ରୋଜଗାରରେ କଣ୍ଟା ସାଜିଲା କରୋନା : ଋଣ ପରି‌ଶୋଧ ଚିନ୍ତାରେ ଆତ୍ମହତ୍ୟାର ବାଟ ବାଛିଲେ ସୁରତ ଫେରନ୍ତା

ବେଲଗୁଣ୍ଠା : ରୋଜଗାରରେ କଣ୍ଟା ସାଜିଲା କରୋନା କଟକଣା। ଆଉ ଋଣ ପରିଶୋଧ ଚିନ୍ତାରେ ଆତ୍ମହତ୍ୟାର ବାଟ ବାଛିଲେ ସୁରତ ଫେରନ୍ତା ଯୁବକ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସୂଚନାନୁସାରେ, ଅଭିମନ୍ୟୁ ବିଶ୍ବାଳଙ୍କ ପୁଅ ବୁଲୁ ବିଶ୍ୱାଳ(୩୬) ସୁରତରେ ରହି ସୂତାକଳରେ କାମ କରୁଥିଲେ। ଲକ୍‌ଡାଉନ୍ ପୂର୍ବରୁ ଗାଁକୁ ବୁଲିବାକୁ ଆସିଥିଲେ। କିନ୍ତୁ କରୋନା କଟକଣା ଲାଗୁ ହେବା ସାଙ୍ଗକୁ କମ୍ପାନି ବନ୍ଦ ହୋଇଯିବାରୁ ବୁଲୁ ଆଉ ସୁରତ ଯାଇ ପାରି ନଥିଲେ। କାମ ବନ୍ଦ ହୋଇଯିବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହେବାରୁ ବିଭିନ୍ନ ସ୍ଥାନରୁ ଧାରକରଜ କରିଥିଲେ। କିଛି ଦିନ ପରେ ଗ୍ରାମରେ ପରିବା ଚାଷ କରି ପରିବାର ଚଳାଇବା ସହ ଓ ଋଣ ପରିଶୋଧ ପାଇଁ ମନସ୍ଥ କରିଥିଲେ।

ହେଲେ ଚାଷରୁ ମିଳୁଥିବା ସ୍ବଳ୍ପ ଆୟରେ ପରିବାର ଚଳାଇବା ସହ ଋଣ ପରିଶୋଧ ସମ୍ଭବପର ହୋଇପାରୁ ନଥିଲା। ଯାହାକୁ ନେଇ ବୁଲୁ ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଆଜି ସକାଳ ୧୦ଟାରେ ପୁଣି ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ବୁଲୁ ମାନସିକ ଭାରସାମ୍ୟ ହରାଇ ବିନ୍ସ୍‌ରେ ପକାଇବାକୁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ବୁଲୁଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ବୁଲୁଙ୍କ ମୃତ୍ୟୁ ହୋଇଥିଲା।

ଗାଙ୍ଗପୁର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକ ବୁଲୁଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛି।

ସମ୍ବନ୍ଧିତ ଖବର