ଜଟଣୀ: ଚଳିତ ନିର୍ବାଚନରେ ସବୁଠୁ ଅଧିକ କ୍ଷତି ସହିଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ଜଟଣୀର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ। ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ନିର୍ବାଚନରେ ପରାଜିତ ହୋଇଛନ୍ତି। ଯଦିଓ ରାଜନୀତିରେ ହାର୍‌-ଜିତ୍ ଏକ ସ୍ବାଭାବିକ ପ୍ରକ୍ରିୟା, ତେବେ ସୁରଙ୍କ କ୍ଷେତ୍ରରେ ଘଟଣାଟି ଟିକେ ଅଲଗା ଥିଲା। ବଡ଼ ପୁଅ ସିଦ୍ଧାର୍ଥ କଂଗ୍ରେସ ଟିକେଟରେ ନିମାପଡ଼ାରେ ଲଢ଼ି ତୃତୀୟ ସ୍ଥାନରେ ରହିଲେ। ସାନ ପୁଅ ମନ୍ମଥ ଭୁବନେଶ୍ବର ଲୋକସଭା ଆସନରେ ବିଜେଡି ଟିକେଟରେ ଲଢ଼ି ବିଜେପି ପ୍ରାର୍ଥୀ ଅପରାଜିତ‌ା ଷଡ଼ଙ୍ଗୀଠାରୁ ପରାସ୍ତ ହେଲେ। ଜଟଣୀରେ ୬ ଥର ଜିତି ଜଟଣୀକୁ ‘ସୁର ଗଡ଼’ ବନାଇଥିବା ସୁରେଶ ରାଉତରାୟଙ୍କ ପରିବାରର ନିର୍ବାଚନୀ ବିଫଳତା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏବେ ଦୁଇ ଭାଇଙ୍କ ଭବିଷ୍ୟତ ଯୋଜନା କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଚଳିତ ଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଶ୍ରୀ ରାଉତରାୟ ଘୋଷଣା କରିସାରିଥିଲେ। ତାଙ୍କର ଦୁଇ ପୁଅ ରାଜନୀତି କରିବେ ବୋଲି ସେ ଇଙ୍ଗିତ ଦେଇଥିଲେ। ଏପରିକି ଉଭୟ କଂଗ୍ରେସରୁ ହିଁ କ୍ୟାରିୟର୍‌ କରିବେ ବୋଲି କହିଥିଲେ। ଉଭୟ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିବା ପରେ ପ୍ରଥମରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। ଉଭୟ ପ୍ରଥମେ କେଉଁ ଦଳରୁ ଛିଡ଼ା ହେବେ ତାହା ସ୍ଥିର ହୋଇ ନ ଥିଲା। କିନ୍ତୁ ସୁର ଚାହୁଁଥିଲେ ତାଙ୍କ ବଦଳରେ ଗଡ଼ ବଞ୍ଚାଇବା ପାଇଁ ଗୋଟିଏ ପୁଅ ଜଟଣୀରେ କଂଗ୍ରେସରୁ ନିର୍ବାଚନ ଲଢ଼ୁ।

ପ୍ରଥମେ ମନ୍ମଥଙ୍କୁ କଂଗ୍ରେସରୁ ଲଢ଼ିବାକୁ ପ୍ରସ୍ତାବ ଦେଇଥିବା ବେଳେ ସେ ପ୍ରଥମ ଦିନରୁ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜିଦ୍ ଧରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶି ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହାକୁ ସିଦ୍ଧାର୍ଥ ସହଜରେ ଗ୍ରହଣ କରି ନଥିଲେ। ଖୋଲାଖୋଲି ଭାବେ ଗଣମାଧ୍ୟମରେ ନିଜର ଅସନ୍ତୋଷ ଜାହିର କଲେ। ବିଜେଡି ତାଙ୍କ ସାନ ଭାଇକୁ ଫସାଇଦେଲା ବୋଲି କହିଲେ। ସାନ ପୁଅ ପାଇଁ ବିଭିନ୍ନ ଜାଗାରେ ପ୍ରଚାର କରିବାରୁ ସୁରଙ୍କୁ କଂଗ୍ରେସ ବହିଷ୍କାର କଲା। ତାହା ପରେ ସୁର ଖୋଲାଖୋଲି ଭାବେ ମନ୍ମଥଙ୍କ ପାଇଁ ପ୍ରଚାରରେ ଲାଗିଲେ।
ବଡ଼ ପୁଅ ସିଦ୍ଧାର୍ଥ କଂଗ୍ରେସ ଟିକେଟ ପାଇଁ ଲବି କରୁଥିଲେ। ଜଟଣୀରେ ତାଙ୍କୁ ପ୍ରାର୍ଥୀ କରାଇବାରେ କଂଗ୍ରେସର କିଛି ସମସ୍ୟା ନଥିଲା। କିନ୍ତୁ ସାନ ଭାଇ ପାଇଁ ସେ ଅକଳରେ ପଡ଼ିଯାଇଥିଲେ। ତେଣୁ ଜଟଣୀ ବଦଳରେ ନିମାପଡ଼ାରେ ସେ ପ୍ରାର୍ଥୀ ହେଲେ। କିନ୍ତୁ ନିର୍ବାଚନୀ ରାଜନୀତିରେ ସେ ବି ସଫଳ ହୋଇ ନଥିଲେ। ଦୁଇ ପୁଅ ରାଜନୀତିର ପ୍ରଥମ ପରୀକ୍ଷାରେ ଫେଲ୍‌ ହୋଇଯାଇଛନ୍ତି। ଆଗକୁ ସେମାନଙ୍କ ଗତିବିଧି କିପରି ରହିବ, ତାହାକୁ ନେଇ ଚର୍ଚ୍ଚା।