ସ୍ୱର୍ଗତ ବିପିନ ପ୍ରଧାନଙ୍କୁ ସୂରଜ ସମ୍ମାନ, ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆହ୍ଵାନ କରିଛନ୍ତି ଯେ, ଅନ୍ୟର ଜୀବନ ବଂଚାଇବା ପାଇଁ ଅଙ୍ଗଦାନ କରନ୍ତୁ। ନିଜର ମୃତ୍ୟୁ ହେଲା ପରେ ଅଙ୍ଗଦାନ କରି ମାନବ ସମାଜର କଲ୍ୟାଣ କରନ୍ତୁ। ସ୍ୱର୍ଗତ ବିପିନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ‘ସୂରଜ ସମ୍ମାନ’ ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱ ଅଙ୍ଗଦାନ ଦିବସ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ।

ସୂଚନାଯୋଗ୍ୟ, ସ୍ୱର୍ଗତ ସୂରଜ ପ୍ରଧାନଙ୍କ ଧର୍ମପତ୍ନୀ ରେଣୁ ପ୍ରଧାନ ଆଜି ‘ସୂରଜ ସମ୍ମାନ’ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିପିନ ପ୍ରଧାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ସମ୍ମାନ ଓ ଅନୁକମ୍ପା ରାଶି ଆସିକା ବିଧାୟକ ମଂଜୁଳା ସ୍ୱାଇଁ ଏବଂ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ସୂରଜ ବେହେରାଙ୍କର ସ୍ମୃତିରେ ରାଜ୍ୟ ସରକାରଙ୍କ ଦ୍ୱାରା ‘ସୂରଜ ସମ୍ମାନ’ ଦିଆଯାଉଛି। ସୂରଜ ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ପରିବାର ଲୋକେ ଅଙ୍ଗଗୁଡ଼ିକ ଦାନ କରି ଅନ୍ୟମାନଙ୍କର ଜୀବନ ବଂଚାଇଥିଲେ। ଏହି କ୍ରମରେ ଗଂଜାମ ଜିଲ୍ଲା ଭାଟାପଡ଼ା ଅଂଚଳର ବିପିନ ପ୍ରଧାନଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଲୋକେ ୬ଟି ଅଙ୍ଗକୁ ଗୁଜୁରାଟର ସୁରତସ୍ଥିତ କିରଣ ହସ୍‌ପିଟାଲରେ ଦାନ କରିଥିଲେ।

ଭିଡିଓ କନଫରେନ୍ସଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଡିଏମ୍‌ଇଟି ସିବିକେ ମହାନ୍ତି ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର