ସୁରଟ ଫେରିବା ଆରମ୍ଭ ହେଲା, ଗଞ୍ଜାମରୁ ଆସି ଝାରସୁଗୁଡ଼ାଠାରେ ପହଞ୍ଚିଲେ ୨୭ ଶ୍ରମିକ

ଗଞ୍ଜାମ ଜିଲ୍ଲାର ସବୁ ରାସ୍ତା ସିଲ୍‌ ଥିବା ବେଳେ କିପରି ଆସିଲେ ?

ଝାରସୁଗୁଡ଼ା : ରାଜ୍ୟରେ ଗଞ୍ଜାମ ଏବେ ହଟସ୍ପଟ୍‌ । ଏଠାରେ ପ୍ରତିଦିନ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ୁଛି। ଜିଲ୍ଲାର ସ୍ଥିତି ସୁଧୁରିବା ପରିବର୍ତ୍ତେ ନିୟନ୍ତ୍ରଣ ବାହାରକୁ ଯାଉଛି। ଆଜି ଠାରୁ ୧୪ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ସରକାର ପୁଣି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜିଲ୍ଲାରୁ କହାରିକୁ ବାହାରକୁ ଛଡ଼ା ଯିବ ନାହିଁ କି ଜିଲ୍ଲା ଭିତରକୁ କାହାରିକୁ ପୁରାଇ ଦିଆଯିବ ନାହିଁ ବ‌ୋଲି ଗଞ୍ଜାମ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମାତ୍ର ଏହି ସବୁ କଡ଼ା ନିୟମ ଭିତରେ ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରୁ ଏକ ବସ୍‌ ଯୋଗ‌େ ୨୭ ଜଣ ଶ୍ରମିକ ସୁରଟ ଯାତ୍ରା କରିବା ପାଇଁ ବାହାରି ଝାରସୁଗୁଡ଼ା ଠାରେ ପହଞ୍ଚିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏହି ଶ୍ରମିକମାନେ ଶନିବାର ସକାଳେ ହାୱାଡ଼ା-ଅହମ୍ମଦାବାଦ ଟ୍ରେନ୍‌ ଯୋଗେ ସୁରଟ ଯିବା ପାଇଁ ବାହାରିଛନ୍ତି। ଏମାନେ ଲକ୍‌ଡାଉନ୍‌ ଯୋଗୁଁ ‌ସୁରଟରୁ ଫେରି ଆସିଥିଲେ। ତେବେ ସ୍ଥିତି ଏଠାରେ ଜଟିଳ ହୋଇଥିବା ବେଳେ ଏମା‌ନେ ପୁଣି ସୁରଟ ବାହାରିଛନ୍ତି। ସୁରଟରୁ ଫେରିବା ପରେ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଥିବା ସେମାନେ ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ତାଙ୍କୁ କାମ ମିଳୁନଥିବାରୁ ସେମାନେ ସୁରଟରେ ରହି କାମ କରନ୍ତି ଓ ଘରକୁ ଟଙ୍କା ପଠାନ୍ତି। ମାତ୍ର ଗତ ମାର୍ଚ୍ଚ ମାସରେ ହଠାତ୍‌ ଲକ୍‌ଡାଉନ୍‌ ହୋଇ ଯିବାପରେ ସେମାନେ କାମ କରୁଥିବା ସଂସ୍ଥା ଗୁଡ଼ିକ ବନ୍ଦ ହୋଇଯାଇଥିଲା। ଫଳରେ ସେମାନେ ତାଙ୍କ ଘରକୁ ଫେରି ଆସିଥିଲେ ମାତ୍ର ଘରେ ଆସି ରହିବା ପରେ ଜିଲ୍ଲାର ସ୍ଥିତି ଆହୁରି ସଙ୍ଗିନ ହୋଇ ଉଠିଥିଲା। କାମ ଧାମ କିଛି ନଥିବା ବେଳେ ପାଖରେ ଟଙ୍କା ମଧ୍ୟ ନଥିବା ଏହି ଶ୍ରମିକ ମାନେ କହିଛନ୍ତି। ଏହି ସମୟରେ ସୁରଟର ସ୍ଥିତି ସ୍ବାଭାବିକ ଆଡ଼କୁ ମୁହାଁଇଛି। ସେଠାରେ ବିଭିନ୍ନ କାରଖାନା ଏବେ ଚାଲିବା ଆରମ୍ଭ ହୋଇଛି। ସେମାନେ କାମ କରୁଥିବା ସଂସ୍ଥା ତାଙ୍କୁ କାମରେ ଯୋଗ ଦେବାକୁ ପୁଣି ଅନୁରୋଧ କରି ଅଗ୍ରୀମ ଟଙ୍କା ମଧ୍ୟ ପଠାଇଥିବା ସେମାନେ କହିଛନ୍ତି। ଫଳରେ ଏହି ଶ୍ରମିକ ମାନେ ଆଜି ଏକ ବସ୍‌ ଭଡ଼ା କରି ଶେରଗଡ଼ ଠାରୁ ବଡ଼ି ଭୋରରୁ ବାହାରି ଥିଲେ। ଏମାନେ ଏଠାରେ ସନ୍ଧ୍ୟା ୭ଟାରେ ପହଞ୍ଚିଥିଲେ।

