ଭଞ୍ଜନଗର : ମାଇକ୍ରୋ ଫାଇନାନ୍ସ୍ ଚିଟ୍ଫଣ୍ଡ୍ ଠକେଇ ମାମଲାର ଖୋଳତାଡ଼ ପାଇଁ ଆଜି ଗୁଜରାଟ ସୁରତ ପୁଲିସର ୯ ଜଣିଆ ସ୍ବତନ୍ତ୍ର ଟିମ୍ ଭଞ୍ଜନଗରରେ ପହଞ୍ଚିଛି। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି।
ସୁରତ ନସ୍ୱରି ଟାଉନ୍ ଥାନା ଇଲାକାରେ ମାଇକ୍ରୋ ଫାଇନାନ୍ସ୍ କମ୍ପାନି ପକ୍ଷରୁ ‘ଲିଜିଂ ଏବଂ ଫଣ୍ଡିଂ’ ନାମରେ ଏକ କମ୍ପାନି ଖୋଲା ଯାଇଥିଲା। ଏହି କମ୍ପାନି ଜମାକାରୀଙ୍କୁ ପ୍ରଲୋଭନ ଦେଖାଇ ବହୁ କୋଟି ଟଙ୍କା ଜମା ନେଇ ଆଉ ଫେରସ୍ତ କରି ନଥିଲା। ଫଳରେ ଥାନାରେ ଶତାଧିକ ଜମାକାରୀ ଏତଲା ଦେଇଥିଲେ। ଏହା ଆଧାରରେ ଏକ ଠକେଇ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିଲା। ଆଉ ଆଜି ୯ଜଣିଆ ଟିମ୍ କମ୍ପାନିର ମାଲିକ ଦୁର୍ଗା ମିଶ୍ରଙ୍କ ସମେତ ସାନପୁଅ କାଳୀପ୍ରସାଦ ମିଶ୍ର, ଭାଇ ଉପେନ୍ଦ୍ରନାଥ ମିଶ୍ର ଓ କିଛି କର୍ମଚାରୀଙ୍କୁ ଖୋଜି ଭଞ୍ଜନଗରରେ ପହଞ୍ଚିଥିଲେ। ସାଦା ପୋଷାକଧାରୀ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚିଟ୍ଫଣ୍ଡ ସଂସ୍ଥା ସହ ଜଡ଼ିତ କିଛି ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲା। ପରେ ଟିମ୍ ୨ ଭାଗରେ ବିଭକ୍ତ ହୋଇଯାଇଥିଲେ। ଏସ୍ଆଇ ମନୋଜ ଚୌହାନଙ୍କ ନେତୃତ୍ବରେ ଏକ ଟିମ୍ ମାଲିକ ଦୁର୍ଗା ମିଶ୍ରଙ୍କ ଭେଜିପୁଟ ନୂଆସାହି ଠାରେ ଥିବା ବାସଭବନରେ ଯାଞ୍ଚ ଓ ଖୋଳତାଡ଼ କରିଥିଲେ। ଅଧିକାରୀ ମାନେ ସେହି ବାସଭବନରେ ଭଡ଼ାରେ ରହୁଥିବା ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାସହ ଘର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥବିବା କର୍ମଚାରୀମାନଙ୍କୁ ପଚରାଉଚରା କରିଥିଲେ। ତେବେ ୨୦୧୫ରୁ ମାଲିକ ଦୁର୍ଗା ଏଠାକୁ ଆସି ନଥିବା ପୁଲିସ ଟିମ୍ ଆଗରେ କହିଥିବା ଜଣାପଡ଼ିଛି। ଅନ୍ୟ ଏକ ଟିମ୍ ବେଲଗୁଣ୍ଠା ଥାନା ଅଧୀନ ନୂଆଗାଁ କୁରୁମପଢ଼ାଳ ଗ୍ରାମରେ ଥିବା ଦୁର୍ଗାଙ୍କ ପୈତୃକ ବାସଭବନକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି।
ଭଞ୍ଜନଗରରେ ତଦନ୍ତ ସାରିବା ପରେ ଏହି ଟିମ୍ ଭୁବନେଶ୍ବର ଯାଇ ସେଠାରେ ତଦନ୍ତ କରିବ। କମ୍ପାନିର ମାଲିକ ଓ କର୍ମଚାରୀମାନଙ୍କୁ ଖୋଜି ପଚରାଉଚରା କରାଯିବ ବୋଲି ଟିମ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ମାମଲାରେ ମୋଟ ୬ ଜଣ ଅଭିଯୁକ୍ତ ରହିଛନ୍ତି। ତେବେ ତଦନ୍ତର ଅଗ୍ରଗତି ନେଇ ଅଧିକ ତଥ୍ୟ ଦେବା ଲାଗି ପୁଲିସ ଟିମ୍ ମନା କରିଦେଇଥିଲେ।