ଆମ୍ବୁଲାନ୍ସରେ ଶିଶୁପୁତ୍ର ଜନ୍ମ ଦେଲେ ସୁରତ ଫେରନ୍ତା ପ୍ରସୂତି

ବ୍ରହ୍ମପୁର : ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଡାକ୍ତରଖାନାକୁ ନେବା ସମୟରେ ଆମ୍ବୁଲାନ୍ସ ଭିତରେ ରାସ୍ତାରେ ପ୍ରସବ କରିଛନ୍ତି ଜନୈକା ପ୍ରସୂତି। ମହିଳା ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମା-ପୁଅ ସୁସ୍ଥ ରହିଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଡାକ୍ତରଖାନାକୁ ନେବାରେ ବିଳମ୍ବ ହେବାରୁ ପ୍ରସୂତି ଜଣକ ରାସ୍ତାରେ ପ୍ରସବ କରିଥିବା ନେଇ ଅଭିଯୋଗ ହୋଇଛି।

କିଛି ଦିନ ତଳେ ସୁରତରୁ କୋଦଳା ଅଞ୍ଚଳର ଏକ ଦମ୍ପତି ଘରକୁ ଫେରିଥିଲେ। ସେହି ଦମ୍ପତିଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଥିଲା। ମହିଳା ଜଣକ ଗର୍ଭବତୀ ଥିଲେ। ଗତକାଲି ସଂଧ୍ୟାରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏଥିରେ ସଙ୍ଗରୋଧ କକ୍ଷ ଦାୟିତ୍ବରେ ଥିବା କର୍ମଚାରୀମାନେ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିପାରି ନଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଆମ୍ବୁଲାନ୍ସ ଆସିଥିଲା। ଏହାପରେ ତୁରନ୍ତ ମହିଳାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନା ଆସିବା ରାସ୍ତାରେ ମହିଳା ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ବଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ ମା-ପୁଅର ଚିକିତ୍ସା କରି ଉଭୟଙ୍କୁ ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ କୌଣସି ଲକ୍ଷଣ ନଥିବାରୁ ତାଙ୍କର ସ୍ବାବ୍‌ ପରୀକ୍ଷା ହୋଇନାହିଁ। କରୋନା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ତାଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ସେପଟେ ଗତକାଲି ବଡ଼ ଡାକ୍ତରଖାନାରେ ଯାଆଁଳା ଶିଶୁ ଜନ୍ମ ଦେଇଥିବା ମହିଳାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିବା ବେଳେ ଶିଶୁକନ୍ୟାଟି ପରିବାରର ଅନ୍ୟ ସଦସ୍ୟଙ୍କ ହେପାଜତରେ ରହିଛି।

ସମ୍ବନ୍ଧିତ ଖବର