ଏମାନଙ୍କୁ ଆଣିଥିବା ବସ୍‌ ଡାକବଙ୍ଗଳା ସମ୍ମୁଖରେ ଓହ୍ଲାଇ ‌ପଳାଇ ଯାଇଥିଲା। ଏହି ରାସ୍ତାରେ ଯାଉଥିବା ଉପଜିଲ୍ଲାପାଳ ଶିବ ଟପ୍ପୋ ଏମାନଙ୍କୁ ଦେଖି ପୁଲିସ ଓ କୋଭିଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ସୂଚନା ଦେଇଥିଲେ। କୋଭିଡ୍‌ ମାଜିଷ୍ଟ୍ରେଟ୍‌ ଗୋଲକ ବିହାରୀ ମଙ୍ଗରାଜ, ଆଇଆଇସି ସାବିତ୍ରୀ ବଳ ପହଞ୍ଚି ଏମାନଙ୍କୁ ରେଳ ଷ୍ଟେସନରେ ନେଇ ଛାଡ଼ିଥିଲେ। ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କୁ ବିସ୍କୁଟ, ପାଣି ପ୍ରଦାନ କରାଯାଇଥିଲା। ସକାଳେ ଏମାନେ ଟ୍ରେନ୍‌ରେ ସୁରଟ ଯାତ୍ରା କରିବେ। ହଟସ୍ପଟ୍‌ ଗଞ୍ଜାମର ସବୁ ଦିଗ ସିଲ୍‌ ହୋଇଥିବା ବେଳେ ଏତେ ସଂଖ୍ୟାରେ ଶ୍ରମିକ ବସ୍‌ ଭଡ଼ା କରି ଝାରସୁଗୁଡ଼ା ପର୍ଯ୍ୟନ୍ତ ଆସିବା ସମସ୍ତଙ୍କୁ ଚକିତ କରିଛି। ଶ୍ରମିକଙ୍କ କହିବା ଅନୁଯାୟୀ ଏମାନଙ୍କ ବସ୍‌କୁ ଫୁଲବାଣି- ଚାରିଛକ ମଝିରେ ପୁଲିସ ଅଟକାଇ ପୁଣି ଛାଡ଼ି ଦେଇଥିଲା। ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରୁ ଘରକୁ ଫେରିଥିବା ଶ୍ରମିକଙ୍କ ମଧ୍ୟରେ ଲକ୍ଷାଧିକ ଶ୍ରମିକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଯେଉଁମାନେ ଗୁଜୁରାଟର ସୁରଟ ଠାରେ ରହି ବିଭିନ୍ନ କାରଖାନାରେ କାମ କରନ୍ତି।

ସମ୍ବନ୍ଧିତ ଖବର