ବିଶ୍ବ ଅଙ୍ଗଦାନ ଦିବସ: ସ୍ବର୍ଗତ ବିପିନ ପ୍ରଧାନଙ୍କୁ ‘ସୂରଜ’ ପୁରସ୍କାର

ଭୁବନେଶ୍ବର : ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ବିପିନ ପ୍ରଧାନଙ୍କୁ ‘ସୂରଜ’ ପୁରସ୍କାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆସ୍କା ବିଧାୟକ ମଞ୍ଜୁଳା ସ୍ବାଇଁ ଓ ଗଞ୍ଜାମ ଜିଲ୍ଲାପାଳ ତାଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭାଟପଡ଼ା ଅଞ୍ଚଳର ବିପିନ ସୁରତର କିରଣ ହସ୍ପିଟାଲରେ ପ୍ରାଣ ହରାଇବା ପୂର୍ବରୁ ତାଙ୍କର ୬ଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୃତ୍ୟୁ ପରେ ଅଙ୍ଗଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିଶ୍ବ ଅଙ୍ଗଦାନ ଦିବସ ପାଳିତ ହେଉଛି। ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ସୂରଜ ବେ‌‌ହେରାଙ୍କ ସ୍ମୃତିରେ ‘ସୂରଜ’ ପୁରସ୍କାର ଆରମ୍ଭ କରିଛନ୍ତି। ସୂରଜଙ୍କ ପିତାମାତା ତାଙ୍କ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ଅନେକ ଜୀବନରକ୍ଷା କରିବାରେ ସହାୟକ ହୋଇପାରିଛନ୍ତି। ଏହା ସମାଜରେ ଉଦାହରଣ ହୋଇ ରହିବା ସହ ରାଜ୍ୟ ତଥା ଦେଶରେ ଅଙ୍ଗଦାକୁ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପ୍ରଧାନଙ୍କ ପରିବାରଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ଅଙ୍ଗଦାନ କରି ତାଙ୍କ ପରିବାରଲୋକ କରୁଣା ଓ ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିଧାୟକ ମଞ୍ଜୁଳା ସ୍ବାଇଁ ପ୍ରମୁଖ ସ୍ବର୍ଗତ ପ୍ରଧାନଙ୍କ ପରିବାରଲୋକଙ୍କୁ ଏଭଳି ମାନବୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି.କେ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମା‌‌ନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର