ସୁରଟ ପୀଡ଼ିତା ଓଡ଼ିଆ ଝିଅ! : ଡିଜିଙ୍କୁ ଜଣାଇଲା ଗୁଜରାଟ, ଓଡ଼ିଶା ପୁଲିସର ଛାନଭିନ୍
ପରିଚୟ ଖୋଜିବା ପାଇଁ ସବୁ ଜିଲ୍ଲା ଏସ୍ପିଙ୍କୁ ନିର୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର : ସୁରଟରେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଦୁଷ୍କର୍ମ ଘଟଣାକୁ ୧୦ ଦିନ ବିତି ଯାଇଥିବା ବେଳେ ଏଯାବତ୍ ପୀଡ଼ିତାଙ୍କ ପରିଚୟ ମିଳିପାରି ନାହିଁ। ତେବେ ପୀଡ଼ିତା ଜଣକ ଓଡ଼ିଶା କିମ୍ବା ଏହାର ପଡ଼ୋଶୀ ରାଜ୍ୟର ହୋଇଥାଇ ପାରନ୍ତି ବୋଲି ଆଜି ଗୁଜରାଟ ଗୃହମନ୍ତ୍ରୀ ପି.ଏସ୍. ଜାଡେଜା ଗଣମାଧ୍ୟମକୁ କହିଛନ୍ତି। ସୁରଟ ପୁଲିସ୍ ପ୍ରାୟତଃ ଅନ୍ୟ ରାଜ୍ୟର ନିଖୋଜ ନାବାଳିକାଙ୍କ ସହ ମୃତକଙ୍କ ଫଟୋକୁ ମେଳ କରାଇସାରିଥିବାରୁ ମୃତ ପୀଡ଼ିତା ଓଡ଼ିଶାର ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।
ପୀଡ଼ିତାଙ୍କ ପରିବାରବର୍ଗଙ୍କ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ଗୁଜରାଟ ପୁଲିସ୍ ପୀଡ଼ିତାଙ୍କର ଫଟୋକୁ ପୋଷ୍ଟର କରି ପରିଚୟ ଖୋଜିବାକୁ ଚେଷ୍ଟା କରୁଥିବା ମନ୍ତ୍ରୀ ଜାଡେଜା କହିଛନ୍ତି। ଗୁଜରାଟ ଓ ସୁରାଟ ପୁଲିସ୍ ଏବେ ସୁଦ୍ଧା ୮ହଜାରରୁ ଊର୍ଦ୍ଧ୍ୱ ନିଖୋଜ ନାବାଳିକାଙ୍କ ଫଟୋ ଯାଞ୍ଚ କରିସାରିଛି। ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏନେଇ ଯୋଗାଯୋଗ କରାଯାଇଥିବା ସେ ଅବଗତ କରିଛନ୍ତି।
ପୀଡ଼ିତାଙ୍କ ମୃତଦେହ ମିଳିଥିବା ସ୍ଥାନ ନିକଟର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଥିବା ବେଳେ ଉକ୍ତ ସ୍ଥାନରେ ସମସ୍ତ ଫୋନ୍ କଲ ଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ସୁରଟ ପୁଲିସ୍ର କ୍ରାଇମ୍ବ୍ରାଞ୍ଚ ଏକ ହତ୍ୟା ମାମଲା ରୁଜୁ କରି ମୃତ ପୀଡ଼ିତାଙ୍କ ପରିଚୟ ଓ ଦୋଷୀକୁ ଖୋଜିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା କ୍ରାଇମ୍ବ୍ରାଞ୍ଚ ଏସିପି ଆର୍.ଆର୍.ସର୍ଭେୟା କହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ପୁଲିସକୁ ଏଭଳି ଖବର ଆସିବା ପରେ ଆଜି ପୁଲିସ ଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ପୁଲିସ ଡିଜି ଶର୍ମାଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ୬ ତାରିଖରେ ସୁରଟର ପାଣ୍ଡେସରାରେ ଥିବା ଏକ କ୍ରିକେଟ ଖେଳ ପଡ଼ିଆରୁ ଜଣେ ୯ରୁ ୧୩ ବର୍ଷର ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ସ୍ଥାନୀୟ ପୁଲିସ ଜବତ କରିଥିଲା। ନାବାଳିକାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନ ସମେତ ୮୬ଟି ସ୍ଥାନରେ କ୍ଷତ ଚିହ୍ନ ଥିଲା। ଏ ନେଇ ପୁଲିସ ଦୁଷ୍କର୍ମ, ହତ୍ୟା ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ତେବେ ନାବାଳିକାଙ୍କ ପରିଚୟ ମିଳି ପାରୁ ନ ଥିବାରୁ ପୁଲିସ ତଦନ୍ତ ଆଗେଇ ପାରୁନାହିଁ। ଏପରିକି କେହି ନାବାଳିକାଙ୍କ ପରିଚୟ ସମ୍ପର୍କରେ ଖବର ଦେଲେ ସୁରଟ୍ ପୁଲିସ ୨୦ ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।
ଡିଜି କହିଛନ୍ତି, ପାଣ୍ଡେସରା ଅଞ୍ଚଳରେ ଅଧିକାଂଶ ଓଡ଼ିଆ, ତେଲୁଗୁ ଓ ଗୁଜୁରାଟି ଭାଷାଭାଷୀ ଲୋକ ବସବାସ କରିଥାନ୍ତି। ତେଣୁ ନାବାଳିକା ଜଣକ ଓଡ଼ିଶାର ବୋଲି ସୁରଟ ପୁଲିସର ସନ୍ଦେହ ହେଉଛିି। ଏଣୁ ଆଜି ଓଡ଼ିଶା ପୁଲିସ ପକ୍ଷରୁ ସମସ୍ତ ଜିଲ୍ଲା ଏସ୍ପି ଓ ଡିସିପି ଦ୍ୱୟଙ୍କୁ ଏନେଇ ଅବଗତ କରାଯାଇଛି। କେଉଁଠି ନାବାଳିକା ନିଖୋଜ ଥିଲେ, ତୁରନ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଜଣାଇବାକୁ କୁହାଯାଇଛି। ଡିଜିପିଙ୍କ କହିବା ଅନୁଯାୟୀ ନାବାଳିକାଙ୍କ ଉଚ୍ଚତା ପାଖାପାଖି ୪ ଫୁଟ ହେବ। ପତଳା ଶରୀର। ସେ ନୀଳରଙ୍ଗର ଟି-ସାର୍ଟ ଓ ସବୁଜ ରଙ୍ଗର ଲେଗିନ୍ସ ପିନ୍ଧିଥିଲେ।