୦ ଯୁବକ ସୁରଧାନୀ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିବା ଏତଲାକାରୀ କହିଥିବା ବେଳେ, ସମସ୍ତେ ସଂସ୍ଥା ବିରୋଧରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ରଣପୁର ପରେ ଆଜି ପଡ଼ୋଶୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ବର ଗ୍ରାମର ଯୁବକ ସର୍ବେଶ୍ବର ପଲାଇ, ସାଗର ସ୍ବାଇଁ, ସୁବ୍ରତ ମିଶ୍ରଙ୍କ ସମେତ ୧୮ ଜଣ ଯୁବକ ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ସୁରଧାନୀ ସଂସ୍ଥା ମାଲେସିଆ, ଦୁବାଇ, ଥାଇଲାଣ୍ଡ ଭଳି ଦେଶର ସପିଂ ମଲ୍ରେ ଚାକିରି ଦେବାକୁ କହି ବେକାର, ଶ୍ରମିକ ଯୁବକଙ୍କଠାରୁ ୬୦ରୁ ୬୫ ହଜାର ଲେଖାଏଁ ଲୁଟିଛି। ଉଭୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ୫ ଶହରୁ ଅଧିକ ଯୁବକ ଏହିଭଳି ଠକେଇର ଶିକାର ହୋଇଥିବା କୁହାଯାଉଛି। ଠକେଇର ପରିମାଣ ୩ କୋଟିରୁ ଅଧିକ ହୋଇପାରେ। ପ୍ରାୟ ଏକ ମାସ ତଳେ ରଣପୁର ଥାନା ଅଧୀନ ଗୋଡ଼ିପଡ଼ାର ୫ ଜଣ ଯୁବକ ଉକ୍ତ ସଂସ୍ଥା ଜରିଆରେ ମାଲେସିଆରେ ଚାକିରି ଉଦ୍ଦେଶ୍ୟରେ ଯାଇ ନିର୍ଯାତନା ଭୋଗୁଥିବା ଖବର ପଦାକୁ ଆସିବା ପରେ ଏହି ଠକେଇ ସଂସ୍ଥାର ଗୁମର ଧୀରେ ଧୀରେ ଖୋଲିଥିଲା। ଏହା ପରେ ଗତ ୧୮ ତାରିଖ ଦିନ ରଣପୁରର ୧୮ ଜଣ ଯୁବକ ସୁରଧାନୀ ସଂସ୍ଥାର ସୂଚନା ଅନୁଯାୟୀ ମାଲେସିଆ ଯିବା ନିମନ୍ତେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ, ଏହି ସଂସ୍ଥାର କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ପାଇନଥିଲେ। ଏପରିକି ଫୋନ୍ କରିଥିଲେ ମଧ୍ୟ ସଂସ୍ଥାର କର୍ମକର୍ତ୍ତା ଶତ୍ରୁଘ୍ନ ବେହେରା, ପ୍ରଫୁଲ୍ଲ କୁମାର ପ୍ରଧାନ, ଦୀନବନ୍ଧୁ ପ୍ରଧାନ ସଭିଙ୍କ ମୋବାଇଲ ସ୍ବିଚ୍ଡ ଅଫ୍ ରହିଥିଲା। ଏହି ତିନି କର୍ମକର୍ତ୍ତାଙ୍କୁ ରଣପୁର ପୁଲିସ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛି। ଗଣମାଧ୍ୟମରେ ଏହି ସଂସ୍ଥାର ଠକେଇ, ସହଯୋଗୀ ଗିରଫ ଓ ମାଲିକ ଫେରାର ଖବର ଜାଣି ବାଣପୁର ଅଞ୍ଚଳର ୧୮ ଜଣ ଯୁବକ ଆଜି ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ଘଟଣାର ଅନୁସନ୍ଧାନ କରାଯାଉଥିବା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି।
‘ସୁରଧାନୀ’ ସଂସ୍ଥା ଶହ ଶହ ବେକାରଙ୍କୁ ଲୁଟିଛି
କେବଳ ନୟାଗଡ଼ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ବି ଠକେଇ, ଟାଉନ ଥାନାରେ ବାଣପୁରର ୧୮ ଯୁବକଙ୍କ ଏତଲା, ଠକେଇର ପରିମାଣ ୩ କୋଟିରୁ ଅଧିକ ହୋଇପାରେ
/sambad/media/post_attachments/wp-content/uploads/2019/11/money-aaf.jpg)