କୋଭିଡ୍ ହସ୍ପିଟାଲ୍‌ରେ ସୁରତ ଫେରନ୍ତାଙ୍କ ମୃତ୍ୟୁ, ଶବ ଗାଁରେ ପୂରାଇବାକୁ ଗ୍ରାମବାସୀ ମନାକଲେ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଜରଡ଼ ପଞ୍ଚାୟତ ମୋହନାପଲ୍ଲୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଉଲା ଡାକୁଆ (୮୫) ନାମକ ଜଣେ ବୃଦ୍ଧଙ୍କ ଆଜି ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ଉଲା ହେଉଛନ୍ତି ବୋରିସିଂ ଗ୍ରାମର ମୂଳବାସିନ୍ଦା। ଗତକାଲି ଉଲାଙ୍କୁ ପ୍ରବଳ ଜ୍ବର, କାଶ ସହ ଝାଡ଼ା ହୋଇଥିଲା। ଅପରାହ୍‌ଣ ଗୋଟାଏରେ ତାଙ୍କୁ ହିଞ୍ଜିଳିକାଟୁ କୋଭିଡ୍ କେୟାର୍‌ ସେଣ୍ଟର୍‌କୁ ଅଣାଯାଇଥିଲା। କିନ୍ତୁ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ତାଙ୍କୁ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତି ଗୋଟାଏ ବେଳେ ଉଲା ଆଖି ବୁଜି ଦେଇଥିଲେ। ଖବର ମିଳିବା ସୁଦ୍ଧା, ତାଙ୍କ ଶବ କୋଭିଡ୍ ହସ୍ପିଟାଲ୍‌ରେ ରହିଛି। ବୋରିସିଂ ଗ୍ରାମକୁ ଶବ ଆସିବା ପାଇଁ ପରିବାରବର୍ଗ ଅପେକ୍ଷା କରିଛନ୍ତି। ତେବ‌େ ଶବକୁ ଗ୍ରାମକୁ ପୂରାଇଦିଆଯିବନି ବୋଲି ଗ୍ରାମବାସୀ ଜିଦ୍‌ରେ ଅଡ଼ି ବସିଥିବାରୁ ଗ୍ରାମରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ ପୂର୍ବକ ମୃତକ ଉଲାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିଛନ୍ତି। ଏହାସହ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କ ସହ ଆଲୋଚନା କରି ଫେରିଛନ୍ତି।

ଅନ୍ୟପକ୍ଷରେ, ଉଲାଙ୍କ ମୃତ୍ୟୁ ପାଇଁ ପରିବାରବର୍ଗ ପ୍ରଶାସନ ଓ ସରପଞ୍ଚଙ୍କ ଦାୟିତ୍ବହୀନତା ଏବଂ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି। ମୃତକ ଉଲା ଓ ତାଙ୍କର ୪ ପୁଅ ସୁରତରେ କାମ କରୁଥିଲେ। ଗତ ୧୩ ତାରିଖରେ ସେମାନେ ସପରିବାର କବିସୂର୍ଯ୍ୟନଗର ଫେରିଥିଲେ। ଚାରିପୁଅ କାଳୁଚରଣ, ସନ୍ତୋଷ, କଂଗ୍ରେସ ଓ ରମେଶ ଏବଂ ସେମାନଙ୍କ ପୁଅଝିଅ ଏଭଳି ପରିବାରର ୧୪ଜଣ ସଦସ୍ୟ ମୋହନାପଲ୍ଲୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସାନପୁଅ ରମେଶ ଭିଡିଓ ମାଧ୍ୟମରେ ଅଭିଯୋଗ କରି କହିଛନ୍ତି, ବାପାଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କ ପ୍ରତି ସରପଞ୍ଚ ଓ ଅନ୍ୟ ଅଧିକାରୀ ମା‌ନେ ବିଶେଷ ଧ୍ୟାନ ଦେଲେନାହିଁ। ଏପରିକି ପାଣି ମୁନ୍ଦେ ବି ଦିଆଯାଇ ନଥିଲା। ଯେତେବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା ସେତେବେଳେ ଆମ୍ବୁଲାନ୍ସ୍‌ରେ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନେଲେ। କିନ୍ତୁ ସେଠାରେ ବି ଠିକ୍ ଚିକିତ୍ସା ସେବା ମିଳିଲାନି। ତା ପରେ ବ୍ରହ୍ମପୁରରେ ମୋ ବାପା ଆଖି ବୁଜିଦେଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଖବର ଲେଖା ହେଲାବେଳକୁ, ଶବ ସଂସ୍କାର ନ ହୋଇ ପଡ଼ିରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର