ବ୍ରହ୍ମପୁର : ସୁରତର ଅମ୍ରୋଲି ସ୍ଥିତ ଅଞ୍ଜନି ଶିଳ୍ପାଞ୍ଚଳରେ ଘଟିଥିବା ଟ୍ରିପଲ୍ ମର୍ଡ଼ର୍ ଘଟଣାରେ ପୁଲିସ ଦୁଇଜଣ ହତ୍ୟା ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାର ବୋଲି ଆଜି ସୁରତ ପୁଲିସ କହିଛି। ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣଙ୍କ ନାମ ଆଶିଷ ରାଉତ(୧୮) ବୋଲି ପୁଲିସ ସୂଚନା ଦେଇଛି।
ଆଜି ନାବାଳକଙ୍କୁ ଜେଜେବିରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତ ଆଶିଷକୁ କୋର୍ଟ ଚାଲାଣ କରା ଯାଇଥିଲା। ଅଧିକ ତଦନ୍ତ ସହିତ ଘଟଣାରେ ବ୍ୟବହୃତ ଛୁରୀ ଜବତ କରିବା ପାଇଁ ପୁଲିସ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡ୍ରେ ନେବା ପାଇଁ ସୁରତ ଫାଷ୍ଟଟ୍ରାକ୍ କୋର୍ଟରେ ଆବେଦନ କରିଥିଲା। କୋର୍ଟ ୩ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି। ଫ୍ୟାକ୍ଟ୍ରି ମାଲିକ ତାଙ୍କୁ କାମରୁ ବାହାର କରି ଦେଇଥିବାରୁ ଉଭୟେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଆଶିଷ ତାଙ୍କର ଜଣେ ନାବାଳକ ବନ୍ଧୁ ସହିତ କାମ କରିବା ପାଇଁ ସୁରତ ଯାଇଥିଲେ। ସେମାନେ ଗତ ପ୍ରାୟ ୧୦ଦିନ ହେଲା ଅମ୍ରୋଲି ଅଞ୍ଜନି ଶିଳ୍ପାଞ୍ଚଳରେ ଥିବା ବେଦାନ୍ତ ଟେକ୍ସପୋ ନାମକ ଏକ ସୂତା କାରଖାନାରେ କାମ ଆରମ୍ଭ କରିଥିଲେ। ଶନିବାର ରାତିରେ ଉଭୟେ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ହେଲେ, ରାତିରେ ମେସିନ୍ ଚାଲୁଥିବା ସମୟରେ ସେମାନେ ଶୋଇପଡ଼ିଥିଲେ। ଭୋର୍ରେ ଫ୍ୟାକ୍ଟ୍ରି ମାଲିକ ସେଠାରେ ପହଞ୍ଚିଥିଲେ। ସିସି କ୍ୟାମେରା ଦେଖିବାପରେ ଉଭୟ ଶ୍ରମିକ ଶୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ମାଲିକ ତାଙ୍କୁ ଗାଳିଗୁଲଜ କରି କାମରୁ ବାହାର କରି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେମାାନେ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।